ଅଭିମନ୍ୟୁ (ବ୍ୟୁହମଧ୍ୟେ ଅଭିମନ୍ୟୁ)
ପ୍ରାୟ ଦୁଇବର୍ଷ ତଳେ ପରିବେଷିତ ମୋର “ମିନି କାବ୍ୟ” ବୀର ଅଭିମନ୍ୟୁର ଏକ ଅଂଶ ।
ବ୍ୟୁହମଧ୍ୟେ ଅଭିମନ୍ୟୁ
……………………………….
ବିଜୟ ଦର୍ପରେ ଚକ୍ରବ୍ୟୁହ ଧ୍ବଂସ କରେ ଅଭିମନ୍ୟୁ ବୀର,
କୌରବ ବାହିନୀ ମଧ୍ୟେ ପଡିଗଲା ଭୟଙ୍କର ହାହାକାର।
ପଛରେ ଅଛନ୍ତି ଭୀମ,ଧୃଷ୍ଟଦ୍ୟୁମ୍ନ,ସାତ୍ୟକି,ବିରାଟ ରାଜା,
ବ୍ୟୁହ ଧ୍ବଂସକରି ଚାଲେ ଅଭିମନ୍ୟୁ ଉଡେ ବୈଜୟନ୍ତି ଧ୍ବଜା।
ଏ ସମୟେ ଅକସ୍ମାତ ଜୟଦ୍ରଥ ପହଞ୍ଚିଲା ଆସି କାହୁଁ,
ଧୃଷ୍ଟଦ୍ୟୁମ୍ନ,ଭୀମ,ସାତ୍ୟକି ବୀରଙ୍କୁ ହରାଇଲା ଚାହୁଁ ଚାହୁଁ।
ଏହି ଅବସରେ ପୁନର୍ବାର ବ୍ୟୁହ ରଚିଦେଲେ ଗୁରୁ ଦ୍ରୋଣ,
ଏକା ବ୍ୟୁହମଧ୍ୟେ ଥାଇ ଅଭିମନ୍ୟୁ କରଇ ଭୀଷଣ ରଣ।
ପଛକୁ ନାହାନ୍ତି ପାଣ୍ଡବ ରଥୀଏ ତଥାପି ନିର୍ଭୟ ବୀର,
ସପ୍ତ ମହାରଥୀ ସଙ୍ଗେ କରେ ରଣ ଏକା ଅର୍ଜୁନ କୁମର।
ଧ୍ବଂସର ତାଣ୍ଡବ ସୃଷ୍ଟିକରି ବୀର ରଣକ୍ଷେତ୍ର କଲା ପଦା,
କେଉଁଠି ପଡିଛି ମୃତକ ମସ୍ତକ,କାହିଁ ଗଡୁଛି କା ଗଦା।
କାହିଁ ପଡିଅଛି ଧନୁ,ଭାଲ,ଖଡ୍ଗ,ତୀର,ସାଞ୍ଜୁ,ଶିରସ୍ତ୍ରାଣ,
ଭଗ୍ନ ରଥ,ମୃତ ଅଶ୍ବ ପଡିଛନ୍ତି ରଣକ୍ଷେତ୍ରେ ପଣ ପଣ।
ଦ୍ରୋଣ,କୃପ,କୃତବର୍ମା,ଅଶ୍ବତ୍ଥାମା,କର୍ଣ୍ଣ ଅଙ୍ଗ ନରବର,
ଶଲ୍ୟ,ଶକୁନିଙ୍କ ସଙ୍ଗେ ମିଳି ଆରମ୍ଭିଲେ ମିଳିତ ସମର।
ସବୁ କ୍ଷାତ୍ରଧର୍ମ ଭୁଲିଯାଇ ମନୁ ତେଜିଦେଇ ସବୁ ଲଜ୍ଜା,
ଏକତ୍ରିତ ହୋଇ ଆକ୍ରମଣ ପାଇଁ ରଥୀଏ କରିଲେ ସଜ୍ଜା।
କର୍ଣ୍ଣ ସାଞ୍ଜୁ ଭେଦକଲା ଅଭିମନ୍ୟୁ ଧନୁର ତୀକ୍ଷ୍ଣ ଶାୟକ,
ଉପାୟ ନପାଇ ଦୂରେ ଘୂଞ୍ଚିଗଲା ତକ୍ଷଣେ ଅଙ୍ଗ ନାୟକ।
ହୁତାସନ ସମ ଦୁଃଶାସନ ମାଡିଆସେ କରିବାକୁ ରଣ,
ଜ୍ଞାନହୀନ ତାକୁ କଲା ଅଭିମନ୍ୟୁ ପେଶି ଏକ ତୀକ୍ଷ୍ଣ ବାଣ।
ଅଭିମନ୍ୟୁ ବାଣେ ଆହତ ହୋଇଣ ଶଲ୍ୟ ଗଲେ ରଥେ ପଡି,
ବିଜୁଳି ବେଗରେ ସାରଥି ରଥକୁ ନେଲା ବହୁଦୂରେ ଭିଡି।
ଦେଖି ଏ ଅବସ୍ଥା ଶଲ୍ୟଙ୍କର ଭ୍ରାତା ଦମ୍ଭେ ଆରମ୍ଭିଲେ ରଣ,
ତୁରନ୍ତ ତାଙ୍କର ରଥ ଭଗ୍ନ କଲା ଅଭିମନ୍ୟୁ ପେଶି ବାଣ।
ଲଣ୍ଡଭଣ୍ଡ ହୋଇ ପଳାଇଲେ ସେହି ଦୂରୁ ଦ୍ରୋଣ ଦେଖି ତାହା,
କହିଲେ ଧନ୍ୟରେ “ବୀର ଅଭିମନ୍ୟୁ ତୋ ପରି ଅଛି କେ ଆହା!
ଗର୍ବେ ଆନନ୍ଦାଶ୍ରୁ ଝରାଇଲେ ଦ୍ରୋଣ ଅଭିମନ୍ୟୁ ରଣ ଦେଖି,
ବୋଲେ ଦୁର୍ଯ୍ୟୋଧନ “ଶୁଣ ହେ ବ୍ରାହ୍ମଣ କର ପକ୍ଷପାତ ଏ କି !”
ଅର୍ଜୁନ ପ୍ରୀତିରେ ଦ୍ରବି ତା ପୁତ୍ରରେ ଅଯଥା ପ୍ରଶଂସା କର,
ତାକୁ ରଣେ ହତ ନକଲେ ଆଜ’ତ ଯୁଦ୍ଧେ ହେବ ଆମ୍ଭ ହାର।”
ଭରଦ୍ବାଜ ସୁତ ହୋଇଲେ ଆହତ “ବୋଇଲେ କୁମାର ଶୁଣ,
ଶତ୍ରୁ ତୀର ଠାରୁ ଅଧିକ ଯନ୍ତ୍ରଣା ଦିଏ ତୁମ୍ଭ ବାକ୍ୟବାଣ।
ପ୍ରତିଭାର ପୂଜା ହୁଏ ଯୁଗେ ଯୁଗେ ଜାଣିଥାଅ କୁରୁ ରାଜ,
ତୁମ୍ଭେ କି ବୁଝିବ ଈର୍ଷାନଳେ ପାଂଶୁ ହୃଦୟ ତୁମ୍ଭର ଆଜ?”
_______________________________________
“କଲମର ନାମ ଅବିନାଶ”