Tuesday, April 23, 2024
Devotional Poems

ଗୀତାଜ୍ଞାନ(୩୩)

  1. ଗୀତା ଜ୍ଞାନ (୩୩)
    ============
    ଶ୍ରୀମଦ୍ଭଗବଦ୍ ଗୀତା
    ନବମ ଅଧ୍ୟାୟ
    ରାଜବିଦ୍ୟାରାଜଗୁହ୍ୟଯୋଗ
    ଭାବାନୁବାଦ
    ଶ୍ଳୋକ ସଂଖ୍ୟା ୧ ରୁ ୧୦
    ================================
    ସୃଷ୍ଟିର ପ୍ରଳୟ ଓ ପ୍ରଭବ ସମୟରେ ଜୀବର ଅବସ୍ଥା
    ================================
    ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି…..ଦୋଷଶୂନ୍ୟ ସରଳ ମନ ଯେଣୁ ତୁମ୍ଭର ପାର୍ଥ,
    ତେଣୁ ଜଣାଉଛି ତୁମ୍ଭକୁ ଏହି ନିଗୂଢ ତଥ୍ୟ,
    ଗୋପନୀୟ ଜ୍ଞାନ ବିଜ୍ଞାନ,#
    କହୁଛି ବୁଝାଇ ଅର୍ଜୁନ,
    ଶୁଣି ଦୁଃଖ ପୂର୍ଣ୍ଣ ସଂସାରୁ ତୁମେ ପାଇବ ମୁକ୍ତି,
    ଜନମ ମରଣ ବନ୍ଧନ କାଟି ଲଭିବ ଶାନ୍ତି।

    ସବୁ ବିଦ୍ୟାଙ୍କର ରାଜା ଏ ଗୋପନୀୟ ପବିତ୍ର,##
    ଅତି ଉତ୍ତମ, ଧର୍ମମୟ ଅବିନାଶୀ ସତତ,
    ପ୍ରତ୍ୟକ୍ଷ ଫଳ ଦାନକରେ,
    ସହଜ ପୁଣି ସାଧନାରେ ,
    ତରିଯାଏ ପ୍ରାଣୀ ସଂସାରେ ଏହି ଧର୍ମ କାରଣେ,
    ନରଖିଲେ ଶ୍ରଦ୍ଧା ପଡଇ ଜନ୍ମ-ମୃତ୍ୟୁ ବନ୍ଧନେ।###

    ସମଗ୍ର ବିଶ୍ବରେ ବ୍ୟାପିଛି ମୋ ରୂପ ନିରାକାର,
    ସବୁ ପ୍ରାଣୀ ମୋର ଦେହରେ ରହିଛନ୍ତି ଆବର,
    ସଭିଙ୍କ ଦେହେ ସ୍ଥିତି ମୋର,
    ପାଳେ ମୁଁ ଜୀବଙ୍କୁ ସକଳ,
    କିନ୍ତୁ ହେ ଅର୍ଜୁନ ମୋ ଗୁଣ ମୋ ସାମର୍ଥ୍ୟ ଆବର,
    ସେମାନଙ୍କ ଠାରେ ମିଳଇ ନାହିଁ ହେ ଧନୁର୍ଦ୍ଧର। *

    ସବୁ ପ୍ରାଣୀଙ୍କର ଅଟଇ ମୁହିଁ ଜନମ ଦାତା,
    ପାଳନ କର୍ତ୍ତା ମୁଁ ସଭିଙ୍କ ପୁଣି ହର୍ତ୍ତା ବିଧାତା,
    ଈଶ୍ବରୀୟ ଶକ୍ତି ମୋହର,
    ଦେଖ ପାର୍ଥ କେଉଁ ପ୍ରକାର,
    ଜୀବଙ୍କ ପରିଚୟ ଠାରୁ ଅଟେ ସ୍ଵତନ୍ତ୍ର ମୁହିଁ,
    ସେମାନଙ୍କ ମଧ୍ୟେ ଥାଇ ବି ପୁଣି ନଥାଏ କାହିଁ। *

    ଆକାଶରୁ ହୋଇ ଉତ୍ପନ୍ନ ମହାବାୟୁ ଯେପରି,
    ସର୍ବତ୍ର କରେ ବିଚରଣ, ପ୍ରାଣୀ ଗଣ ସେପରି,
    ମୋର ସଙ୍କଳ୍ପରୁ ଜନ୍ମନ୍ତି,
    ମୋ ସୃଷ୍ଟ ଜଗତେ ଭ୍ରମନ୍ତି,
    ବାୟୁ ଯେଉଁ ପରି ସର୍ବଦା ଆକାଶେ ପରିବ୍ୟାପ୍ତ,
    ମୋଠାରେ ସେପରି ଜଡିତ ଏହି ସାରା ଜଗତ।

    ହେ ଅର୍ଜୁନ ! କଳ୍ପ ଶେଷରେ ସକଳ ଭୂତଗଣ,**
    ମୋର ପ୍ରକୃତିରେ ହୁଅନ୍ତି ଅବଶେଷେ ବିଲୀନ,
    ନୂତନ କଳ୍ପ ଆରମ୍ଭରେ,
    ସୃଷ୍ଟିର ସର୍ଜନା ମୁଁ କରେ,
    ଏହି ମହାସର୍ଗ ସମୟେ କର୍ମ ଫଳ ପ୍ରକାରେ ***
    ପ୍ରାଣୀଏ ଲଭନ୍ତି ଜନମ ନୂତନ ସଂସାରରେ।

    ପ୍ରକୃତି ବଶରେ ପ୍ରାଣୀଏ ପରାଧୀନ ଥାଆନ୍ତି ,
    କର୍ମ ଅନୁଯାୟୀ ଫଳର ଅପେକ୍ଷାରେ ରହନ୍ତି
    ନିଜ ପ୍ରକୃତି ଅଧୀନକୁ,
    ଆଣି ମୁଁ ସେ ସବୁ ପ୍ରାଣୀଙ୍କୁ,
    ବାରମ୍ବାର କଳ୍ପ ଆରମ୍ଭେ ତାଙ୍କୁ ସୃଷ୍ଟି କରଇ,
    ଯେଉଁମାନେ ମୋକ୍ଷ ଲଭନ୍ତି ମର୍ତ୍ତେ ଆସନ୍ତି ନାହିଁ।

    ସୃଷ୍ଟି ରଚନାରେ ଆସକ୍ତି-ହୀନ ମୁଁ କୁନ୍ତୀ ସୁତ !
    ଉଦାସୀନ ଏହି କର୍ମରେ ରହିଥାଏ ସତତ,
    ମୋତେ ସେହି କର୍ମ-ବନ୍ଧନ,
    ବାନ୍ଧି ନପାରଇ ଅର୍ଜୁନ,
    ହର୍ଷିତ ନହୁଏ କଦାପି ହେଲେ ଜଗତ ସୃଷ୍ଟ,
    ବିଷଣ୍ଣ ନୁହଇ ପ୍ରଳୟ କାଳେ ହେଲେ ତା ନଷ୍ଟ।

    ମୋ ଅଧ୍ୟକ୍ଷତାରେ ସମଗ୍ର ଚରାଚର ଜଗତ,
    ପ୍ରକୃତି କରଇ ସର୍ଜନା ଜାଣିଥାଅ ତୁ ପାର୍ଥ,
    ସେହି କାରଣରୁ ସୃଷ୍ଟିରେ,
    ବିବର୍ତ୍ତନ ନାନା ପ୍ରକାରେ,
    ହେଉଥାଏ, ତାର କର୍ତ୍ତୃତ୍ବ ଥାଏ ମୋର ହାତରେ,
    ମୋର ଇଚ୍ଛା ବିନା ନଘଟେ କିଛି ଏହି ସଂସାରେ।
    ===============================
    ଟୀକା
    ===========
    # ଗୋପନୀୟ ଜ୍ଞାନ ବିଜ୍ଞାନ… ଏହି ବିଦ୍ୟା ରହସ୍ୟମୟ ଏବଂ ଜ୍ଞାନ ଏବଂ ବିଶେଷ ଜ୍ଞାନରେ ପରିପୂର୍ଣ୍ଣ।
    ## ସବୁ ବିଦ୍ୟାଙ୍କର ରାଜା…ଯେତେ ସବୁ ବିଦ୍ୟା ଅଛନ୍ତି ଏହା ସମସ୍ତଙ୍କ ଭିତରେ ଶ୍ରେଷ୍ଠ;ଏହା ଜାଣିବା ପରେ ଆଉ କିଛି ବାକି ରହିବ ନାହିଁ।
    ### ଏହି ଜ୍ଞାନ ପବିତ୍ର , ଧର୍ମମୟ ଓ ଶାଶ୍ଵତ।ଏହା ପାଳନ କରିବାରେ ସହଜ,କାରଣ କେବଳ ପରମାତ୍ମାଙ୍କ ଶରଣ ଗଲେ ହିଁ ଏହା ଲାଭ କରାଯାଇପାରେ। ପରମାତ୍ମାଙ୍କ ସହିତ ସମ୍ପର୍କିତ ହୋଇଥିଵାରୁ ଏହା ଶାଶ୍ଵତ ବା ଚିରନ୍ତନ।
    * ମୋ ଗୁଣ ସାମର୍ଥ୍ୟ ସେମାନଙ୍କ ଠାରେ ମିଳେନାହିଁ….ସବୁ ଜୀବସତ୍ତା ପରମାତ୍ମାଙ୍କର ଅଂଶ ହେଲେ ମଧ୍ୟ ତ୍ରିଗୁଣ (ସତ୍ଵ,ରଜୋ,ତମ ) ପରବଶ ହୋଇ ସ୍ଵତନ୍ତ୍ର ଚରିତ୍ରରେ ପରିଣତ ହୁଅନ୍ତି; ତେଣୁ ଭଗବାନ ସେମାନଙ୍କ ଭିତରେ ଥାଇ ମଧ୍ୟ ନଥାନ୍ତି।
    ** କଳ୍ପ… ଚାରୋଟି ଯୁଗ ମିଶି ଗୋଟିଏ ଚତୁର୍ଯୁଗୀ ହୁଏ,ହଜାର ଚତୁର୍ଯୁଗୀରେ ବ୍ରହ୍ମାଙ୍କର ଗୋଟିଏ ଦିନ ହୁଏ। ହଜାର ଚତୁର୍ଯୁଗୀରେ ବ୍ରହ୍ମାଙ୍କର ଗୋଟିଏ ରାତି ହୋଇଥାଏ। ଏହି ହିସାବରେ ବ୍ରହ୍ମାଙ୍କର ଆୟୁ ଶହେବର୍ଷ। ବ୍ରହ୍ମାଙ୍କର ଗୋଟିଏ ଦିନ ବା ୧୨ ବ୍ରହ୍ମଘଣ୍ଟା ବା ହଜାର ଚତୁର୍ଯୁଗୀ)କୁ ଗୋଟିଏ କଳ୍ପ କୁହାଯାଏ। ବ୍ରହ୍ମାଙ୍କର ଗୋଟିଏ ଦିନ ଶେଷରେ ଗୋଟିଏ କଳ୍ପର ଶେଷ ହୁଏ ବା ପ୍ରଳୟ ହୁଏ।ତାପରେ ବ୍ରହ୍ମାଙ୍କର ଗୋଟିଏ ରାତ୍ରି ପରେ ପ୍ରଭବ ବା ସୃଷ୍ଟି ରଚନା କରନ୍ତି ପରମାତ୍ମା ।
    ଭୂତଗଣ … ପ୍ରାଣୀଗଣ
    *** ମହାସର୍ଗ…ପ୍ରଳୟ।
    ================================
    ଅନ୍ତଃଦୃଷ୍ଟି
    ==============
    ଏହି ରହସ୍ୟମୟ ରାଜଗୁହ୍ୟ ଯୋଗ ମାଧ୍ୟମରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କଳ୍ପାନ୍ତ ପ୍ରଳୟ ଓ ପ୍ରଭବ ସମୟରେ ପ୍ରାଣୀଙ୍କ ସ୍ଥିତି ବିଷୟରେ ବୁଝାଇଛନ୍ତି। ଏହି ତତ୍ତ୍ବକୁ ସେ ବିଦ୍ୟା ମାନଙ୍କ ଭିତରେ ରାଜବିଦ୍ୟା ବୋଲି ନାମିତ କରିଛନ୍ତି।

    ଗୀତାର ପୂର୍ବ ଅଧ୍ୟାୟ ମାଧ୍ୟମରେ ଏ ପର୍ଯ୍ୟନ୍ତ ସେ କହି ଆସିଛନ୍ତି ଯେ ଆତ୍ମା ପରମାତ୍ମାଙ୍କ ଅଂଶ ବିଶେଷ। ଏଠାରେ ସେ କହିବାକୁ ଚାହିଁଛନ୍ତି ଯେ ପରମାତ୍ମାଙ୍କ ଅଂଶ ହେଲେ ମଧ୍ୟ ଆତ୍ମା ସ୍ବତଃ ପରମାତ୍ମାଙ୍କ ସହିତ ସମାନତା ପାଇନଥାଏ ।ମନ, ବୁଦ୍ଧି ଓ ଅହଂକାରର ଅଧିକାରୀ ହୋଇଥିବା ଆତ୍ମା ନିଜ କର୍ମ କରିବା ପାଇଁ ସ୍ବାଧୀନତା ପାଇଥାଏ।ମନକୁ ଶୃଙ୍ଖଳିତ ନକରି,ଇନ୍ଦ୍ରିୟ ପରବଶ ହୋଇ ସେ ଯଦି ବିକର୍ମ କଲା ତାହେଲେ ସେ ତାର ସ୍ଵତନ୍ତ୍ରତା ହରାଇବସେ।ତାର ମୋକ୍ଷ ବା ପରମାତ୍ମାଙ୍କ ସତ୍ତାରେ ବିଲୀନ ହୁଏ ନାହିଁ।କର୍ମ ଅନୁଯାୟୀ ସେ ଫଳ ପାଏ ଏବଂ ମୃତ୍ୟୁ ପରେ ଭିନ୍ନଭିନ୍ନ ଯୋନିରେ ଜନ୍ମନିଏ।

    ସୃଷ୍ଟିର ନିୟମ ଅନୁସାରେ ବ୍ରହ୍ମାଙ୍କର ଗୋଟିଏ ବ୍ରହ୍ମ-ଦିନ ପୂରଣ ପରେ ପରମାତ୍ମା ସୃଷ୍ଟିରେ ପ୍ରଳୟ ଘଟାଇଥାନ୍ତି। ଏହି ସମୟରେ ମୋକ୍ଷ ନପାଇ ଥିବା ଆତ୍ମା ମାନଙ୍କର ଅବସ୍ଥା କଣ ହୁଏ?
    ଭଗବାନ୍ କହୁଛନ୍ତି ଯେ ଏହି ପରତନ୍ତ୍ର ଆତ୍ମାମାନେ ପରମାତ୍ମାଙ୍କ ସତ୍ତାରେ ତ ରହନ୍ତି କିନ୍ତୁ ପରତନ୍ତ୍ର ଭାବରେ ରହି ପ୍ରଭବ ବା ସୃଷ୍ଟି ପାଇଁ ଅପେକ୍ଷା କରନ୍ତି।କର୍ମ ଅନୁଯାୟୀ ସେମାନେ ନୂତନ ସୃଷ୍ଟିରେ ସେମାନଙ୍କ ପୂର୍ବଜନ୍ମର ସୁକୃତ ବା ଦୁଷ୍କୃତ ସଙ୍ଗରେ ଧରି ଆସିଥାନ୍ତି। ଏହାହିଁ ପ୍ରାରବ୍ଧ। ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହି ପ୍ରାଣୀ ମାନଙ୍କର ସ୍ରଷ୍ଟା ନିଜେ ପରମାତ୍ମା ହେଲେ ମଧ୍ୟ ପରମାତ୍ମାଙ୍କ ଚରିତ୍ର ଏହି ଆତ୍ମାମାନଙ୍କଠାରୁ ସ୍ବତନ୍ତ୍ର।

    ଜନ୍ମ ଓ ମୃତ୍ୟୁ ଏବଂ ପ୍ରଳୟ ଓ ପ୍ରଭବ, ଏହି ଦୁଇ ଅବସ୍ଥା ମଝିରେ ଜୀବମାନଙ୍କର ସ୍ଥିତି କ’ଣ ଥାଏ ଗୋଟିଏ ଉଦାହରଣ ନେଇ ବୁଝିବାକୁ ଚେଷ୍ଟା କରିବା। ବର୍ଷାକାଳ ପରେ ବେଙ୍ଗ, କଇଁଛ ଏବଂ ଅନ୍ୟ କେତେକ ଜୀବ ମାଟି ଭିତରକୁ ଚାଲି ଯାଆନ୍ତି। ସେହି ଅବସ୍ଥାକୁ ଇଂରାଜୀରେ hyberanation କୁହାଯାଏ। ସେହି ଅବସ୍ଥାରେ ସେମାନେ ୩/୪ ମାସ ବିନା ଖାଦ୍ୟରେ ମାଟି ଭିତରେ ପଡି ରହିଥାନ୍ତି। ବର୍ଷାକାଳ ଆସିଲେ ପାଣି ଯେତେବେଳେ ମାଟି ଭିଜି ସେମାନଙ୍କ ଦେହକୁ ଛୁଏଁ ସେହି ଜୀବଗୁଡିକର ସ୍ନାୟୁସମୂହ ସତେଜ ହୋଇ ଉଠନ୍ତି ଏବଂ ସେମାନେ ଚଳଚଞ୍ଚଳ ହୋଇ ସ୍ଵାଭାବିକ ଜୀବନ ଜୀଅନ୍ତି।

    ଜନ୍ମ ମୃତ୍ୟୁ ଏବଂ ପ୍ରଳୟ ଓ ପ୍ରଭବ ମଝିରେ ପ୍ରାଣୀମାନେ ଏଭଳି hyberanation ଅବସ୍ଥାକୁ ଚାଲି ଯାଆନ୍ତି।ନିଜ କର୍ମଫଳକୁ ସଙ୍ଗରେ ନେଇ ନୂଆ ଜନ୍ମ ପାଇବାପରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପୂର୍ବଜନ୍ମକଥା ମନେ ପଡେନାହିଁ।ଅବଶ୍ୟ କେହି କେହି ପୂର୍ବଜନ୍ମର କଥା ମନେପକାଇବା ଉଦାହରଣ ମଧ୍ୟ ରହିଛି। ଏହି ମତ ସର୍ବସମ୍ମତ ନହେଲେ ମଧ୍ୟ ଏହା ଉପରେ ଅଧିକ ମନ୍ଥନର ଆବଶ୍ୟକତା ରହିଛି।
    ================================
    କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply