ଗୀତାଜ୍ଞାନ(୧୩)

ଗୀତା ଜ୍ଞାନ (୧୩)
===============================
ଶ୍ରୀମଦ୍ଭଗବଦ୍ ଗୀତା
୩ୟ ଅଧ୍ୟାୟ
କର୍ମଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୧୩ ରୁ ୨୪
==================================
ସାଧାରଣ କର୍ମ ଏବଂ “କର୍ମଯୋଗ” ଭିତରେ ଅନେକ ପାର୍ଥକ୍ୟ ରହିଛି। ନିଷ୍କାମକର୍ମ “କର୍ମଯୋଗ”ର ମୂଳତତ୍ତ୍ଵ।କର୍ମଯୋଗର ସୃଷ୍ଟି ଏବଂ ମାହାତ୍ମ୍ୟ ବିଷୟରେ ଶ୍ରୀକୃଷ୍ଣ ଏଠାରେ ଅର୍ଜୁନଙ୍କୁ କହୁଛନ୍ତି:—
==================================

ନିଷ୍କାମ କର୍ମରେ ସଂସାର ସେବା ଯେହୁ କରଇ ,
ଯଜ୍ଞାବଶେଷ ପ୍ରାପ୍ତି ତୃପ୍ତି ତାର ମନେ ଆସଇ। *

ସେପରି ମନୁଷ୍ୟ ସଂସାର ପାପ ତରିଯାଆନ୍ତି,
ନିଜପାଇଁ ପାକ କରିବା ଲୋକ ପାପ ଭୁଞ୍ଜନ୍ତି। **

ଅନ୍ନରୁ ଜୀବନ୍ତ ସମସ୍ତପ୍ରାଣୀ ଏହି ସଂସାରେ,
ବରଷାରୁ ଅନ୍ନ ଉତ୍ପନ୍ନ ହୁଏ ଧରାପୃଷ୍ଠରେ।

ଯଜ୍ଞକାର୍ଯ୍ୟ ଯୋଗୁଁ ବରଷା ହୋଇଥାଏ ସମ୍ଭବ,
କର୍ମରୁ ଯଜ୍ଞ ସମ୍ପାଦନ ଆହେ ସୁଭଦ୍ରା ଧବ।

ବେଦରୁ କର୍ମର ଉଦ୍ଭବ ହୋଇଛି ଧନଞ୍ଜୟ,
ଅକ୍ଷରବ୍ରହ୍ମରୁ ହୋଇଛି ବେଦର ଯେ ଉଦୟ। #

ଅକ୍ଷରବ୍ରହ୍ମ ଯେ ଈଶ୍ବର ପରମାତ୍ମା ଅଟନ୍ତି,
ତେଣୁ ସର୍ବବ୍ୟାପୀ ଈଶ୍ବର କର୍ତ୍ତବ୍ୟ-କର୍ମେ ଥାନ୍ତି।

ଏହି ସୃଷ୍ଟି ଚକ୍ର ସଂସାରେ ଯେହୁ ନମାନେ ପାର୍ଥ,
ଇନ୍ଦ୍ରିୟର ଦାସ ସେ ପାପୀ ତାର ବଞ୍ଚିବା ବ୍ୟର୍ଥ।

କର୍ମଯୋଗେ ଯେ ପାଏ ସିଦ୍ଧି କରେ ଆତ୍ମରମଣ,
ଆତ୍ମତୃପ୍ତି,ଆତ୍ମସନ୍ତୁଷ୍ଟି ମଧ୍ୟେ ରହେ ତା ମନ। ##

ଛୁଏଁ ନାହିଁ ତାକୁ ସଂସାର ବନ୍ଧନ ଅବା ମାୟା,
ସଂସାର ସେବା ଯୁକ୍ତ ମନ ଲଭେ ପ୍ରଶାନ୍ତି ଛାୟା।

ନିଜ ପ୍ରୟୋଜନ ପାଇଁ ସେ କର୍ମ ନଥାଏ କରି,
କର୍ମ ବିମୁଖତା ମନରେ ଆସେନାହିଁ ତାହାରି।

ନିଜ ସ୍ବାର୍ଥ ପାଇଁ ନକରେ କର୍ମ ସେ କର୍ମଯୋଗୀ,
ନିସ୍ବାର୍ଥ, ନିଷ୍କାମ,ନିର୍ଲିପ୍ତ ସେବାରେ ଥାଏ ଲାଗି।

ଅନାସକ୍ତ ରହି କର୍ତ୍ତବ୍ୟ ଯେହୁ ପାଳନ କରେ,
ପରମାତ୍ମା ପ୍ରାପ୍ତ ହୋଇବ ନିଶ୍ଚୟ ଏ ସଂସାରେ। ₹

ଜନକମହର୍ଷି ସଦୃଶ ଅନେକ ଯେ ସଂସାରୀ
ଶାସ୍ତ୍ରମାନି କର୍ମଯୋଗରେ ହୋଇଲେ ସିଦ୍ଧାଚାରୀ।

ସଂସାରରେ ଶ୍ରେଷ୍ଠ ମନୁଷ୍ୟ କରେ ଯେ ଆଚରଣ,
ଇତର ମନୁଷ୍ୟ କରଇ ତାର ଅନୁସରଣ।

ତେଣୁ ତୁମ୍ଭେ ପାର୍ଥ କର୍ତ୍ତବ୍ୟ-କର୍ମେ ରହିଲେ ସ୍ଥିତ,
ସାଧାରଣ ପ୍ରାଣୀ ତୁମ୍ଭର ହୋଇବେ ଅନୁଗତ।

ଦେଖ ପାର୍ଥ ମୋର ତ୍ରିଲୋକେ କିଛି ଅପ୍ରାପ୍ୟ ନାହିଁ,
ଅକର୍ତ୍ତବ୍ୟ ନାହିଁ ତଥାପି କର୍ମେ ନିଯୁକ୍ତ ମୁହିଁ।

ମୋ କର୍ତ୍ତବ୍ୟ ପଥେ ସାମାନ୍ୟ ଯେବେ ହେବ ବିଚ୍ୟୁତି,
ବିଶ୍ବବ୍ରହ୍ମାଣ୍ଡର କରିବ ତାହା ବିପୁଳ କ୍ଷତି।

ସମସ୍ତେ ମୋ ମାର୍ଗ କରନ୍ତି ଯେଣୁ ଅନୁସରଣ,
ମୁଁ କର୍ମ ନକଲେ ହୋଇବେ ସୃଷ୍ଟ ଅକର୍ମାଗଣ।

ବର୍ଣ୍ଣସଙ୍କରଙ୍କ ବିତ୍ପାତେ ଜନେ ପାଇବେ କଷ୍ଟ, ₹₹
ମୁଁ କର୍ମ ନକଲେ ସଂସାର ହେଳେ ହୋଇବ ନଷ୍ଟ।
==================================
ଟୀକା
==============
*ଯଜ୍ଞାବଶେଷ….ଯଜ୍ଞକାର୍ଯ୍ୟ ସମାଜର ମଙ୍ଗଳ ପାଇଁ କରାଯାଏ।ଯଜ୍ଞ ଶେଷ ହେବାପରେ ଯେଉଁ ବଳକା ଅନ୍ନ ଇତ୍ୟାଦି ରହିଥାଏ ତାହା ଅମୃତ ସମାନ। ତାହା ଭୋଜନ କଲେ ତାର ତୃପ୍ତି ଅନିର୍ବଚନୀୟ। “ନିଷ୍କାମକର୍ମ” କୌଣସି ଯଜ୍ଞକର୍ମ ଠାରୁ ଉଣା ନୁହେଁ।ଯଜ୍ଞର ବାସ୍ତବ ଅର୍ଥ ସମର୍ପଣ। ନିଷ୍କାମକର୍ମ ସମର୍ପଣ ଭାବନା ଉପରେ ପର୍ଯ୍ୟବେସିତ। ତେଣୁ ନିଷ୍କାମ କର୍ମର ଫଳ ଯଜ୍ଞାବଶେଷର ତୃପ୍ତି ଦିଏ ଏବଂ ମୋକ୍ଷ ପ୍ରଦାନ କରେ।
** ନିଜପାଇଁ ପାକ କରିବା…ନିଜ ସ୍ବାର୍ଥ ପାଇଁ କର୍ମକରି ତାର ଫଳ ନିଜେ ଭୋଗ କରିବା।
# ଅକ୍ଷରବ୍ରହ୍ମ…ସର୍ବନିୟନ୍ତା ଈଶ୍ବର ବା ପରମାତ୍ମା
##..ଆତ୍ମରମଣ… କର୍ମଯୋଗରୁ ଯେଉଁ ସିଦ୍ଧି ମିଳେ ତାହା ଆତ୍ମାକୁ ଅଶେଷ ତୃପ୍ତି ଦିଏ। ସେହି ଶାନ୍ତି ଓ ତୃପ୍ତିରେ ହଜିଯିବା ଭାବକୁ ଆତ୍ମରମଣ କୁହାଯାଇଛି।
₹ପରମାତ୍ମା ପ୍ରାପ୍ତି…ମୋକ୍ଷପ୍ରାପ୍ତି
₹₹ ବର୍ଣ୍ଣସଙ୍କର..ଦୁଇ ଭିନ୍ନ ବର୍ଣ୍ଣର ମିଶ୍ରଣରେ ଯେଉଁ ସନ୍ତାନ ସୃଷ୍ଟି ହୁଅନ୍ତି। ସେମାନେ ନିଷ୍କର୍ମା ଓ ସମାଜର ଅମଙ୍ଗଳକାରୀ।
==================================
ଅନ୍ତଃଦୃଷ୍ଟି
==================================
ସାଧାରଣ କର୍ମ ଏବଂ କର୍ମଯୋଗ ଭିତରେ ଅନେକ ପାର୍ଥକ୍ୟ ରହିଛି। କର୍ମଯୋଗ ସମ୍ପାଦନ କୌଣସି ଯଜ୍ଞକାର୍ଯ୍ୟ ସମ୍ପାଦନା ଠାରୁ କମ୍ ନୁହେଁ। ଯେଉଁମାନେ ନିଷ୍କାମ କର୍ମକରି ସମାଜର ମଙ୍ଗଳ କରନ୍ତି ସେମାନେ ଯେଉଁ ତୃପ୍ତି ଲାଭ କରନ୍ତି ତାହା ଯଜ୍ଞଶେଷରେ ମିଳିଥିବା ବଳକା ଅନ୍ନ ଭୋଜନର ତୃପ୍ତି ସହିତ ସମାନ।ସମାଜର ମଙ୍ଗଳ ପାଇଁ ଯେଉଁ କର୍ମ କରାଯାଏ ସେଥିରୁ ମିଳୁଥିବା ଆତ୍ମତୃପ୍ତିର ତୁଳନା ନାହିଁ।ଅପର ପକ୍ଷେ ଯେଉଁମାନେ ନିଜ ସ୍ବାର୍ଥପାଇଁ କର୍ମ କରନ୍ତି ସେମାନେ ନିଜ ପାକ ନିଜେ ରନ୍ଧନକରି ପାପ ଭୋଜନ କରିବା ସହିତ ସମାନ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି।
ପୂର୍ବ ଅଧ୍ୟାୟରେ “କର୍ମଯୋଗ”କୁ ଏକ ଧର୍ମ ସହିତ ତୁଳନା କରିଛନ୍ତି ଶ୍ରୀକୃଷ୍ଣ। ଏଠାରେ ଧର୍ମରୂପକ ସେହି କର୍ମଯୋଗ ର ଉତ୍ପତ୍ତି ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି।ସେ କହିଛନ୍ତି ଅନ୍ନ ଯୋଗୁଁ ଏ ସଂସାରରେ ସମସ୍ତ ପ୍ରାଣୀ ଜୀବିତ ରହିଛନ୍ତି। ବର୍ଷାଯୋଗୁଁ ଅନ୍ନ ଉତ୍ପନ୍ନ ହୁଏ। ବର୍ଷା ପାଇଁ ଯଜ୍ଞକାର୍ଯ୍ୟ ସମ୍ପାଦନ କରିବାକୁ ପଡେ। ଏହି ଯଜ୍ଞର ସୃଷ୍ଟି ବେଦରୁ ହୋଇଛି ଏବଂ ସ୍ବୟଂ ପରଂବ୍ରହ୍ମଙ୍କ ଠାରୁ ବେଦ ସୃଷ୍ଟି ହୋଇଛି। ଏହି ପବିତ୍ର “କର୍ମଯୋଗ” ଈଶ୍ବରଙ୍କ ସହିତ ସମାନ। ନିଷ୍କାମକର୍ମ ସମ୍ପାଦନ କରି ସମାଜର ସେବା କରିବା ଈଶ୍ୱରଙ୍କ ସେବା କରିବା ସହିତ ସମାନ।
ପରମାତ୍ମାଙ୍କ ଅବତାର ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ସେ ନିଜେ ଈଶ୍ବର ହେଲେ ମଧ୍ୟ ଏବଂ ତାଙ୍କର କର୍ମକରିବା ଆବଶ୍ୟକ ନଥିଲେ ମଧ୍ୟ ସେ ଅବିରତ କର୍ମରତ;ସେ କର୍ମ ନକଲେ ସୃଷ୍ଟି ଧ୍ବଂସପାଇଯିବ,ଅକର୍ମା ବର୍ଣ୍ଣସଙ୍କର ମାନଙ୍କର ବିତ୍ପାତ ଘଟିବ।
ସଂସାରରେ ଶ୍ରେଷ୍ଠ ମନୁଷ୍ୟମାନେ ଯେପରି ଆଚରଣ କରନ୍ତି ସାଧାରଣ ମନୁଷ୍ୟ ସେମାନଙ୍କୁ ଅନୁସରଣ କରନ୍ତି।ଅର୍ଜୁନ ଯେହେତୁ ଜଣେ ଶ୍ରେଷ୍ଠମନୁଷ୍ୟ ଭାବରେ ପରିଗଣିତ ସେ ନିଜକୁ କର୍ମଯୋଗରେ ନିୟୋଜିତ କରି ନିଷ୍କାମ କର୍ତ୍ତବ୍ୟକର୍ମ ସାଧନକରି ଅନ୍ୟମାନଙ୍କ ଆଗରେ ଉଦାହରଣ ହେବା ଆବଶ୍ୟକ।

କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *