Wednesday, April 24, 2024
Other Poems

ଅଭିନୟ

ଅଭିନୟ
kulamanisarangi.blogspot.com

ବୁଝି ମୁଁ ପାରେନା,ଥିଲା ଯେବେ ଏହା
ଖାଲି ଏକ ଅଭିନୟ,
ଅଭିନୟ ଅବସାନେ ଏ ଆଖିରୁ
ଶୁଖୁନି କାହିଁକି ଲୁହ ?

ତୁମେ କହିଥିଲ, ଭାବପ୍ରବଣତା
ଶୋଭାପାଏ ନାହିଁ ବୋଲି,
ଅଭିନୟ ପରେ ପଛକୁ ନଚାହିଁ
ଛାଡି ଚାଲିଯିବି ଭୁଲି।

ସତ କୁହ ଏହା ଅଭିନୟ ଅବା
ମିଛର ଏ ଅପଳାପ,
ମତେତ ଲାଗୁଛି ଅଭିନୟ ନୁହେଁ
ଏହା ଏକ ସତ୍ୟ ଗଳ୍ପ ।

ଦେହରେ ଲାଗିଛି କେତେ ରଙ୍ଗ ପୁଣି
ମୁହଁରେ ଲାଖିଛି ମୁଖା,
ରଙ୍ଗ ଛାଡେନାହିଁ,ମୁଖା ଛାଡେନାହିଁ,
କୁହ ଏକି ପ୍ରହେଳିକା !

ରଙ୍ଗମଞ୍ଚ ଛାଡି ଆସିଲା ବେଳେ ତ
ବାଜିଲାନି କରତାଳି,
ନାୟକ ହୋଇ ମୁଁ ଅଭିନୟ କଲି,
ତଥାପି ଶୁଭିଲା ଗାଳି।

ଥକିଗଲିଣି ମୁଁ ଅଭିନୟକରି
ତୁମ ଏ ରଙ୍ଗମଞ୍ଚରେ,
ପରଦା ପକାଇ ଦିଅ ମୁଁ ଯାଉଛି
ଦୂରେ ଆଉ ବହୁଦୂରେ।

Click to rate this post!
[Total: 0 Average: 0]

Leave a Reply