ଗୀତାଜ୍ଞାନ(୨)
ଗୀତା ଜ୍ଞାନ (୨)
=============
ଶ୍ରୀମଦ୍ଭଗବଦ୍ଗୀତା
ପ୍ରଥମ ଅଧ୍ୟାୟ
ଅର୍ଜ୍ଜୁନ ବିଷାଦ ଯୋଗ
(ଭାବାନୁବାଦ)
ଶ୍ଳୋକ ସଂଖ୍ୟା ୭ ରୁ ୧୪
===================================
ସଞ୍ଜୟ ଦିବ୍ୟଦୃଷ୍ଟି ବଳରେ କୁରୁକ୍ଷେତ୍ର ରଣ ପ୍ରାଙ୍ଗଣରେ ଘଟୁଥିବା ଘଟଣା ବର୍ଣ୍ଣନା କରି ଧୃତରାଷ୍ଟ୍ରଙ୍କୁ କହୁଛନ୍ତି..ହେ ରାଜନ୍! ଆପଣଙ୍କ ପୁତ୍ର ଦୁର୍ଯ୍ୟୋଧନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦୃଷ୍ଟି ରଣଭୂମିକୁ ଆକର୍ଷିତ କରି କହୁଛନ୍ତି……
——————————————————————–
ଆହେ ଦ୍ବିଜଶ୍ରେଷ୍ଠ ! ମୋ ପକ୍ଷେ ବରିଷ୍ଠ
ଅଛନ୍ତି ଅନେକ ବୀର,
ଅଛନ୍ତି ଆପଣ,ପିତାମହ ଭୀଷ୍ମ,
କର୍ଣ୍ଣ ଅଙ୍ଗ-ନରବର।
ସଂଗ୍ରାମ ବିଜୟୀ କୃପାଚାର୍ଯ୍ୟ ପୁଣି
ମହାବୀର ଅଶ୍ବତ୍ଥାମା,
ଧର୍ମାତ୍ମା ବିକର୍ଣ୍ଣ ସୋମଦତ୍ତପୁତ୍ର
ଭୂରିଶ୍ରବା ମହାତମା।
ଏହାଙ୍କ ବ୍ୟତୀତ ଅସ୍ତ୍ରରେ ସଜ୍ଜିତ
ହୋଇ ବହୁ ଶୂରବୀର,
ମୋ ପାଇଁ ଜୀବନ କରିବେ ତର୍ପଣ
ଅଛନ୍ତି ସର୍ବେ ତତ୍ପର।
ଅପର୍ଯ୍ୟାପ୍ତ ପୁଣି କୌରବ ବାହିନୀ
ରକ୍ଷକ ଗଙ୍ଗାନନ୍ଦନ,
ଭୀମ ଭରସାରେ ପର୍ଯ୍ୟାପ୍ତ ଏଠାରେ
ପାଣ୍ଡବ ପକ୍ଷ ସଇନ।
ଆମ୍ଭ ସେନାପତି ଭୀଷ୍ମ ମହାମତି
କୌରବଙ୍କ କର୍ଣ୍ଣଧାର,
ରହି ବ୍ୟୁହ ଦ୍ବାରେ ଆହେ ମହାବୀରେ
ତାଙ୍କର ରକ୍ଷଣ କର।
ଶଙ୍ଖ ବଜାଇଣ ଗଙ୍ଗାଙ୍କ ନନ୍ଦନ
କଲେ ଘୋର ସିଂହ ନାଦ,
ଦୁର୍ଯ୍ୟୋଧନ ହୃଦ ହୋଇଲା କୁମୁଦ
ଶୁଣି ସେ ଭୀମ ଶବଦ।
ଭେରୀ,ଢୋଲ, ଶଙ୍ଖ ମୃଦଙ୍ଗ ନାଦରେ
କମ୍ପିଉଠେ ରଣାଙ୍ଗନ,
ଭୀଷଣ ଶବଦେ ପ୍ରକମ୍ପେ ନିନାଦେ
କୁରୁକ୍ଷେତ୍ରର ଗଗନ।
ଏ ସମୟେ ଶ୍ବେତ ଅଶ୍ବଯୁକ୍ତ ରଥେ
ଉଡାଇ ବାନର ନେତ,
ପାଞ୍ଚଜନ୍ୟ ଶଙ୍ଖ ବଜାଇ କେଶବ
ପାର୍ଥସହ ଉପଗତ।
(ଶ୍ଳୋକ ସଂଖ୍ୟା ୭ ରୁ ୧୪)
===================================
ଅନ୍ତଃଦୃଷ୍ଟି
===================================
ସମାଜର ଏକ ଦ୍ବିଧାଗ୍ରସ୍ଥ ମନୁଷ୍ୟର ଦର୍ଶନ ଦୁର୍ଯ୍ୟୋଧନଙ୍କ ଚରିତ୍ରରୁ ମିଳେ।ପ୍ରଥମେ ପାଣ୍ଡବ ପକ୍ଷର ବୀରମାନଙ୍କୁ ଦେଖି ସେ ଭୟଭୀତ ଜଣା ପଡ଼ୁଛନ୍ତି। ପାଣ୍ଡବମାନେ ଭୀଷ୍ମ ଏବଂ ଦ୍ରୋଣଙ୍କଭଳି ମହାନ୍ ରଥିମାନଙ୍କର ପ୍ରିୟପାତ୍ର ହୋଇଥିବାରୁ ଯୁଦ୍ଧରେ ନିଜପକ୍ଷର ଏହି ବୀରମାନଙ୍କର ପ୍ରତିବଦ୍ଧତା ଉପରେ ଦୁର୍ଯ୍ୟୋଧନ ସନ୍ଦେହ ପୋଷଣ କରିଛନ୍ତି।ଭୀମଙ୍କ ପରାକ୍ରମକୁ ତାଙ୍କର ଭୀଷଣ ଭୟ।ତାଙ୍କ ବିଚାରରେ ଭୀମ ହିଁ ପାଣ୍ଡବ ବାହିନୀର ରକ୍ଷା କବଚ। କିନ୍ତୁ ଏହି ଡର ଭିତରେ ତାଙ୍କୁ ଏକ ଶାନ୍ତ୍ବନା ମିଳିଛି ଯେ ତାଙ୍କ ଏଗାର ଅକ୍ଷୈ।ହିଣୀ ସୈନ୍ୟ ତୁଳନାରେ ପାଣ୍ଡବଙ୍କ ପକ୍ଷରେ ପର୍ଯ୍ୟାପ୍ତ ସାତ ଅକ୍ଷୈ।ହିଣୀ ସୈନ୍ୟ ହିଁ ରହିଛନ୍ତି।ତା’ଛଡା ଭୀଷ୍ମ, ଦ୍ରୋଣାଚାର୍ଯ୍ୟ,କର୍ଣ୍ଣ,କୃପାଚାର୍ଯ୍ୟ,ଭୂରିଶ୍ରବା ଏବଂ ଅଶ୍ବତ୍ଥାମା ଭଳି ବୀର ମଧ୍ୟ ତାଙ୍କ ପକ୍ଷରେ ରହିଛନ୍ତି।
ସେନାପତି ସୈନ୍ୟବାହିନୀର କେନ୍ଦ୍ରବିନ୍ଦୁ। ସେନାପତିଙ୍କ ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରୁଥିବା ରାଜା ଯୁଦ୍ଧରେ ଜୟଯୁକ୍ତ ହେବା ସମ୍ଭବ ନୁହେଁ। ଏଠାରେ ସେନାପତି ଭୀଷ୍ମଙ୍କ ପାରଦର୍ଶିତା ଉପରେ ପ୍ରଶ୍ନ ଉଠିଛି ଦୁର୍ଯ୍ୟୋଧନଙ୍କ ମନରେ। ସେଥିପାଇଁ ସେ ପିତାମହଙ୍କୁ ସବୁ ଦିଗରୁ ରକ୍ଷା କରିବାପାଇଁ ନିଜ ବୀରମାନଙ୍କୁ ଆହ୍ବାନ ଦେଇଛନ୍ତି।
ଦୁର୍ଯ୍ୟୋଧନଙ୍କର ଏହି ମାନସିକ ଦ୍ବନ୍ଦ ପିତାମହ ଭୀଷ୍ମ ଜାଣିପାରିଛନ୍ତି।ତେଣୁ ସେ ଶଙ୍ଖ ବଜାଇ ସିଂହନାଦ କରି କୁରୁଯୁବରାଜଙ୍କ ମନକୁ ପ୍ରଫୁଲ୍ଲିତ କରିବାକୁ ପ୍ରୟାସ କରିଛନ୍ତି। ଶ୍ରୀମଦ୍ଭଗବଦ୍ଗୀତାର ଏହି ଶ୍ଲୋକ ମାଧ୍ୟମରେ ଗ୍ରନ୍ଥକାର ଦୁର୍ଯ୍ୟୋଧନଙ୍କ ଭଳି ଈର୍ଷାଳୁ,ଅଭିମାନୀ ଏବଂ ସନ୍ଦେହୀ ଚରିତ୍ରର ମନସ୍ତତ୍ତ୍ୱ ଉପରେ ସ୍ବଳ୍ପ ଆଲୋକପାତ କରିଛନ୍ତି।
ଗ୍ରନ୍ଥକାର ଚତୁର୍ଦ୍ଦଶ ଶ୍ଳୋକରେ ପାର୍ଥସାରଥୀ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧକ୍ଷେତ୍ରରେ ପ୍ରବେଶ କରାଇଛନ୍ତି। ଏହି ଧର୍ମଯୁଦ୍ଧର ମହାନାୟକ ଶ୍ରୀକୃଷ୍ଣଙ୍କ ରଥ, ଅଶ୍ଵ ଏବଂ ଶଙ୍ଖର ବର୍ଣ୍ଣନା ତାଙ୍କ ମହାନ ଚରିତ୍ରର ଅନୁରୂପ ହୋଇଛି।ଶ୍ବେତ ଅଶ୍ବଯୁକ୍ତ ଦିବ୍ୟରଥ କପିଧ୍ବଜରେ ଆରୋହଣ କରି ଅର୍ଜୁନଙ୍କ ସାରଥୀ ଯୁଦ୍ଧକ୍ଷେତ୍ରରେ ପହଞ୍ଚିଛନ୍ତି।ପାଞ୍ଚଜନ୍ୟ ଶଙ୍ଖ ବାଦନ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି; ଏହି ଶଙ୍ଖର ଧ୍ବନି ସ୍ବତନ୍ତ୍ର।
କ୍ରମଶଃ……