କୁଆଁର ପୁନେଇଁ ଜହ୍ନ ଗୋ

କୁଆଁର ପୁନେଇଁ ଜହ୍ନ ଗୋ
=================
ଜହ୍ନିଫୁଲ ଚହଟିଲା,
ଆକାଶେ ଫୁଲେଇ ଜହ୍ନ ହସିଲା ରେ
ଦେଖ ଜୋଛନା ବରଷି ଗଲା ସଙ୍ଗାତ ରେ..

ଆଜି କୁଆଁର ପୁନେଇଁ ,
ନୂଆ ପିନ୍ଧି ଟୋପି-ଚନ୍ଦନ ନାଇ ରେ,
ସାଙ୍ଗ ମହମହ ବାସୁ ତୁହି ସଙ୍ଗାତ ରେ…

ଦାଣ୍ଡରେ କେତେ ଗହଳି,
ପଲମରେ ପଡ଼ିଲାଣି ଚକୁଳି ରେ
ଧନ ଖାଇସାରି ଯିବା ବୁଲି ସଙ୍ଗାତ ରେ…

କବାଟ କଣେ ଭାଉଜ,
ଡାକୁଛନ୍ତି ଆସ ହୋଇବା ସଜ ଗୋ,
ପାଦେ ଅଳତା ନାଇବା ଆଜ ସଙ୍ଗାତ ଗୋ..

ଆକାଶେ ଚାନ୍ଦ ଉଠିଲା,
ଧୋବ ଫରଫର ଅଗଣା ହେଲା ଗୋ,
ତହିଁ ଜହ୍ନିଫୁଲ ଗାଧେଇଲା ସଙ୍ଗାତ ଲୋ..

ଚଉରା ମୂଳକୁ ଆସ,
ଚାନ୍ଦପୂଜାକରି ବର ମନାସ ଗୋ,
ବୋଉ ଡାକେ ହୋଇ ହସହସ ବଉଳ ଗୋ…

ଚଉରା ମୂଳେ ମୁରୁଜ,
କେତେ ଚିତା ପାରିଛନ୍ତି ଭାଉଜ ଗୋ,
ସାତ ଦୀପ ଜଳେ ହୋଇ ସଜ ବଉଳ ଗୋ…

ଲିଆ ଛେନା ଗୁଡ଼ ସର,
ଚାନ୍ଦ ପୂଜା ଭୋଗ କରି ତିଆର ଗୋ
ବୋଉ ରଖେ ହୋଇ ତରତର ସଙ୍ଗାତ ଗୋ..

ଲକ୍ଷ୍ମୀ ଠାକୁରାଣୀ ପୂଜି,
ଭଲ ବରଟିଏ ମନାସି ଆଜି ଗୋ,
ଚାଲ ଦାଣ୍ଡରେ ଖେଳିବା ପୁଚି ସଙ୍ଗାତ ଗୋ…

ଆକାଶେ ପୁନେଇଁ ଜହ୍ନ
ବରଷକେ ଥରେ ଆନନ୍ଦ ଦିନ ଗୋ
ଆଜି ଏକାଠି ସାତ ସପନ ସଙ୍ଗାତ ଗୋ…..

(କୁଳମଣି ଷଡଙ୍ଗୀ)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *