ଗୀତାଜ୍ଞାନ(୧୬)

ଗୀତା ଜ୍ଞାନ (୧୬)
=============================
ଶ୍ରୀମଦ୍ଭଗବଦ୍ ଗୀତା
ଚତୁର୍ଥ ଅଧ୍ୟାୟ
ଜ୍ଞାନକର୍ମସନ୍ୟାସଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୧ ରୁ ୧୦
==============================
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ
==============================
ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ମୋ ବାଣୀ ବୀର ଅର୍ଜୁନ,
ମୋଠାରୁ ପ୍ରଥମେ ଶିଖିଲେ ‘କର୍ମଯୋଗ’ ତପନ। #
ସୂର୍ଯ୍ୟ ନିଜ ପୁତ୍ର ମନୁଙ୍କୁ ତାହା ଥିଲେ ଶିଖାଇ,
ମନୁ ସ୍ବପୁତ୍ର ଇକ୍ଷାକୁଙ୍କୁ ଥିଲେ ସେ ତତ୍ତ୍ବ ଦେଇ।

ହେ ଶତ୍ରୁ ତାପନ ! ଏଭଳି ପରମ୍ପରାର କ୍ରମେ, ##
ଅଭିନ୍ନ ଭାଗ ସେ ହୋଇଲା ରାଜର୍ଷିଙ୍କ ଜୀବନେ।
କାଳକ୍ରମେ ଦୀର୍ଘ ସମୟ ହେଉଁ ଅତିବାହିତ,
ସେହି କର୍ମଯୋଗ ମନୁଷ୍ୟ-ଲୋକେ ହୋଇଲା ଲୁପ୍ତ।
ତୁମ୍ଭେ ପ୍ରିୟ ଭକ୍ତ ମୋ ମିତ୍ର ସେଥିପାଇଁ ଅର୍ଜୁନ,
ଏହି କର୍ମଯୋଗ ରହସ୍ୟ କଲି ମୁଁ ଉନ୍ମୋଚନ।

କହିଲେ ଅର୍ଜୁନ କିପରି ବୁଝିବି ଏହି କଥା ?
କଳ୍ପ ଆରମ୍ଭରୁ ଅଛନ୍ତି ପରା ସୂର୍ଯ୍ୟ ଦେବତା। *
ଆପଣ ତ ଏବେ ଜନମ ହୋଇଛନ୍ତି ଗୋସାଇଁ,
ସୂର୍ଯ୍ୟଙ୍କୁ କିପରି ଏ ‘କର୍ମଯୋଗ’ ଥିଲେ ଶିଖାଇ ?

ବୋଲନ୍ତି ଶ୍ରୀକୃଷ୍ଣ ହେ ବୀର ! ତୁମ୍ଭେ ନଥିବ ଜାଣି,
କଳ୍ପାରମ୍ଭୁ କେତେ ଜନମ ତୋ ସଙ୍ଗେ ବିତିଲାଣି ।
ନାହିଁ ଜନ୍ମମୃତ୍ୟୁ ମୋର, ମୁଁ ଅବିନାଶୀ ଈଶ୍ୱର,
ପ୍ରକୃତି କରି ନିୟନ୍ତ୍ରଣ ମୁହିଁ ହୁଏ ସାକାର। **

ଧର୍ମ ହୋଇଲେ କଳୁଷିତ, ବୃଦ୍ଧି ହେଲେ ଅଧର୍ମ,
ଧର୍ମ ସଂସ୍ଥାପନା ନିମନ୍ତେ ହୁଏ ମୁଁ କାୟାବାନ।
ସାଧୁ ପରିତ୍ରାଣ ପାପୀଙ୍କ ନାଶ ପାଇଁ ଧରାରେ,
ଆଗମନ ହୁଏ ମୋହର ଭାରା ନିବାରଣରେ।

ଶୁଣ ପାର୍ଥ ମୋର ଜନମ, କର୍ମ ଦିବ୍ୟ ପବିତ୍ର,
ଜାଣିଲେ ସେ ତତ୍ତ୍ବ ମୋ ଦେହେ ଜ୍ଞାନୀ ହୁଏ ବିଲୁପ୍ତ।
ମୁଁ ଅବିନାଶୀ ସର୍ବ ଭୂତ ପରମ ଗତି ମୁହିଁ,
ଜାଣିଲେ ସେ ତତ୍ତ୍ୱ ପ୍ରାଣୀ ଯେ ପୁନର୍ଜନ୍ମୁ ତରଇ।

ଆସକ୍ତି,ଭୟ,କ୍ରୋଧ ତେଜି କିଛି ବ୍ୟକ୍ତି ପୂରୁବେ,
କରିଥିଲେ ମୋତେ ଆଶ୍ରୟ ଜ୍ଞାନତପେ ସରବେ।
ଲଭିଛନ୍ତି ମୋର ସ୍ଵରୂପ ପ୍ରେମ ଭକ୍ତିରେ ମଜ୍ଜି,
ମୋକ୍ଷ ପାଇଛନ୍ତି ସଂସାରୁ ପରମାତ୍ମାଙ୍କୁ ହେଜି।

ଯେଉଁ ପ୍ରକାରେ ଭକ୍ତଗଣ କରିଥାନ୍ତି ଭଜନ,
ସେହି ପ୍ରକାରେ ମୁଁ ଭକ୍ତଙ୍କୁ କରେ ଅନୁସରଣ।
ଭକତଙ୍କ ମୁହିଁ ଜୀବନ ଭକ୍ତ ଜୀବନ ମୋର ,
ଅନୁସରନ୍ତି ଯେ ସର୍ବୋତ୍ତ ଭାବେ ପରମାତ୍ମାର।
==================================
# ତପନ.. ସୂର୍ଯ୍ୟ
## ଶତ୍ରୁତାପନ..ଶତ୍ରୁଙ୍କୁ ଭୟପ୍ରଦାନକାରୀ
*କଳ୍ପ ଆରମ୍ଭରୁ… ସୃଷ୍ଟି ଆରମ୍ଭରୁ
**ପ୍ରକୃତି ନିୟନ୍ତ୍ରଣ କରିବା… ନିରାକାର ସର୍ବବ୍ୟାପ୍ତ ପରମାତ୍ମା ପ୍ରକୃତିକୁ(nature)ନିୟନ୍ତ୍ରଣ କରି,ପଞ୍ଚମହାଭୂତରେ ଗଢା ଶରୀର ହୋଇ,ଦୁଷ୍କୃତି ବିନାଶ ପାଇଁ ଶ୍ରୀକୃଷ୍ଣଙ୍କ ରୂପରେ ଅବତାର ନେଇଛନ୍ତି।
===================================
ଅନ୍ତଃଦୃଷ୍ଟି
===================================
‘କର୍ମଯୋଗ’ ସାଧାରଣ ବ୍ୟକ୍ତି ମାନଙ୍କର ଦୈନନ୍ଦିନ କର୍ମ ସହିତ ସମାନ ନୁହେଁ। ‘କର୍ମଯୋଗ’ ଏକ ତପସ୍ୟା।କାମନା ବାସନା ତ୍ୟାଗକରି, ସାଂସାରିକ ମୋହ ଛାଡି,ସମାଜର ମଙ୍ଗଳପାଇଁ ବିଧି ନିର୍ଦ୍ଦେଶିତ କର୍ତ୍ତବ୍ୟ-କର୍ମ କରିବା କେବଳ ସ୍ଥିତପ୍ରଜ୍ଞ ଜ୍ଞାନୀମାନଙ୍କ ପକ୍ଷରେ ସମ୍ଭବ। ଏହି କର୍ମଯୋଗ ମହାଭାରତ କାଳରେ ମଧ୍ୟ ପ୍ରଚଳିତ ନଥିଲା। ସମସ୍ତେ ଭୁଲିଯାଇଥିଲେ। ଧର୍ମ ସ୍ଥାପନା ଉଦ୍ଦେଶ୍ୟରେ ଅବତାର ନେଇଥିବା ଶ୍ରୀକୃଷ୍ଣ ସେହି କର୍ମଯୋଗର ପୁନରୁତ୍ଥାନ କରି ଅର୍ଜୁନଙ୍କ ଭଳି କର୍ମଯୋଗୀଙ୍କ ମାଧ୍ଯମରେ ଏକ ନୂତନ “ଧର୍ମ”ଆକାରରେ ପ୍ରଚଳିତ କରିବାକୁ ଚାହୁଁଥିଲେ।

ସେ ନିଜେ କିଛି କରନ୍ତି ନାହିଁ; ଯୁଗେ ଯୁଗେ ଭକ୍ତମାନଙ୍କ ଦ୍ଵାରା କରାଇଥାନ୍ତି।ଯୁଗେ ଯୁଗେ ଅର୍ଜୁନ ତାଙ୍କ ସହିତ ଧର୍ମ ସଂସ୍ଥାପନା କାର୍ଯ୍ୟରେ ସହଯୋଗ କରିଛନ୍ତି; କିନ୍ତୁ ତାହା ତାଙ୍କର ବିସ୍ମୃତ ହୋଇଯାଇଛି। ଶ୍ରୀକୃଷ୍ଣ ଯେ ସ୍ବୟଂ ନାରାୟଣଙ୍କ ଅବତାର ସେକଥା ଅର୍ଜୁନ ଜାଣିପାରି ନାହାଁନ୍ତି। ଅର୍ଜୁନଙ୍କ ମନରେ ବିଶ୍ବାସ ସୃଷ୍ଟି କରିବା ପାଇଁ ଶ୍ରୀକୃଷ୍ଣ କହିଛନ୍ତି:- ଅର୍ଜୁନ ! ଏହି କର୍ମଯୋଗ ମୁଁ ପ୍ରଥମେ ସୂର୍ଯ୍ୟଙ୍କୁ ଶିକ୍ଷା ଦେଇଥିଲି।ସୂର୍ଯ୍ୟ ତାଙ୍କ ପୁତ୍ର ମନୁଙ୍କୁ ଏବଂ ମନୁ ତାଙ୍କ ପୁତ୍ର ଇକ୍ଷାକୁଙ୍କୁ ଏହା ଶିଖାଇଥିଲେ।କାଳକ୍ରମେ ଏହି କର୍ମଯୋଗ ରାଜର୍ଷି ମାନଙ୍କ ଶାସନର ଅଭିନ୍ନ ଅଙ୍ଗ ହୋଇଗଲା। କିନ୍ତୁ କାଳକ୍ରମେ ସଂସାରରେ ସମସ୍ତେ ଏହି ଅବିନାଶୀ କର୍ମଯୋଗ ତତ୍ତ୍ବକୁ ଭୁଲିଗଲେ।

ଶ୍ରୀକୃଷ୍ଣଙ୍କଠାରୁ ଅର୍ଜୁନ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କହିଛନ୍ତି…ଏହା କିପରି ସମ୍ଭବ କେଶବ?ସୂର୍ଯ୍ୟ ଦେବତା କଳ୍ପ ଆରମ୍ଭରୁ ରହିଛନ୍ତି, କିନ୍ତୁ ଆପଣ ତ ଏବେ କିଛି ବର୍ଷ ଆଗରୁ ଜନ୍ମଗ୍ରହଣ କରିଛନ୍ତି।ଆପଣ କିପରି ସୂର୍ଯ୍ୟଦେବଙ୍କୁ କର୍ମଯୋଗ ଶିକ୍ଷାଦେଲେ !

ପ୍ରିୟ ଭକ୍ତର ବିସ୍ମୃତ ଅବସ୍ଥା ଦେଖି ତାଙ୍କର ଭ୍ରମ ଦୂର କରିବା ପାଇଁ ଶ୍ରୀକୃଷ୍ଣ କହିଛନ୍ତି..ହେ ଶତ୍ରୁତାପନ ଭରତବଂଶୀ ଅର୍ଜୁନ ! ମୋର ଜନ୍ମ ଓ କର୍ମ ଅତି ପୁରାତନ।ତୁମେ ହୁଏତ ଜାଣି ପାରୁନାହଁ, କିନ୍ତୁ ତୁମ ସହିତ ଏଭଳି କେତେ ଜନ୍ମ ବିତିଗଲାଣି। ମୁଁ ସମସ୍ତ ପ୍ରାଣୀଙ୍କ ଈଶ୍ବର; ମୁଁ ଅଜନ୍ମା, ଅବିନାଶୀ,ଅକ୍ଷର, ଅଦୃଶ୍ୟ। ତାହା ହେଲେ ମଧ୍ୟ ପ୍ରକୃତିକୁ ନିୟନ୍ତ୍ରଣ କରି ମୁଁ ସାକାର ହୋଇଥାଏ।ଯେବେ ପୃଥିବୀରେ ଧର୍ମର କ୍ଷୟ ହୁଏ ତଥା ଅଧର୍ମର ଉତ୍ଥାନ ହୁଏ, ସେ ସମୟରେ ଧର୍ମସ୍ଥାପନା ପାଇଁ ମୁଁ ସାକାର ଶରୀରରେ ଅବତୀର୍ଣ୍ଣ ହୁଏ।ହେ ଅର୍ଜୁନ ! ମୋର ଜନ୍ମ ଓ କର୍ମ ଦିବ୍ୟ ଓ ଅଲୌକିକ ବୋଲି ଯେଉଁମାନେ ତତ୍ତ୍ବତଃ ଜାଣନ୍ତି ସେମାନେ ମୋ ଶରଣ ଯାଇ ଅଳିକ ସଂସାରରେ ଆଉ ପୁନର୍ଜନ୍ମ ପାଆନ୍ତି ନାହିଁ। ମୁଁ ଭକ୍ତର ଏବଂ ଭକ୍ତ ମୋର।ମୋଠାରେ ସବୁ କର୍ମ ସମର୍ପଣ କରିଦେଇ ଭକ୍ତ ମୋକ୍ଷ ଲାଭ କରେ।
ଭକ୍ତ ଓ ଭଗବାନଙ୍କର ଏହି ସମ୍ପର୍କ ବର୍ଣ୍ଣନା କରି ଶ୍ରୀକୃଷ୍ଣ ଅର୍ଜୁନଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ଯେ ଏହି ଭୟଙ୍କର ଯୁଦ୍ଧରେ ନିଜର କର୍ତ୍ତବ୍ୟକର୍ମ ସମ୍ପାଦନ କରି ତାର ଫଳାଫଳ ପରମାତ୍ମାଙ୍କ ଉପରେ ଛାଡିଦେଲେ ମନର ପରିବେଦନା ଦୂର ହୋଇଯିବ ଏବଂ ମୋକ୍ଷ ପ୍ରାପ୍ତି ହେବ।
===================================
କ୍ରମଶଃ……..
(କୁଳମଣି ଷଡଙ୍ଗୀ)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *