Wednesday, April 24, 2024
Stories

ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୯)

ନୀଳାଚଳବାସୀ ଶ୍ରୀଜଗନ୍ନାଥ
ଭାଗ ୯
ଶ୍ରୀମନ୍ଦିର ଉପରେ ଆକ୍ରମଣ
==================================
ଥରେ ମୋର ଜଣେ ଅଣହିନ୍ଦୁ ବନ୍ଧୁ କହିଲେ.. ପ୍ରତିଦିନ ହଜାର ହଜାର ଭକ୍ତ କାହିଁକି ଜଗନ୍ନାଥ ମନ୍ଦିରକୁ ଗୁହାରି କରିବାକୁ ଆସନ୍ତି;ସେ ତ ନିଜେ ନିଜକୁ ରକ୍ଷା କରି ପାରୁନାହାଁନ୍ତି, ଭକ୍ତଙ୍କ ପାଇଁ କଣ କରିପାରିବେ ? ୭୯୮ ମସିହାରୁ ୧୮୮୧ ମସିହା ଭିତରେ ଜଗନ୍ନାଥ ମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଛି; ବାହାର ଆକ୍ରମଣରୁ ତ୍ରିମୂର୍ତ୍ତିଙ୍କୁ ରକ୍ଷା କରିବା ପାଇଁ ପଣ୍ଡାମାନେ ସେମାନଙ୍କୁ ନେଇ ,ବିଲେଇ ଛୁଆ ଲୁଚାଇଲାଭଳି ଏଠି ସେଠି ଲୁଚାଇ ରଖିବାକୁ ବାଧ୍ୟ ହୋଇଛନ୍ତି।”ବନ୍ଧୁଙ୍କର ଏଭଳି ମନ୍ତବ୍ୟ ଜଗନ୍ନାଥ ସଂସ୍କୃତି ଉପରେ ବିଶ୍ବାସ ରଖୁଥିବା ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଭାବରେ ଅପମାନଜନକ କଥା।

କିନ୍ତୁ ଅପମାନିତ ହେବା ପରିବର୍ତ୍ତେ ବନ୍ଧୁଙ୍କ ଅଜ୍ଞତା ଉପରେ ମୋର ଦୟା ଆସିଲା; ଜଗନ୍ନାଥ କୌଣସି ବିଗ୍ରହ ବା ପ୍ରତିମା ଭିତରେ ସୀମିତ ନଥାନ୍ତି। ଜଗନ୍ନାଥ ସର୍ବବ୍ୟାପୀ।ତ୍ରିମୂର୍ତ୍ତି ମାଧ୍ୟମରେ କେବଳ ତାଙ୍କୁ ସାଙ୍କେତିକ ଭାବରେ ପୂଜା କରାଯାଏ। କୌଣସି ବ୍ୟକ୍ତି ତାଙ୍କୁ ଜାଳିପୋଡି ପାଉଁଶ କରିବା ସମ୍ଭବ ନୁହେଁ। ଜଗନ୍ନାଥ ପ୍ରତିମା ନୁହଁନ୍ତି,ସେ ଏକ ପ୍ରତୀକ।ଯେତେଥର ବିଧର୍ମୀମାନେ ଶ୍ରୀମନ୍ଦିରକୁ ଅପବିତ୍ର କରି ମୂର୍ତ୍ତିଙ୍କୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି,ସେତେଥର ବିଫଳ ହୋଇଛନ୍ତି। ଜଗନ୍ନାଥଙ୍କ ମୂର୍ତ୍ତି ନଷ୍ଟ ହେଲେ ମଧ୍ୟ ନାଭୀକମଳସ୍ଥିତ “ବ୍ରହ୍ମ”ଙ୍କୁ ପଣ୍ଡାମାନେ ସଫଳତାର ସହିତ ରକ୍ଷାକରି ପୁନର୍ବାର ନୂତନ ବିଗ୍ରହରେ ସ୍ଥାପନ କରିବାରେ ସମର୍ଥ ହୋଇଛନ୍ତି।ଏହା ହିଁ ଜଗନ୍ନାଥ ସଂସ୍କୃତିର ଅଲୌକିକତା।ଏକ ବ୍ରହ୍ମ ଅନ୍ୟ ନାସ୍ତି,ବ୍ରହ୍ମ କେବେ ନଷ୍ଟ ହୁଅନ୍ତି ନାହିଁ।ସେ ଅଜେୟ,ଅଦୃଶ୍ୟ,ଅଶୋଷ୍ୟ,ଅକ୍ଲେଦ୍ୟ,ଅଦାହ୍ୟ ଏବଂ ଅପରିସୀମ।କେବଳ ଅଚଳା ଭକ୍ତିରେ ହିଁ ସେ ଧରାପଡନ୍ତି; ଏହା ଯୁଗେ ଯୁଗେ ପ୍ରମାଣିତ।

ଜଗନ୍ନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣ ହୁଏ “ରକ୍ତବାହୁ” ଦ୍ବାରା (୭୯୮ ରୁ ୮୧୪ ମସିହା ଭିତରେ)।ମାଦଳା ପାଞ୍ଜି ଅନୁଯାୟୀ ରାଜା ଶୁଭନଦେବଙ୍କ ରାଜତ୍ଵ ସମୟରେ ରକ୍ତବାହୁ ଜଗନ୍ନାଥ ମନ୍ଦିର ଆକ୍ରମଣ କରିଥିଲା। ମାଦଳା ପାଞ୍ଜିର ଏହି ତଥ୍ୟ ଉପରେ ଅଧିକ ଗବେଷଣା କରିଛନ୍ତି ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ।ତାଙ୍କ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଏହି ରକ୍ତବାହୁ ନାମକ ବ୍ୟକ୍ତି,ଦାକ୍ଷିଣାତ୍ୟରେ ରାଜତ୍ଵ କରୁଥିବା ରାଷ୍ଟ୍ରକୂଟ ରାଜବଂଶର ଗୋବିନ୍ଦ (୩ୟ)ଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି । ପୁନଶ୍ଚ ଡଃ ପାଣିଗ୍ରାହୀଙ୍କ ଅନୁଯାୟୀ ମାଦଳା ପାଞ୍ଜି ବର୍ଣ୍ଣିତ ଶୁଭନଦେବ,ସେ ସମୟର ଉଡ୍ରକ ବା ଓଡ଼ିଶାରେ ରାଜତ୍ଵ କରୁଥିବା ଭୌମକର ରାଜବଂଶର ଶୁଭଙ୍କରଦେବ (ପ୍ରଥମ) ଅଟନ୍ତି। ପ୍ରଫେସର ପାଣିଗ୍ରାହୀ ହିନ୍ଦୋଳ ଏବଂ ସଞ୍ଜନ ନାମକ ଦୁଇଟି ସ୍ଥାନରୁ ପ୍ରାପ୍ତ ତାମ୍ରପତ୍ରରେ ଥିବା ତଥ୍ୟ ଆଧାରରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି।

ରକ୍ତବାହୁ ବା ଗୋବିନ୍ଦ (୩ୟ)ଙ୍କ ଆକ୍ରମଣ ଅତ୍ୟନ୍ତ ଭୟଙ୍କର ଥିଲା। ସୈନ୍ୟ ସାମନ୍ତଙ୍କ ସହିତ ସମୁଦ୍ର ପଥରେ ଆସି ସେ ପୁରସ୍ତମ ଆକ୍ରମଣ କରିଥିଲେ। ଯୁଦ୍ଧରେ ସେ ଅତ୍ୟନ୍ତ ପରାକ୍ରମୀ ଓ ଅଜେୟ ଥିଲେ।କୋଶଳ,କଳିଙ୍ଗ,ବଙ୍ଗ ଓ ଓଡ୍ରକ ଉପରେ ସେ ଅତି ସହଜରେ ବିଜୟୀ ହୋଇଥିଲେ।ତ୍ରିମୂର୍ତ୍ତିଙ୍କ ବିଗ୍ରହ ଏବଂ ନିଜ ପରିବାର ବର୍ଗଙ୍କୁ ଶଗଡ଼ ଗାଡ଼ିରେ ଲଦି ଶୁଭଙ୍କରଦେବ ନଗ୍ର ତ୍ୟାଗକରି ପଳାୟନ କଲେ। ପଶ୍ଚିମ ସୀମାନ୍ତ ସୋନପୁରରେ ପହଞ୍ଚି ରାଜା ମୂର୍ତ୍ତିମାନଙ୍କୁ “ଗୋପାଳୀ”ନାମକ ସ୍ଥାନରେ ପାତାଳୀ ବା ଭୂମିସ୍ଥ କରିଦେଇଥିଲେ।

ଏହାର ୧୪୬ବର୍ଷପରେ ସୋମବଂଶୀ ରାଜା ଯଯାତି (ପ୍ରଥମ)ତ୍ରିମୂତ୍ତିଙ୍କୁ ଭୂମିରୁ ଖନନ କରି ଉଦ୍ଧାର କରିଥିଲେ ଏବଂ ପୁରସ୍ତମ ଆଣି, ନବକଳେବର ଭିତରେ ବ୍ରହ୍ମ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ସେଥିପାଇଁ ଯଯାତିଙ୍କୁ ଦ୍ବିତୀୟ ଇନ୍ଦ୍ରଦ୍ୟୁମ୍ନ ଉପାଧି ମଧ୍ୟ ମିଳିଥିଲା।ଏବେ ମଧ୍ୟ ସୋନପୁରଠାରୁ ଷୋଳ କିଲୋମିଟର ଦୂରରେ ଗୋପାଳୀ ନାମକ ଗୋଟିଏ ସ୍ଥାନ ଅଛି ଏବଂ ସେଠାରେ ଜଗନ୍ନାଥଙ୍କ ମୂର୍ତ୍ତି ପୂଜା ପାଉଛନ୍ତି।

ଶ୍ରୀମନ୍ଦିର ଉପରେ ଦ୍ଵିତୀୟ ଆକ୍ରମଣ ଇଲିଆସ୍ ଶାହାଙ୍କ ଦ୍ବାରା ୧୩୪୦ ମସିହାରେ, ତୃତୀୟ ଆକ୍ରମଣ ଫିରୋଜ ଶାହାଙ୍କ ଦ୍ବାରା ୧୩୬୦ ମସିହାରେ, ଚତୁର୍ଥ ଆକ୍ରମଣ ଇସମାଇଲ୍ ଘାଜିଙ୍କ ଦ୍ବାରା ୧୫୦୯ ରେ,ପଞ୍ଚମ ଆକ୍ରମଣ କଳାପାହାଡ଼ ଦ୍ୱାରା ୧୫୬୮ ମସିହାରେ,ଷଷ୍ଠ ଆକ୍ରମଣ ସୁଲେମାନ ଦ୍ବାରା ୧୫୯୨ ମସିହାରେ, ସପ୍ତମ ଆକ୍ରମଣ ଇସଲାମ୍ ଖାନ୍ ଦ୍ବାରା ୧୬୦୧ ମସିହାରେ,ଅଷ୍ଟମ ଆକ୍ରମଣ ହାସିମ୍ ଖାଁ ଦ୍ବାରା ୧୬୦୮ ମସିହାରେ,ନବମ ଆକ୍ରମଣ କେସୁଦାସମାରୁ ଦ୍ବାରା ୧୬୧୦ ମସିହାରେ,ଦଶମ ଏବଂ ଏକାଦଶ ଆକ୍ରମଣ କଲ୍ୟାଣମଲ୍ଲଙ୍କ ଦ୍ଵାରା ୧୬୧୨ ମସିହାରେ,ଦ୍ଵାଦଶ ଆକ୍ରମଣ ମୁକ୍ରମ୍ ଖାଁ ଦ୍ଵାରା ୧୬୧୭ ମସିହାରେ ,ତ୍ରୟୋଦଶ ଆକ୍ରମଣ ମୀର୍ଜା ଅହମଦଙ୍କ ଦ୍ବାରା ୧୬୨୧ ମସିହାରେ, ଚତୁର୍ଦ୍ଦଶ ଆକ୍ରମଣ ମିର୍ଜା ମକ୍କୀଙ୍କ ଦ୍ବାରା ୧୬୪୧ ମସିହାରେ,ପଞ୍ଚଦଶ ଆକ୍ରମଣ ଅମୀର ଫତେ ଖାଁ ଦ୍ଵାରା ୧୬୪୭ ମସିହାରେ, ଷୋଡ଼ଶ ଆକ୍ରମଣ ଏକ୍ରାମ ଖାଁ ଦ୍ଵାରା ୧୬୯୨ ମସିହାରେ,ସପ୍ତଦଶ ଆକ୍ରମଣ ତକି ଖାଁ ଦ୍ଵାରା ୧୭୩୧ ମସିହାରେ ,ଅଷ୍ଟାଦଶ ଆକ୍ରମଣ ଅଲେଖ ଧର୍ମାବଲମ୍ବୀଙ୍କ ଦ୍ବିରା ୧୮୮୧ ମସିହାରେ ହୋଇଥିଲା।

ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ଶ୍ରୀମନ୍ଦିର ଉପରେ ଆକ୍ରମଣ ସବୁବେଳେ ମୁସଲମାନମାନଙ୍କ ଦ୍ଵାରା ହୋଇନାହିଁ।ଧନଲୋଭୀ ହିନ୍ଦୁ କିମ୍ବା ଜଗନ୍ନାଥ ସଂସ୍କୃତି ପ୍ରତି ଅସୂୟା ରଖୁଥିବା ଅଣ-ମୁସଲମାନମାନଙ୍କ ଦ୍ବାରା ମଧ୍ୟ ହୋଇଛି। ମାଦଳାପାଞ୍ଜିରେ ବର୍ଣ୍ଣିତ ରକ୍ତବାହୁ ବା ଗୋବିନ୍ଦ (୩ୟ) ହିନ୍ଦୁ ରାଜା ଥିଲେ। ମନ୍ଦିରରୁ ବିପୁଳ ଧନସମ୍ପତ୍ତି ପାଇବା ଲୋଭରେ ସେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେହିପରି କେସୁଦାସମାରୁ ଏବଂ କଲ୍ୟାଣ ମଲ୍ଲଙ୍କ ଦ୍ଵାରା ଆକ୍ରମଣ, ମନ୍ଦିର ଲୁଣ୍ଠନ ଏବଂ ସେମାନଙ୍କ ଧର୍ମାନ୍ଧ ମୁସଲମାନ ଶାସକଙ୍କୁ ସନ୍ତୁଷ୍ଟ କରିବାକୁ କରାଯାଇଥିଲା। ଅଲେଖଧର୍ମୀ ଭକ୍ତମାନେ ମୂର୍ତ୍ତିପୂଜାକୁ ଅବଜ୍ଞା କରି ୧୮୮୧ ମସିହାରେ ଜଗନ୍ନାଥ ମନ୍ଦିର ଆକ୍ରମଣ କରିଥିଲେ।

ଏ ସବୁ ଆକ୍ରମଣ ଭିତରୁ ରକ୍ତବାହୁ, କଳାପାହାଡ଼ ଓ ମୋଗଲଶାସକ ଜାହାଙ୍ଗିର ଏବଂ ଆଉରଙ୍ଗଜେବଙ୍କ ନିର୍ଦ୍ଦେଶରେ ହୋଇଥିବା ଆକ୍ରମଣ ଭୟଙ୍କର ଥିଲା।୧୫୬୮ ମସିହାରେ କଳାପାହାଡ଼ ଶ୍ରୀମନ୍ଦିରକୁ ଭାଙ୍ଗିବାକୁ ଚେଷ୍ଟାକରି ଅସଫଳ ହେଲା।ସେ ସମୟରେ ପଣ୍ଡାମାନେ ତ୍ରିମୂର୍ତ୍ତିଙ୍କୁ ନେଇ ଚିଲିକା ଭିତରେ ଲୁଚାଇ ରଖିଥିଲେ। କଳାପାହାଡ଼ ସେଠାକୁ ଯାଇ, ତ୍ରିମୂର୍ତ୍ତିଙ୍କୁ ହାତୀ ପିଠିରେ ଲଦି ମୁର୍ଶିଦାବାଦ ଚାଲିଯାଇଥିଲା ଏବଂ ଗଙ୍ଗାକୂଳରେ ତିନି ବିଗ୍ରହଙ୍କୁ ପୋଡିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟ କଥା ମୂର୍ତ୍ତି ଗୁଡ଼ିକର ନାଭୀବ୍ରହ୍ମ ପୋଡି ହୋଇନଥିଲେ।ବିଶର ମହାନ୍ତି ନାମକ ଜଣେ ଭକ୍ତ ସେହି ଅର୍ଦ୍ଧଦଗ୍ଧ ମୂର୍ତ୍ତିମାନଙ୍କର ବ୍ରହ୍ମ ଉଦ୍ଧାର କରି, ତାହା ମୃଦଙ୍ଗ ଭିତରେ ଲୁଚାଇ ନିଜ ଜନ୍ମସ୍ଥାନ କୁଜଙ୍ଗକୁ ଆଣି ପୂଜା କରୁଥିଲେ ।ପରେ ୧୫୭୫ ମସିହାରେ ରାମଚନ୍ଦ୍ର ଦେବଙ୍କ ଦ୍ବାରା ବ୍ରହ୍ମଙ୍କୁ କୁଜଙ୍ଗରୁ ଅଣାଯାଇ ,ନବକଳେବର ଭିତରେ ସ୍ଥାପିତ କରି ମନ୍ଦିର ଭିତରେ ପୂଜା କରାଗଲା।

ଆକ୍ରମଣ ଅନେକ ଥର ହୋଇଛି ଏବଂ ବିଗ୍ରହମାନଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ପ୍ରତିଥର ପଣ୍ଡାମାନେ ତ୍ରିମୂର୍ତ୍ତିଙ୍କ ବ୍ରହ୍ମଙ୍କୁ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି।

କ୍ରମଶଃ..
(କୁଳମଣି ଷଡଙ୍ଗୀ)
==============================
ସହାୟକ ପ୍ରବନ୍ଧ:—
*ପ୍ରଫେସର ଅଭିମନ୍ୟୁ ଦାସଙ୍କ “Invasion of temple of Lord Jagannath,Puri

*Dr.K C Panigrahi ଙ୍କର “The Bhaumakaras in history of Odisha
===================================

Click to rate this post!
[Total: 0 Average: 0]

Leave a Reply