ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୧୪)

  1. ନୀଳାଚଳଵାସୀ ଶ୍ରୀଜଗନ୍ନାଥ
    ୧୪
    =============================
    ନୀଳମାଧବଙ୍କ ଅନ୍ତର୍ଦ୍ଧାନ ଉପାଖ୍ୟାନ
    =============================
    ଶବରରାଜ ବିଶ୍ଵାବସୁଙ୍କ ସହିତ ନୀଳପର୍ବତକୁ ଯାଇ ବିଦ୍ୟାପତି ନୀଳମାଧବଙ୍କୁ ଦର୍ଶନ କରି ଆନନ୍ଦ ଆତିଶଯ୍ୟରେ ନିର୍ବାକନିଷ୍ପନ୍ଦ ହୋଇ ପ୍ରଭୁଙ୍କୁ ଅନାଇଁ ରହିଲେ; ଭାବିଲେ..ଆହା ! କେତେ କଳ୍ପର ପୁଣ୍ୟ ଯୋଗୁଁ ଆଜି ସାକ୍ଷାତ ବିଷ୍ଣୁଙ୍କ ଦର୍ଶନ ପାଇଲି !” ବିଦ୍ୟାପତିଙ୍କ ତଟସ୍ଥତା ଦୂର କରି ବିଶ୍ଵାବସୁ କହିଲେ.. ବ୍ରାହ୍ମଣ ଗୋସାଇଁ,ଚାଲନ୍ତୁ ଏଠାରୁ ପ୍ରସ୍ଥାନ କରିବା। ବର୍ତ୍ତମାନ ଦିନ ଅବସାନ ସମୟ ଉପସ୍ଥିତ;ଏହି ସ୍ଥାନ ଘୋର ଅରଣ୍ୟରେ ପରିବେଷ୍ଠିତ।ଚତୁଃର୍ପାଶ୍ବରେ ଭୟଙ୍କର ହିଂସ୍ରଜନ୍ତୁ ପରିପୂର୍ଣ୍ଣ। ଏଠାରେ ସନ୍ଧ୍ୟା ପରେ ରହିବା ନିରାପଦ ନୁହେଁ।ତାଛଡା,ଆପଣ କ୍ଷୁଧାର୍ତ୍ତ ଓ ଶ୍ରାନ୍ତକ୍ଲାନ୍ତ; ଚାଲନ୍ତୁ ମୋ ଘରକୁ ଫେରିଯିବା।ମୋର ପରମ ସୌଭାଗ୍ୟରୁ ଆଜି ଆପଣ ମୋର ଅତିଥି।”

    ବିଦ୍ୟାପତି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆନନ୍ଦ ସାଗରରେ ମଗ୍ନ, ତେଣୁ କ୍ଷୁଧା,ତୃଷାର କ୍ଲେଶ ଜାଣିପାରୁନଥିଲେ। ଅଗତ୍ୟା ବିଶ୍ଵାବସୁ ତାଙ୍କ ହାତ ଟାଣି ଟାଣି ଶବର ପଲ୍ଲୀକୁ ନେଇ ନିଜ ଗୃହରେ ଆତିଥ୍ୟ ପ୍ରଦାନ କଲେ। ସାନ୍ଧ୍ୟ ଆରାଧନା ସମାପ୍ତି ପରେ ବିଶ୍ଵାବସୁ ନାନାପ୍ରକାର ଭୋଜନ ପଦାର୍ଥରେ ଅତିଥିଙ୍କୁ ଆପ୍ୟାୟିତ କଲେ। ଏପରି ସୁଗନ୍ଧିତ ରାଜଭୋଗ୍ୟ ଖାଦ୍ୟ ବିଦ୍ୟାପତି ଅନ୍ୟ କେଉଁଠି ଭୋଜନ କରିନଥିଲେ।ନାନାବିଧ ପାକ ପଦାର୍ଥରୁ ଯେଉଁ ମହମହ ବାସ୍ନା ବାହାରୁଥିଲା, ତାର ଆଘ୍ରାଣରେ ବିଦ୍ୟାପତି ବିସ୍ମିତ ହୋଇ ପଚାରିଲେ — ଏହି ରାଜଭୋଗ୍ୟ ଖାଦ୍ୟ ଆପଣଙ୍କ ଗୃହକୁ କିପରି ଆସିଲା ?ଆପଣ ମୋତେ ଏ ଯେଉଁ ଖାଦ୍ୟ ପରୋଷିଛନ୍ତି ଏହା କେହି ମନୁଷ୍ୟ ରନ୍ଧନ କରଛି ବୋଲି ମୋର ବିଶ୍ବାସ ହେଉନାହିଁ। ରାଜା ମହାରାଜାମାନେ ମଧ୍ୟ ଏପରି ଖାଦ୍ୟ ପାଆନ୍ତିନାହିଁ।ଆପଣଙ୍କ ଭଳି ଶବରଙ୍କ ଗୃହରେ ଏସବୁ ଦିବ୍ୟ ପଦାର୍ଥ କେଉଁଠାରୁ, କିପରି ଆସିଲା କହି ମୋର ଜିଜ୍ଞାସା ଦୂର କରନ୍ତୁ।”

    ବିଶ୍ଵାବସୁ କହିଲେ.. ସେହି ଗୋପନୀୟ କଥା କାହା ଆଗରେ କହିବା ଉଚିତ୍ ନୁହେଁ, କିନ୍ତୁ ଆପଣ ମୋର ଅତିଥି ହୋଇ ଥିବାରୁ ମୁଁ ଆପଣଙ୍କ ଆଗରେ ସେହି ସତ୍ୟ ଉନ୍ମୋଚନ କରୁଛି।ବାସ୍ତବରେ ଦେବତାମାନେ ପ୍ରତି ରାତିରେ ନୀଳମାଧବଙ୍କୁ ଦର୍ଶନ କରିବାକୁ ଆସନ୍ତି। ସେମାନେ ପ୍ରଭୁଙ୍କ ପାଖରେ ସ୍ତବ କରି ଯେଉଁ ନୈବେଦ୍ୟ ଅର୍ପଣ କରିଥାନ୍ତି,ଏହା ସେହି ନୈବେଦ୍ୟର ପ୍ରସାଦ। ପ୍ରତିଦିନ ସେହି ମହାପ୍ରସାଦ ସେବନକରି ରୋଗ ଶୋକ ଓ ବୃଦ୍ଧାବସ୍ଥାକୁ ମୁଁ ଜୟ କରିପାରିଛି ଏବଂ ଗତ ଦଶହଜାର ବର୍ଷଧରି ପୁତ୍ର ପୌତ୍ର ଓ ବନ୍ଧୁବାନ୍ଧବଙ୍କ ସହିତ ଜୀବନ ଯାପନ କରୁଛି। ଏହା ପ୍ରଭୁ ନୀଳମାଧବଙ୍କ ଦୟା। ଏହି ପ୍ରସାଦ ସେବନ କଲେ ସମସ୍ତ ପାପରାଶି ଦୂର ହେବା ସହିତ ଦୁଃଖପୂର୍ଣ୍ଣ ଜୀବନରୁ ମୁକ୍ତିଲାଭ ହୁଏ।”

    ଏହାଶୁଣି ବିଦ୍ୟାପତି କହିଲେ…ହେ ମହାନୁଭବ ! ମୁଁ ଆପଣଙ୍କ ସହିତ ମିତ୍ରତା କରିବାକୁ ଚାହେଁ। ସଂସାରର ମାୟା ବନ୍ଧନରେ ଆବଦ୍ଧ ନହୋଇ ମୁଁ ଆପଣଙ୍କ ସହିତ ଏଠାରେ ରହି ପ୍ରଭୁ ଜଗନ୍ନାଥଙ୍କୁ ଆରାଧନା କରିବାକୁ ଚାହେଁ।”
    ବିଶ୍ଵାବସୁ ସରଳତାର ପ୍ରତିମୂର୍ତ୍ତି ଥିଲେ। ବିଦ୍ୟାପତିଙ୍କ ଆଗ୍ରହ ଦେଖି ସେ ଆନନ୍ଦ ଗଦ୍ଗଦ ହୋଇ କହିଲେ..ହେ ଆର୍ଯ୍ୟ ! ଏହାଠାରୁ ବଳି ଅଧିକ ଭାଗ୍ୟ ମୋର କଣ ହୋଇପାରେ? ମୋର ପରମ ସୌଭାଗ୍ୟ ଯୋଗୁଁ ଆପଣଙ୍କ ସହିତ ଆଜି ମୋର ମିଳନ ହୋଇଛି।ଆପଣଙ୍କ ପରି ଜଣେ ପରମ ବିଷ୍ଣୁଭକ୍ତଙ୍କ ସହିତ ମିତ୍ରତା ଠାରୁ ଅଧିକ ଶ୍ରେଷ୍ଠ ଧର୍ମ କିଛି ହୋଇନପାରେ ।ଆପଣଙ୍କ ପରି ଜଣେ ପରମ ବୈଷ୍ଣବଙ୍କର ସାନ୍ନିଧ୍ୟ ଏହି ଦୁସ୍ତର ସଂସାର ସାଗରକୁ ପାରିହେବା ପାଇଁ ମୋତେ ସାହାଯ୍ୟ କରିବ।”

    ବିଶ୍ବାବସୁଙ୍କ ସହିତ ବନ୍ଧୁତା ସ୍ଥାପନ କରିବାପରେ ବିଦ୍ୟାପତି କହିଲେ…ମହାନୁଭବ ! ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ। ମହାରାଜା ଇନ୍ଦ୍ରଦ୍ୟୁମ୍ନ ମୋ ବାଟକୁ ଚାହିଁ ବସିଥିବେ। ମୁଁ ଫେରିଯାଇ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନୀଳପର୍ବତ ଓ ନୀଳମାଧବଙ୍କ ବିଷୟରେ କହିବାପରେ ସେ ଏଠାକୁ ଆସି ପ୍ରଭୁଙ୍କ ଦର୍ଶନ କରିବେ।”

    ଦୁଃଖରେ ଦୀର୍ଘ ନିଃଶ୍ବାସ ପକାଇ ବିଶ୍ଵାବସୁ କହିଲେ.. କିନ୍ତୁ ଆର୍ଯ୍ୟ ! ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଏହି କ୍ଷେତ୍ରକୁ ଆଗମନ ବିଷୟରେ ପୁରାକାଳରୁ ଜନଶ୍ରୁତି ଅଛି ଯେ ମହାରାଜା ନୀଳମାଧବଙ୍କୁ ଦର୍ଶନ କରିପାରିବେ ନାହିଁ।ସର୍ବଜନ ବିଦିତ ହେବାର ଅଳ୍ପ ଦିନ ପରେ ନୀଳମାଧବ ସୁବର୍ଣ୍ଣ ବାଲୁକା ଭିତରେ ହଜିଯିବେ। ଏକଥା ନିଜେ ବିଷ୍ଣୁ ଯମଦେବଙ୍କୁ କହିଛନ୍ତି ବୋଲି ଜନଶ୍ରୁତି ଅଛି।

    ଆପଣ ଭାଗ୍ୟବାନ, କାରଣ ଆପଣ ନୀଳମାଧବଙ୍କୁ ଦର୍ଶନ କରି ପାରିଛନ୍ତି। କିନ୍ତୁ ଆପଣ ଇନ୍ଦ୍ରଦ୍ୟୁମ୍ନଙ୍କ ପାଖରେ ଏହି ଜନଶ୍ରୁତି କଥା ପ୍ରକାଶ କରିବେ ନାହିଁ।ଏହା ଶୁଣି ନୀଳମାଧବଙ୍କ ଦର୍ଶନ ନପାଇ ମହାରାଜା ଆଜୀବନ ମରଣ ବ୍ରତରେ ବ୍ରତୀ ହେଲେ କଥା ସରିଯିବ। ଜନଶ୍ରୁତି ଅନୁଯାୟୀ, ନୀଳମାଧବଙ୍କୁ ନଦେଖି ଇନ୍ଦ୍ରଦ୍ୟୁମ୍ନ ଦୁଃଖରେ ମ୍ରିୟମାଣ ହେବା କାଳରେ ତାଙ୍କୁ ସ୍ବପ୍ନାଦେଶ ହେବ, ପ୍ରଭୁଙ୍କ ଦାରୁ ମୂର୍ତ୍ତି ନିର୍ମାଣ କରି,ତାଙ୍କୁ ବ୍ରହ୍ମଦେବଙ୍କ ଦ୍ବାରା ପ୍ରତିଷ୍ଠା କରାଇ ଏଠାରେ ପୂଜା କରିବାପାଇଁ।

    ବିଶ୍ଵାବସୁ ପୁଣି କହିଲେ…ହେ ଆର୍ଯ୍ୟ ! ଏପରି ମଧ୍ୟ ଜନଶ୍ରୁତି ରହିଛି ଯେ ଏହି କ୍ଷେତ୍ରରେ ହରି ବିରାଜମାନ କରୁଥିବା ପର୍ଯ୍ୟନ୍ତ ଆମ ଉଭୟଙ୍କର ବଂଶର ଲୋକମାନେ ମଧ୍ୟ ପ୍ରଭୁଙ୍କର ସେବକ ଭାବରେ ରହିଥିବେ।”

    ଏହି କଥୋପକଥନ ପରେ ଶବର ଗୃହରେ ଆନନ୍ଦରେ ରାତ୍ରି ଯାପନ କଲେ ବିଦ୍ୟାପତି।ପରଦିନ ତୀର୍ଥରାଜ ସମୁଦ୍ରରେ ସ୍ନାନ ଶେଷକରି, ନୀଳମାଧବଙ୍କୁ ଦର୍ଶନ କଲେ ଏବଂ ଇନ୍ଦ୍ରଦ୍ୟୁମ୍ନଙ୍କ ବାସଗୃହ ପାଇଁ ସ୍ଥାନ ନିରୂପଣ କଲେ।ତାପରେ,ରଥରେ ବସି ପୁରୁଷୋତ୍ତମ କ୍ଷେତ୍ରର ତୀର୍ଥ ଓ ରମଣୀୟ ସ୍ଥାନମାନ ପରିଭ୍ରମଣ କରିବା ପରେ ବିଦ୍ୟାପତି ଅବନ୍ତୀ ଫେରିଗଲେ।

    ବିଦ୍ୟାପତି ଅବନ୍ତୀ ଫେରିଯିବା ପରେ ପରେ ପ୍ରଚଣ୍ଡ ବାୟୁ ବହିଲା ଏବଂ ସମୁଦ୍ର ତଟରେ ଥିବା ବାଲୁକାରାଶି ଚାରିଆଡ଼େ ବିକ୍ଷିପ୍ତ ହୋଇ ପଡ଼ିଲା। ସେହି ସୁବର୍ଣ୍ଣ ରଙ୍ଗର ବାଲୁକା ଭିତରେ ହଜିଗଲେ, ରୋହିଣୀ କୁଣ୍ଡ ସହିତ ନୀଳମାଧବ।କେବଳ କଳ୍ପବଟ ହିଁ ଦୃଶ୍ୟମାନ ହେଉଥିଲା।
    କ୍ରମଶଃ….

    (ସ୍କନ୍ଦପୁରାଣ ଆଧାରିତ)
    (କୁଳମଣି ଷଡଙ୍ଗୀ)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *