ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୪)

ନୀଳାଚଳବାସୀ ଶ୍ରୀଜଗନ୍ନାଥ
ଭାଗ ୪
===================================
ଦାରୁବ୍ରହ୍ମ ଓ ଶ୍ରୀକୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ପିଣ୍ଡ(କିମ୍ବଦନ୍ତୀ ଆଧାରିତ)
===================================

ଗୁଣ୍ଡିଚା ଘରେ,ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଦ୍ବାରା ଦାରୁରୁ ଗଢା ଯାଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ବନ୍ଧ ଦ୍ୱାପର ଯୁଗ ସହିତ ଲାଗିଛି।ପଞ୍ଚସଖା ଯୁଗର ଶ୍ରେଷ୍ଠ କବି ଜଗନ୍ନାଥ ଦାସଙ୍କ ‘ଦାରୁବ୍ରହ୍ମ ଗୀତା’ରୁ ଜଣାପଡେ ଯେ ସମୁଦ୍ରରେ, ପୁରୀର ବାଙ୍କୀ ମୁହାଣ ନିକଟରେ ଭାସୁଥିବା ଶଙ୍ଖଚକ୍ରାଙ୍କିତ ଦାରୁଖଣ୍ଡ ଭଗବାନ ଶ୍ରୀକୃଷ୍ଣଙ୍କ ମହାପ୍ରୟାଣାନ୍ତର ଅର୍ଦ୍ଧଦଗ୍ଧ ଶରୀର ବ୍ୟତୀତ ଅନ୍ୟ କିଛି ନୁହେଁ।

ଯେତେବେଳେ ମହାଭାରତ ଯୁଦ୍ଧ ଶେଷହେଲା,ଶ୍ରୀକୃଷ୍ଣ, ପାଣ୍ଡବ ମାନଙ୍କ ସହିତ ଗାନ୍ଧାରୀଙ୍କ ପାଖରେ ପହଞ୍ଚିଲେ ପୁତ୍ରଶୋକ ଜର୍ଜରିତା ମାତାଙ୍କୁ ଶାନ୍ତ୍ବନା ଦେବାପାଇଁ ।ଦୁଃଖରେ ମ୍ରିୟମାଣା ଗାନ୍ଧାରୀ କହିଥିଲେ “ହେ ଚକ୍ରୀ ! ତୁମେ ଚାହିଁଥିଲେ ଏହି ଭୟଙ୍କର ଯୁଦ୍ଧକୁ ଏଡାଇ ପାରିଥାନ୍ତ।କିନ୍ତୁ ତୁମର ଚକ୍ରାନ୍ତ ଯୋଗୁଁ ଭାଇ ଭାଇ ଭିତରେ ସଂଘର୍ଷ ହୋଇ ଏତେବଡ କୁରୁବଂଶ ଧ୍ୱଂସ ପାଇଗଲା।ମୁଁ ତୁମକୁ ଅଭିଶାପ ଦେଉଛି,ତୁମର ଯଦୁବଂଶ, ଏହିପରି ଭ୍ରାତୃ-କନ୍ଦଳର ଶୀକାର ହୋଇ ଧ୍ୱଂସ ପାଇଯିବ।”

ଶ୍ରୀକୃଷ୍ଣ ମଥା ଅବନତ କରି କହିଥିଲେ “ଧର୍ମ ସଂସ୍ଥାପନା ପାଇଁ ଦୁଷ୍ଟମାନଙ୍କୁ ଦଳନ କରିବା ମୋର ଉଦ୍ଦେଶ୍ୟ ।ଯଦୁବଂଶୀମାନେ ଯେବେ ସେପରି ଅଧର୍ମ ପଥଗାମୀ ହେବେ ତା’ହେଲେ ସେମାନଙ୍କର ଧ୍ୱଂସର ପଥ ମୁଁ ନିଜେ ପରିଷ୍କାର କରିବି।”

ଗାନ୍ଧାରୀଙ୍କ ଅଭିଶାପ ଯଦୁବଂଶ ଉପରେ ପଡିଥିଲା।ଅହଂକାର ଏବଂ ଔଧତ୍ୟ ସେମାନଙ୍କୁ ଗ୍ରାସ କରିଥିଲା।ଏକଦା ସପ୍ତଋଷି ମାନେ ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକା ଆସିଥାନ୍ତି।ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ନିଜ ଉଦରରେ ଏକ ଲୌହ ମୁଦ୍ଗରକୁ ବସ୍ତ୍ରରେ ଘୋଡାଇ ନାରୀ ବେଶରେ ,ଅନ୍ୟ ଭାଇମାନଙ୍କ ସହିତ ଆସି ଋଷିମାନଙ୍କୁ ପରିହାସ କରି ପଚାରିଲେ “କହନ୍ତୁ ତ ମୁନିଗଣ,ଗର୍ଭବତୀ ହୋଇଥିବା ଏହି ନାରୀ ଉଦରରୁ ପୁତ୍ର ଜନ୍ମହେବ ନାଁ କନ୍ୟା।” ଏଭଳି ପରିହାସ ଋଷିମାନଙ୍କପ୍ରତି ଘୋର ଅସମ୍ମାନ ଓ ଅପମାନଜନକ ଥିଲା।ଋଷିମାନଙ୍କ ଭିତରୁ ଜଣେ କ୍ରୋଧ ଜର୍ଜରିତ ହୋଇ ଉତ୍ତର ଦେଲେ…ଯାହାକୁ ତୁମେ ଉଦରରେ ଘୋଡାଇ ରଖିଛ,ସେ ତୁମ୍ଭର ବଂଶନାଶର କାରଣ ହେବ।”

ଯଦୁବଂଶୀ ରାଜପୁତ୍ରମାନେ ନିଜର ଭୁଲ୍ ବୁଝିପାରିଲେ;କିନ୍ତୁ ସେତେବେଳକୁ ଲେଡିଗୁଡ କହୁଣୀକୁ ବୋହିଯାଇଥିଲା।ମହାରାଜା ଉଗ୍ରସେନ ,ଲୌହ ମୁଦ୍ଗରଟିକୁ ସମୁଦ୍ର ତଟରେ ପଥରରେ ଘଷି ଘଷି ନଷ୍ଟ କରିଦେବାପାଇଁ ଆଦେଶ ଦଲେ।ତାହାହିଁ କରାଗଲା।କିନ୍ତୁ ଶେଷକୁ ତୀର ଆକାରର ଖଣ୍ଡିଏ ଲୁହା ରହିଗଲା।ଏତେ ଛୋଟ ଲୁହାଖଣ୍ଡ କାହାର କଣ’ବା କ୍ଷତି କରିପାରିବ ଭାବି ତାକୁ ଯାଦବମାନେ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ।ଜାରା ନାମକ ଏକ ଶବର ସେ ତୀକ୍ଷ୍ଣ ଲୁହାଖଣ୍ଡକୁ ସମୁଦ୍ର କୂଳରୁ ପାଇ ସେଥିରୁ ନିଜ ଧନୁପାଇଁ ଗୋଟିଏ ତୀର ତିଆରି କରିଦେଲା।

ଏଣେ ଘଷାଯାଇଥିବା ମୁଦ୍ଗରର ଲୌହଗୁଣ୍ଡ ସମୁଦ୍ର ପାଣିରେ ମିଶି ପ୍ରଭାସ ସ୍ଥଳରେ ଏକ ବିରାଟ ଏରକା(ଲମ୍ବ ଘାସ) ଜଙ୍ଗଲ ସୃଷ୍ଟି କଲା।ମଦମତ୍ତ ଯାଦବପୁତ୍ରମାନେ ଦିନେ ସେହି ଜଙ୍ଗଲରେ ବୁଲୁବୁଲୁ ଭୀଷଣ ଯୁକ୍ତି ତର୍କରେ ମଜ୍ଜିଗଲେ।ଏକ ପକ୍ଷରେ କୃତବର୍ମା ଏବଂ ଅନ୍ୟପକ୍ଷରେ ସାତ୍ୟକି ।ମହାଭାରତ ଯୁଦ୍ଧରେ କୃତବର୍ମା କୌରବ ପକ୍ଷରେ ନାରାୟଣୀ ସେନାର ଅଧ୍ୟକ୍ଷ ହୋଇ ଯୁଦ୍ଧ କରୁଥିଲେ ଏବଂ ଅପର ପକ୍ଷରେ ସାତ୍ୟକି ପାଣ୍ଡବ ପକ୍ଷରେ ଥିଲେ।ମଦ୍ୟପାନ ପରେ ସେହି ଅତୀତ କଥା ମନେପକାଇ, ନିଜ ନିଜ ପକ୍ଷର ସମର୍ଥନରେ ଦୁଇଦଳ ଭୀଷଣ କଳହରେ ମାତିଗଲେ ଏବଂ ନିଜନିଜ ଭିତରେ ,ସେହି ଘାସ ଜଙ୍ଗଲରେ ହଣାକଟା ହୋଇ ପ୍ରାଣତ୍ୟାଗ କଲେ।ଯଦୁବଂଶ ଧ୍ୱଂସ ପାଇଗଲା।ଆଗରୁ ବଳରାମ ତୀର୍ଥଯାତ୍ରାରେ ଚାଲିଯାଇଥିଲେ।ଶେଷକୁ ରହିଲେ ନିଜେ କେଶବ ଏବଂ ସାରଥି ଦାରୁକ।

ମହା ମନସ୍ତାପରେ ଶିଆଳୀ ଲତା ଭିତରେ ବିଶ୍ରାମ କରୁଥିଲେ କେଶବ।ମୃଗର ଦୁଇଟି କାନ ଭଳି ଶ୍ରୀକୃଷ୍ଣଙ୍କର ରକ୍ତବର୍ଣ୍ଣ ପାଦ ଦୁଇଟି ଲତାବାହାରକୁ ଦେଖା ଯାଉଥିଲା।ଜାରା ଶବର ସେହି ବାଟରେ ଯାଉଥିଲା।ଲତା ଭିତରେ ମୃଗ ଥିବା ଭ୍ରମରେ,ସେହି ତୀରରେ ଆଘାତ କଲା ଜାରା,ଯାହା ସେ ପ୍ରସ୍ତୁତ କରିଥିଲା ସାଗରକୂଳରୁ ପାଇଥିବା କ୍ଷୁଦ୍ର ଲୌହଖଣ୍ଡରୁ।ଯେତେବେଳେ ନିଜର ଭୁଲ୍ ଜାଣିପାରିଲା ଜାରା,ପ୍ରଭୁଙ୍କର ପାଦଧରି କ୍ଷମାଭିକ୍ଷା କଲା।ସେତେବେଳକୁ ସବୁ ପ୍ରାୟ ଶେଷ।ଶ୍ରୀକୃଷ୍ଣଙ୍କ ପ୍ରାଣ କଣ୍ଠାଗ୍ରତ।

ଝର ଝର ଲୁହ ଝରି ଯାଉଥିଲା ଜାରାର ଆଖିରୁ ।ଶାନ୍ତ୍ୱନା ଦେଇ କେଶବ କହିଲେ “ତୁମର କିଛି ଭୁଲ୍ ନାହିଁ ଜାରା;ସଂସାରର ଗତି ଏହିପରି।”ମର୍ତ୍ତ୍ୟମଣ୍ଡଳେ ଦେହବହି/ଦେବତା ହେଲେ ହେଁ ମରଇ।” ତୁମେ ତ୍ରେତୟା ଯୁଗରେ ବାଳି ରୂପରେ ଜନ୍ମ ନେଇଥିଲ। ତୁମକୁ ମୁଁ ଲୁଚିରହି ଅନ୍ୟାୟରେ ବଧ କରିଥିଲି।ଏ ଯୁଗରେ,ତୁମ ଅଜ୍ଞାତରେ ତୁମର ପ୍ରତିଶୋଧ କାର୍ଯ୍ୟକାରୀ ହୋଇଛି।ତୁମେ ମୋର ପରମ ଭକ୍ତ। କଳି ଯୁଗରେ ବିଶ୍ୱାବସୁ ରୂପରେ ବ୍ରହ୍ମାଦ୍ରିରେ ତୁମେ ମୋତେ ପୂଜା କରିବ।”

ଏହାପରେ ଯାହା ଘଟିଥିଲା ଅତିବଡ଼ି ଜଗନ୍ନାଥ ଦାସ
“ଦାରୁବ୍ରହ୍ମ ଗୀତା”ରେ ବର୍ଣ୍ଣନାକରିଛନ୍ତି। ତାହା ସଂକ୍ଷେପରେ ଏହିପରି.. .
ଶ୍ରୀକୃଷ୍ଣ ଜାରା ଶବରକୁ ନିର୍ଦ୍ଦେଶ ଦେଲେ ହସ୍ତୀନାକୁ ଯାଇ ଅର୍ଜୁନଙ୍କୁ ଡାକି ଆଣିବାପାଇଁ। ଅର୍ଜ୍ଜୁନ ପ୍ରଭାସକ୍ଷେତ୍ରକୁ ଯାଇ ଶ୍ରୀକୃଷ୍ଣଙ୍କ ଶରୀରକୁ ସ୍ପର୍ଶ କରିବା ପରେ ଶ୍ରୀକୃଷ୍ଣ ପ୍ରାଣତ୍ୟାଗ କଲେ।ସ୍ବର୍ଗରୁ ମାତଳି ଆସି ଜାରା ଶବରକୁ ରଥରେ ବସାଇ ସ୍ୱର୍ଗକୁ ଘେନିଗଲେ। ଯିବା ପୂର୍ବରୁ ମାତଳି ପାଣ୍ଡବମାନଙ୍କୁ ନିର୍ଦ୍ଦେଶ ଦେଲେ ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବାପାଇଁ।

ପାଣ୍ଡବମାନେ ପ୍ରଭାସ କ୍ଷେତ୍ରରେ ଶ୍ରୀକୃଷ୍ଣଙ୍କ ଶବ ଦାହ କରିବାପାଇଁ ପ୍ରସ୍ତୁତ ହେବା ସମୟରେ ଭବିଷ୍ୟତଜ୍ଞାତା ସହଦେଵ କହିଲେ ଯେ ପ୍ରଭୁଙ୍କ ଶବ ସଂସ୍କାର କରିବାପାଇଁ ତାହା ପ୍ରକୃଷ୍ଟ ସ୍ଥାନ ନୁହେଁ।ସେଠାରୁ ଚାରିଶହ କୋଶ ଦୂରରେ ‘ଅପୋଡା ଭୂମି’ ଥିବା “ଯମନିକା ତୀର୍ଥ”ହିଁ ସଂସ୍କାର ପାଇଁ ପ୍ରକୃଷ୍ଟ ସ୍ଥାନ। ଯୁଧିଷ୍ଠିର ଏହାର କାରଣ ପଚାରିବାରୁ ସହଦେବ କହିଥିଲେ…

“ସେ ସ୍ଥାନ ମହିମା ପ୍ରତ୍ୟକ୍ଷ। ବଚନେ କହି ନୋହେ ସଖ୍ୟ।।
ପୃଥ୍ବୀର ସାରସତ୍ତ୍ବ ସେହି । ସେଥିକୁ ଆନ ସମ ନାହିଁ।।
ଆପଣା ନାମ ତାକୁ ଦେଇ।ଆପଣେ ଅଛନ୍ତି ଭିଆଇ।।
ନାମ ତା ପୁରୁଷଉତ୍ତମ।ସର୍ବକ୍ଷେତ୍ରରୁ ସେ ଉତ୍ତମ।।
(ଦାରୁବ୍ରହ୍ମ ଗୀତା..ପ୍ରଥମ ଅଧ୍ୟାୟ)
ଶ୍ରୀକ୍ଷେତ୍ରର କଳ୍ପବଟ, ରୋହିଣୀ କୁଣ୍ଡ,ଭୂଷଣ୍ଡକାକ,ନୀଳପର୍ବତ, ସମୁଦ୍ର, ବାଙ୍କୀ ମୁହାଣ ଆଦିର ବର୍ଣ୍ଣନା ଓ ମାହାତ୍ମ୍ୟ ସୁନ୍ଦର ଭାବରେ ଦାରୁବ୍ରହ୍ମ ଗୀତାରେ କରାଯାଇଛି। ଦାରୁବ୍ରହ୍ମ ଗୀତାର ଦ୍ବିତୀୟ ଅଧ୍ୟାୟରେ ସହଦେବ ଭାଇମାନଙ୍କୁ କହିଛନ୍ତି ..

“ଯମ୍ନିକ ତୀର୍ଥେ ଚାଲ ଯିବା। କୃଷ୍ଣର ପିଣ୍ଡକୁ ଦାହିବା ।।
ସେଠାରେ କୃଷ୍ଣର ଶରୀର। ପୁରୁଷୋତ୍ତମ ନାମ ତାର।।
ଦକ୍ଷିଣ ମହୋଦଧି ଜାଣ।ଶତେକ ଯୋଜନ ଦକ୍ଷିଣ।।
କୋଟିଏ ତୀର୍ଥ ତହିଁ ରୁଣ୍ଡ।ସ୍ୱର୍ଗକୁ ଫିଟିଅଛି ଦାଣ୍ଡ।।
ସେ ତୀର୍ଥେ ସ୍ନାହାନ କରନ୍ତେ।ଯମ ନଦଣ୍ଡେ କଦାଚିତେ।
ସ୍ବର୍ଗ ଦୁଆର ନାମ କହି।ଦେବେ ଅଛନ୍ତି ନାମ ଦେଇ।।”
(ଦାରୁବ୍ରହ୍ମ ଗୀତା.. ଦ୍ବିତୀୟ ଅଧ୍ୟାୟ)

ତା’ପରେ ପାଣ୍ଡବମାନେ ଯମ୍ନିକ ତୀର୍ଥ(ପୁରୁଷୋତ୍ତମ)କୁ ଯାଇ ଶ୍ରୀକୃଷ୍ଣଙ୍କ ପିଣ୍ଡକୁ ଚନ୍ଦନ କାଷ୍ଠରେ ଦାହ କରିବାକୁ ଚେଷ୍ଟା କରି ଅସଫଳ ହୋଇଛନ୍ତି।ଛ’ଦିନ ଦାହ କରିବା ପରେ ଶ୍ରୀକୃଷ୍ଣଙ୍କ ହସ୍ତ ପଦ ଦାହ ହୋଇଥିଲେ ମଧ୍ୟ ଶରୀର ଦାହ ହୋଇ ପାରିଲାନାହିଁ।ସପ୍ତମ ଦିନ ଅଧିକ ଚନ୍ଦନକାଠ ଆଣି ପାଣ୍ଡବମାନେ ପିଣ୍ଡ ଦାହ କରିବାକୁ ଚେଷ୍ଟା କରିବାରୁ, ଶୂନ୍ୟବାଣୀ ହେଲା ପିଣ୍ଡକୁ ଦାହ ନକରି ସମୁଦ୍ରରେ ଭସାଇ ଦେବାପାଇଁ।ଭବିଷ୍ୟଜ୍ଞାତା ସହଦେବ ଭାଇମାନଙ୍କୁ କହିଲେ…ଦ୍ବାପର ଯୁଗ ଯାଇ କଳି ଯୁଗର ପ୍ରବେଶ ହୋଇଛି। ଏହି ଯୁଗରେ ବୌଦ୍ଧ ଅବତାର ଧାରଣ କରି ପ୍ରଭୁ “ଅପାଦପାଣି” ହୋଇ ଜଗନ୍ନାଥ ନାମରେ ପୂଜିତ ହେବେ।”

ତତ୍ପରେ ପାଣ୍ଡବମାନେ ପିଣ୍ଡକୁ ସମୁଦ୍ର ଭିତରକୁ ଭସାଇ ଦେଇଥିଲେ।ପରବର୍ତ୍ତୀ ସମୟରେ ରାଜା ଇନ୍ଦ୍ରଦ୍ଯୁମ୍ନ, ସ୍ୱପ୍ନାଦେଶ ଅନୁସାରେ,ସେହି ବ୍ରହ୍ମଙ୍କୁ ଦାରୁ ରୂପରେ ବାଙ୍କୀ ମୁହାଣରୁ ପାଇ ମୂର୍ତ୍ତି ଗଠନ ପାଇଁ ଆଦେଶ ଦେଇଥିଲେ ।

କ୍ରମଶଃ….
(କୁଳମଣି ଷଡଙ୍ଗୀ)
==================================
ସହାୟକ ତଥ୍ୟ:—
* ଅତିବଡ଼ି ଜଗନ୍ନାଥ ଦାସଙ୍କ “ଦାରୁବ୍ରହ୍ମ ଗୀତା”
*ସ୍କନ୍ଦ ପୁରାଣ
*ଡଃ କୀର୍ତ୍ତିମଞ୍ଜରୀ ସାହୁଙ୍କ “ଦାରୁବ୍ରହ୍ମ ଗୀତା ଓ ଗରୁଡ ଗୀତାରେ ଦାରୁ ଦେବତା”
============================LS

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *