Thursday, March 28, 2024
Stories

ନୀଳାଚଳ ବାସୀ ଶ୍ରୀଜଗନ୍ନାଥ (୭)

ନୀଳାଚଳବାସୀ ଶ୍ରୀଜଗନ୍ନାଥ
ଭାଗ ୭
ଶ୍ରୀମନ୍ଦିରର ‘ଭଣ୍ଡଗଣେଶ’
=================================
ଶ୍ରୀମନ୍ଦିରର ପ୍ରତ୍ୟେକ କଥା ନିଆରା। ମନ୍ଦିର ବେଢ଼ାରେ ସ୍ଥାପିତ ହୋଇଥିବା ବିଭିନ୍ନ ଗଣପତିଙ୍କର ପ୍ରତିମା ମଧ୍ୟରେ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଅଟନ୍ତି “ଭଣ୍ଡଗଣେଶ”। ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ନିକଟରେ ଗୋପୀନାଥଙ୍କ ମନ୍ଦିରକୁ ଲାଗି ଭଣ୍ଡଗଣେଶଙ୍କ ମନ୍ଦିର। ଏହି ଗଣପତି ବିଭିନ୍ନ ନାମରେ ନାମିତ ଯଥା..କାଞ୍ଚିଗଣେଶ, ଉଚ୍ଛିଷ୍ଟ ଗଣେଶ,କାମଦା ଗଣେଶ, ତାନ୍ତ୍ରିକ ଗଣେଶ ଏବଂ ଭଣ୍ଡଗଣେଶ।’ବିତରଚ ମହାପାତ୍ର’ ହେଉଛନ୍ତି ଏହି ଗଣପତିଙ୍କ ସେବାୟତ।

କଳା ମୁଗୁନି ପଥରରେ ନିର୍ମିତ ଏହି ବିଶାଳ ଅନନ୍ୟ ସାଧାରଣ ମୂର୍ତ୍ତିଟିର ଉଚ୍ଚତା ପ୍ରାୟ ପାଞ୍ଚଫୁଟ। ଚତୁର୍ଭୁଜ ବିଶିଷ୍ଟ ଏହିମୂର୍ତ୍ତି ତିନି ବାହୁରେ ପାଶ ଅଙ୍କୁଶ ଆଦି ଧାରଣ କରିଛନ୍ତି।ତଳ ବାମ ହସ୍ତରେ ସିଦ୍ଧିଦେବୀଙ୍କୁ ଆଲିଙ୍ଗନ କରି କୋଳରେ ବାମ ଭାଗରେ ବସାଇଛନ୍ତି।ପଞ୍ଚମ ହସ୍ତ ଅର୍ଥାତ୍ ଶୁଣ୍ଢ ସିଦ୍ଧି ଦେବୀଙ୍କ ଯୋନି ସ୍ପର୍ଶ କରିଥିବାରୁ ଲୋକମାନେ ଏହାଙ୍କୁ ଉଚ୍ଛିଷ୍ଟ ଗଣେଶ ବା ଭଣ୍ଡଗଣେଶ ନାମରେ ଅଭିହିତ କରିଥାନ୍ତି। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ଏପରି ଗଣପତି ବିଗ୍ରହଙ୍କ ମୂର୍ତ୍ତି ପରିଦୃଷ୍ଟ ହୁଅନ୍ତିନାହିଁ। ଅନେକ ସମୟରେ ଏହି ମନ୍ଦିରର ଦ୍ଵାର ବନ୍ଦ ରହିଥାଏ। ଏହି ମୂର୍ତ୍ତି ସ୍ଥାପନା ପଛରେ ରୋଚକ ଐତିହାସିକ ଓ ପୌରାଣିକ ତଥ୍ୟ ରହିଛି।

୧୪୭୪ ମସିହାରେ ଗଜପତି ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ୟର “କାଞ୍ଚି” ରାଜ୍ୟ(ବର୍ତ୍ତମାନର କାଞ୍ଚିପୁରମ୍) ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ପୁରୁଷୋତ୍ତମଙ୍କୁ କାଞ୍ଚିରାଜା ‘ଚଣ୍ଡାଳ’ ଆଖ୍ୟା ଦେଇ ଗାଳିଦେବାରୁ ଏହି ଯୁଦ୍ଧ, ଉତ୍କଳୀୟ ପରମ୍ପରାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ସଂଘଟିତ ହୋଇଥିଲା। ସେ ସମୟରେ କାଞ୍ଚିର ରାଜା ଥିଲେ ଶାଲ୍ବ ନରସିଂହ।ତାଙ୍କର ରୂପାମ୍ବିକା ନାମ୍ନୀ ଅତି ସୁନ୍ଦର କନ୍ୟାରତ୍ନଟିଏ ଥିଲେ। ଆଗରୁ ରୂପାମ୍ବିକା ଓ ପୁରୁଷୋତ୍ତମ ପରସ୍ପରକୁ ଭଲ ପାଉଥିଲେ। ଦୁହିଁଙ୍କର ବିବାହ ପ୍ରାୟ ସ୍ଥିର ହୋଇ ଯାଇଥିଲା। କିନ୍ତୁ ରଥଯାତ୍ରା ସମୟରେ କାଞ୍ଚି ରାଜାଙ୍କ ମନ୍ତ୍ରୀ ଓ ପୁରୋହିତ ପୁରୁଷୋତ୍ତମଙ୍କୁ ଶ୍ରୀଜିଉଙ୍କ ରଥରେ ଛେରାପହଁରା କରୁଥିବା ଦେଖି, ତାହା ଘୃଣ୍ୟ ଚଣ୍ଡାଳର କର୍ମ ବୋଲି ଅଭିହିତ କରି ବିବାହ ପ୍ରସ୍ତାବ ବିରୁଦ୍ଧରେ ମତ ଦେଲେ।

ଶାଲ୍ବ ନରସିଂହ ନିଷ୍ପତ୍ତି ନେଲେ,ସେ ବରଂ କନ୍ୟାକୁ ଚଣ୍ଡାଳ ହସ୍ତରେ ବିବାହ ଦେବେ କିନ୍ତୁ ପୁରୁଷୋତ୍ତମଙ୍କୁ ନୁହେଁ।ଆଉ କଥା କ’ଣ ବାକି ରହିଲା;ଲାଗିଗଲା ଭୀଷଣ ସଂଗ୍ରାମ। ପ୍ରଥମ ଯୁଦ୍ଧରେ ପୁରୁଷୋତ୍ତମଦେବ ପରାସ୍ତ ହେଲେ।କଥିତ ଅଛି ତନ୍ତ୍ରପଦ୍ଧତିରେ ପୂଜା ପାଉଥିବା କାଞ୍ଚି ଗଣପତି ଏହି ଯୁଦ୍ଧରେ ଶାଲ୍ବ ନରସିଂହଙ୍କୁ ସହାୟତା କରୁଥିଲେ।ସିଦ୍ଧିଦେବୀଙ୍କୁ କୋଳରେ ଧରି ବସିଥିବା ଏହି ‘କାମଦା ଗଣେଶ’ସୃଷ୍ଟି କରୁଥିଲେ ଅସଂଖ୍ୟ ସୈନ୍ୟ। ସେମାନଙ୍କ ହାତରେ, ପ୍ରଥମ ଯୁଦ୍ଧରେ ଦୟନୀୟ ଭାବରେ ପରାସ୍ତ ହେଲେ ପୁରୁଷୋତ୍ତମ ଦେବଙ୍କ ଦୁର୍ଦ୍ଧାନ୍ତ ଉତ୍କଳ ବାହିନୀ।

ପୁରୁଷୋତ୍ତମ ଫେରିଆସି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଆଗରେ ସାଷ୍ଟାଂଗ ପ୍ରଣିପାତ କରି କହିଲେ..ପ୍ରଭୁ ! ଆପଣଙ୍କ ପ୍ରଥମ ସେବକଙ୍କୁ ଚଣ୍ଡାଳ ନାମରେ ନାମିତ କରିଥିବା ଶାଲ୍ୱ ନରସିଂହକୁ ବିଜୟଶ୍ରୀ ବିମଣ୍ଡିତ କରି ନିଜର ମହିମାକୁ ନିଜେ କଳଙ୍କିତ କରିଛନ୍ତି। ଦ୍ବିତୀୟଥର ପାଇଁ କାଞ୍ଚି ବିରୁଦ୍ଧରେ ମୁଁ ଯୁଦ୍ଧଯାତ୍ରା କରୁଛି। ମୋତେ ସହାୟତା କରନ୍ତୁ ପ୍ରଭୁ !ଠାକୁର ମହିମା କଳଙ୍କିତ ନହେଉ।”

ଭକ୍ତର ଡାକ ଶୁଣିଲେ ଜଗନ୍ନାଥ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀଜଗନ୍ନାଥ ଓ ବଳରାମ ଧଳା କଳା ଘୋଡା ଆରୋହଣ କରି କାଞ୍ଚି ବିରୁଦ୍ଧରେ ପୁରୁଷୋତ୍ତମଙ୍କର ସହାୟତା କରିଥିଲେ। ଯେତେବେଳେ କାଞ୍ଚିର ଗଣପତି ଯୁଦ୍ଧରେ ଜଗନ୍ନାଥଙ୍କ ଉପସ୍ଥିତି ହୃଦୟଙ୍ଗମ କଲେ,ସେ ଯୁଦ୍ଧରୁ ସ୍ବୟଂ ଓହରି ଗଲେ।ଉତ୍କଳର ବିଜୟ ହେଲା। ଜଗନ୍ନାଥଙ୍କ ଉପସ୍ଥିତି ଯୋଗୁଁ ଗଣପତି ଶକ୍ତିହୀନ ହୋଇଥିଲେ ବୋଲି କିମ୍ବଦନ୍ତୀରୁ ଜଣାଯାଏ। ପୁରୁଷୋତ୍ତମ ରୂପାମ୍ବିକା(ପଦ୍ମାବତୀଙ୍କ) ସହିତ କାଞ୍ଚି ଗଣପତି ଏବଂ ବିପୁଳ ଧନସମ୍ପଦ ସହିତ ପୁରସ୍ତମ ଫେରିଆସିଲେ। ଜୟଯାତ୍ରାରୁ ଲାଭ କରିଥିବା ସବୁକିଛି ସେ ଜଗନ୍ନାଥଙ୍କୁ ଦାନ କରିଦେଇଥିଲେ।ସେହି ସମୟରୁ କାଞ୍ଚିରୁ ଆନିତ “ତନ୍ତ୍ର ଗଣପତି” ପଶ୍ଚିମ ଦ୍ବାର ନିକଟରେ ପୂଜା ପାଉଛନ୍ତି।
“ବେଢାବୁଲା”ଗୀତ ଅନୁସାରେ…

ଭଣ୍ଡ ଗଣେଶଙ୍କୁ ମୁଣ୍ଡ ଲଗାଅରେ ଧନ,
ପାର୍ବତୀଙ୍କ ବିଭା କାଳେ ହେଲେ ଏ ବରଣ।”

“ମୁକ୍ତିଚିନ୍ତାମଣି”ରେ ଲିଖିତ ନିମ୍ନୋକ୍ତ ଶ୍ଳୋକଟି ‘ଭଣ୍ଡଗଣେଶ’ଙ୍କ ପୂଜା ପାଇଁ ଉଦ୍ଦିଷ୍ଟ…
ମହାକାୟଧରଂ ଦେବଂ ବିଘ୍ନେଶମ୍ ବିଘ୍ନନାଶକମ୍,
ପରଶୁମାଳିକାହସ୍ତମ୍ ନିଜଲିଙ୍ଗାଗ୍ରମର୍ଦ୍ଦକମ୍।
କ୍ରୋଡେ ସିଦ୍ଧି ମହାଦେବୀମାଲିଙ୍ଗ୍ୟ ବପୁରାୟତମ୍,
ଉଦଣ୍ଡ ବିଗ୍ରହମ୍ ବନ୍ଦେ ଶୁଣ୍ଢିନଂ ସିଦ୍ଧିଦାୟକମ୍।”

ଗାଣପତ୍ୟ ଧର୍ମ ଷଡସମ୍ପ୍ରଦାୟରେ ବିଭକ୍ତ ବୋଲି “ଶଙ୍କର ଦିଗ୍’ବିଜୟ”ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି; ସେଗୁଡିକ ହେଲା.. ‘ମହାଗଣପତି’,ହରିଦ୍ରାଗଣପତି, ଉଚ୍ଛିଷ୍ଟ ଗଣପତି,ନବନୀତ ଗଣପତି,ସ୍ବର୍ଣ୍ଣ ଗଣପତି ଓ ସନ୍ତାନ ଗଣପତି।ଏହା ମଧ୍ୟରୁ ଉଚ୍ଛିଷ୍ଟ ଗଣପତି ପୂଜାର ଆଧାର ତାନ୍ତ୍ରିକ ଥିଲା ଏବଂ ଶାକ୍ତପୂଜାର ବାମାଚାର (leftist)ମତ ସହିତ ସମାନ ଥିଲା।

ଓଡ଼ିଶାରେ ଗଣପତିଙ୍କ ତନ୍ତ୍ରପୂଜାର ପ୍ରଚଳନ ପ୍ରାୟ ନାହିଁ କହିଲେ ଚଳେ।ଆମେ ଗଣପତିଙ୍କୁ ଅଗ୍ରପୂଜ୍ୟ ଏବଂ ବିଦ୍ୟାଦାତା ଭାବରେ ପୂଜାର୍ଚ୍ଚନା କରୁ। ହାତରେ ଲେଖନୀ,ପୋଥି,ଅଙ୍କୁଶ ଇତ୍ୟାଦି ଧାରଣ କରିଥାନ୍ତି। ଗଣେଶ ଚତୁର୍ଥୀ ସମୟରେ ଖାଦ୍ୟପେୟରେ ଆମେ ଅନେକ କଟକଣା ମାନିଥାଉ ଏବଂ ସେ ସମୟରେ ଆମିଷ ଭକ୍ଷଣ ସମ୍ପୂର୍ଣ୍ଣ ନିଷେଧ। ତେଣୁ ଦକ୍ଷିଣ ଭାରତରେ ପ୍ରଚଳିତ ଥିବା ତନ୍ତ୍ର-ଗାଣପତ୍ୟ ପୂଜା ଆମକୁ ଅସହଜ ଲାଗିବା ସ୍ବାଭାବିକ। ସେଥିପାଇଁ ବୋଧହୁଏ ଶ୍ରୀମନ୍ଦିରର ପଶ୍ଚିମଦ୍ବାର ନିକଟରେ ଥିବା “ଭଣ୍ଡଗଣେଶ”ମନ୍ଦିର ନିକଟରେ ଭକ୍ତମାନଙ୍କ ଭିଡ଼ କମ୍ ଥାଏ ଏବଂ ମନ୍ଦିରରେ ପ୍ରାୟ ତାଲା ପଡ଼ିଥାଏ।
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply