Thursday, April 18, 2024
Other Poems

ଅଭିମନ୍ୟୁ (ଶେଷ ଅଙ୍କ)

  1. ଏହି କାବ୍ୟ ଅଂଶଟି ମୋର କ୍ଷୁଦ୍ରକାବ୍ୟ “ଅଭିମନ୍ୟୁ”ର ଅଂଶ ବିଶେଷ।ପ୍ରାୟ ଦୁଇ ବର୍ଷ ପୂର୍ବରୁ ପରିବେଷିତ ହୋଇଥିଲା।ସପ୍ତରଥୀଙ୍କର ଅନ୍ୟାୟକୁ କିପରି ଆକାଶର ଗୃଧ୍ରପକ୍ଷୀ (ଶକୁନ)ମାନେ ମଧ୍ୟ ନିନ୍ଦା କରିଛନ୍ତି ତାହା ଦ୍ରଷ୍ଟବ୍ୟ।
    ……………………………………………………………..
    ଅଭିମନ୍ୟୁ
    ଶେଷ ଅଙ୍କ
    ……………..
    ଭୀମ ନପାରନ୍ତି ଚଳି,ଜୟଦ୍ରଥ ଓଗାଳିଛି ବ୍ୟୁହ ଦ୍ବାର,
    ସଂଶପ୍ତକ ରଣେ ପାର୍ଥ ମଗ୍ନ ତେଣେ ,ତିଳେ ନାହିଁ ଅବସର।
    ବିଛିନ୍ନ ପାଣ୍ଡବ ବାହିନୀ, ଏକାକି ଚକ୍ରବ୍ୟୁହେ ଅଭିମନ୍ୟୁ,
    ଗର୍ଜେ ସିଂହଶିଶୁ ସପ୍ତରଥୀ ବାଣେ ରକ୍ତ ଜର୍ଜରିତ ତନୁ।

    ଲଜ୍ଜାହୀନ ହୋଇ,ଶୂନ୍ୟେ ଫିଙ୍ଗିଦେଇ,ଯୁଦ୍ଧର ନିୟମ,ନୀତି,
    ପ୍ରହାର କରନ୍ତି ଅଭିମନ୍ୟୁପରେ ବାଣ, ମିଳି ସପ୍ତରଥୀ।
    ଅସ୍ତ୍ରହୀନ ମତ୍ତହସ୍ତୀ ପରେ ସପ୍ତରଥୀ ପ୍ରହାରନ୍ତେ ବାଣ,
    ବେନି ହସ୍ତେ ରଥ ଚକ ତୋଳି ଉଭାହେଲା ସୁଭଦ୍ରା ନନ୍ଦନ।

    ଲାଗିଲା ସତେ କି ଧ୍ବଂସମୂର୍ତ୍ତିଧରି ଉଭା ଦ୍ବାରକା କେଶରୀ,
    ବିଜୁଳି ସମାନ ଘୂରେ ରଥ ଚକ ସୁଦର୍ଶନ ଚକ୍ର ପରି।
    ଘୂର୍ଣ୍ଣାୟମାନ ସେ ରଥଚକେ କରେ ପ୍ରତିହତ ଶତ୍ରୁ ଶସ୍ତ୍ର,
    ସପ୍ତ ରଥୀଙ୍କର ତୀବ୍ର ଆକ୍ରମଣେ ହୋଇଲା ଶେଷେ ନିରସ୍ତ।

    ଦୁଃଶାସନ ସୁତ ଦୁର୍ମାଶନ ଆସି ପ୍ରଚଣ୍ଡ ଗଦା ପ୍ରହାରେ,
    ଧରାଧରି ହୋଇ ଦୁଇ ବୀର ତହିଁ ଲଢିଲେ ଧରଣୀପରେ।
    ଅସ୍ତ୍ରହୀନ ଅଭିମନ୍ୟୁ ଉଠିବାକୁ ଉଦ୍ୟତ ହୁଅନ୍ତେ ଖରେ,
    ଦୁଃଶାସନ ସୁତ କଲା ଗଦାଘାତ ବୀର ଅଭିମନ୍ୟୁ ଶିରେ।

    ପ୍ରାଣବାୟୁ ପରମାତ୍ମାଙ୍କ ସ୍ଥିତିରେ କ୍ଷଣେ ମିଳିଗଲା ଯାଇ,
    ପଡିଅଛି ବୀର,ନିଶ୍ଚଳ ଶରୀର ଧୂଳି ଧୂସରିତ ହୋଇ।
    ତାଣ୍ଡବ ନର୍ତ୍ତନ କରନ୍ତି କୌରବେ ଶବ ଚାରିପାଶେ ଘୂରି,
    ଯେମନ୍ତେ ଶିକାର ଚତୁର୍ପାଶ୍ବେ ବ୍ୟାଧେ ଆନନ୍ଦେ କରନ୍ତି ହୁରି।

    “ଅନ୍ୟାୟ,ଅନ୍ୟାୟ”ବୋଲି ଗୃଧ୍ରପକ୍ଷୀ ଆକାଶେ ରାବିଲେ ଉଡି,
    ନିର୍ଲଜ କୌରବେ,ବିଜୟ ଗରବେ କଲେ ଶଙ୍ଖନାଦ ରଡି।
    କିଛିକ୍ଷଣ ପାଇଁ,ସ୍ତବ୍ଧ ଗଲା ହୋଇ କୁରୁକ୍ଷେତ୍ର ରଣାଙ୍ଗନ,
    “ଏ ଘୋର ଅନ୍ୟାୟ”ବୋଲି ସ୍ବର୍ଗଲୋକୁ ହୁରି କଲେ ଦେବଗଣ।

    ଚନ୍ଦ୍ରଲୋକୁ ଆସି ସଜ୍ଜିତ ସ୍ୟନ୍ଦନ ରହିଥିଲା ଆକାଶରେ,
    ‘ସୋମପୁତ୍ର’ ତହୁଁ,ଅଭିମନ୍ୟୁ ଦେହୁ ବିଜେକଲେ ତହିଁପରେ।
    ଚନ୍ଦ୍ରପୁତ୍ର ଗଲେ ଚନ୍ଦ୍ରଲୋକେ,କୁରୁ ବଂଶେ କଳଙ୍କ ଲାଗିଲା,
    ଗୁରୁଙ୍କ ନିର୍ମଳ ଚରିତ୍ର ଚନ୍ଦ୍ରମା ରାହୁଗ୍ରସ୍ଥ ହୋଇଗଲା।

    (ପୁରାଣ ଅନୁସାରେ ସୋମ ବା ଚନ୍ଦ୍ର ନିଜ ପ୍ରିୟ ପୁତ୍ରକୁ , ଦେବତାଙ୍କ ଅନୁରୋଧକ୍ରମେ ,ଧର୍ମ ସ୍ଥାପନା କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ,ସୀମିତ ସମୟ ପାଇଁ ମର୍ତ୍ତ୍ୟଲୋକକୁ ପଠାଇ ଥିଲେ।)

    (କଲମର ନାମ ଅବିନାଶ)

    *************************************

Click to rate this post!
[Total: 0 Average: 0]

Leave a Reply