ପରାସ୍ତ ସୈନିକ
ହେ ଜୀବନ ତୁମେ—-
—————-
ହେ ଜୀବନ ! ତୁମେ ଅମୃତ ମଧୁ ,
ଚାଖିବା ଶିଖିଲି ନାହିଁ,
ସଂସାର ଉଦ୍ୟାନେ ସୁନ୍ଦର ଫୁଲ !
ତୋଳିବା ଜାଣେନା ମୁହିଁ ।0।
ମଧୁର ସଂଗୀତ ତୁମେ ଏ ସୃଷ୍ଟିର
ବେସୁରା ମୋ କଣ୍ଠସ୍ୱର,
ଗାଇ ନଜାଣେ ମୁଁ, କାହାକୁ କହିବି
ତାଳ,ଲୟ ନାହିଁ ମୋର ।1।
ହେ ସଂଗୀତକାର କିଏ ଅଛ ମୋତେ, ତାଳ,ଲୟ ଦିଅ କହି,
ହେ ଜୀବନ ତୁମେ ଅମୃତ ମଧୁ————-
ହେ ଜୀବନ ତୁମେ ଫୁଲର ସୁରଭି ,
ଆଘ୍ରାଣ ଆସେନା ମୋତେ,
ହୋଇ ପ୍ରଜାପତି ନାଚିବାକୁ ମନ
ସୃଷ୍ଟି ସଂଗୀତ ସହିତେ ।2।
କିଏ ଅଛ ମୋତେ ସେ ସୁରଭି ସାଥେ ପରିଚୟ ଦେବାପାଇଁ ।
ହେ ଜୀବନ ତୁମେ—————
କେତେ ସୋମରସ ଭରା ଏ ଜୀବନ
ପିଇବା ଆସେନା ମୋତେ,
କେତେ ମଧୁଶାଳା ବାହାରେ ବସି ମୁଁ
ଫେରିଲିଣି ଖାଲି ହାତେ।3।
ଜୀବନ ମଦିରା ପିଇବା କଳାଟି ଦିଅନ୍ତା କିଏ ଶିଖାଇ।
ହେ ଜୀବନ ତୁମେ ——————
ହେ ଜୀବନ ତୁମେ ସୁନ୍ଦର ,ହେଲେ
ଜୀଇଁବା ନ ଆସେ ତିଳେ,
ବଂଚିବାର କଳା ଜାଣି ତ ନହେଲା,
ବେଳ ବୁଡେ ଚକ୍ରବାଳେ,
ଖୋଜୁଛି ପୋଖତ କଳାକାର କିଏ ଦେବ ସେ କଳା ଶିଖାଇ,
ହେ ଜୀବନ ତୁମେ—————
(କଲମର ନାମ–ଅବିନାଶ)