Saturday, April 20, 2024
Devotional Poems

ତୁମେ ଝରାଫୁଲ

ବିରହିଣୀ ରାଧାରାଣୀ
————————
ତୁମେ ଝରାଫୁଲ ପାହାନ୍ତି ସୁରଭି-
କାଳିରେ ଲେଖା ସଂଗୀତ,
ଅଜଣା ଝରଣା ବହିଯାଉଥିବା
ତୁମେ ନିରିଜନ ପ୍ରାନ୍ତ।।

ବିଜନ ବେଳାର ଧୂସର ଜୋଛନା
ତୁମେ ମେଘ-ଆକାଶର,
ପରିତ୍ୟକ୍ତ ଏକ ବଂଇଶୀର ତୁମେ
ଅବ୍ୟକ୍ତ କରୁଣ ସୁର।।

ତୁମେ ବିପ୍ରଲବ୍ଧା ମାନସୀ ପ୍ରିୟାର
ବେଦନାର ଝରାକଳୀ,
ସପନର ଭଙ୍ଗା ସଉଧ ଭିତରେ
ତୁମେ ଆଇନାର ଧୂଳି।।

ଶ୍ରାବଣୀ-ଆକାଶ କଳା ବାଦଲରେ
ତୁମେ ବିଜୁଳିର ହସ,
ଅନ୍ୟ କେ ନୁହଇ ତୁମେ ରାଧାରାଣୀ
କାହ୍ନା କୁଞ୍ଜବନ ରାସ ।।

Click to rate this post!
[Total: 0 Average: 0]

Leave a Reply