ମୁଁ ତମ ମାଲିକ କହୁଚି ସାଆନ୍ତେ
ମୁଁ ତମ ମାଲିକ କହୁଚି ସାଆନ୍ତେ !
===================
ଧାନ ଆଜି ମାଗେ ଦି’ଚାଖଣ୍ଡ ପାଣି ,
ବରଷା ଗଲାଣି ଚାଲି,
ଆକାଶ ଝରାଏ ଦିଟୋପା ଛଳନା
ମାଟି ଫାଟିଲାଣି ବୋଲି।
ଦୋ’ଛକିରେ ଠିଆ ଧାନର କିଆରୀ
ଚାଟୁଛି ଜିଭ ଶୁଖିଲା ,
ଚାଷୀର ଆଖିରେ ଦୁଃଖ ବସି ମାଗେ
ଗୁଡପକା ଚା’ପିଆଲା।
ଆସିବ ଆସିବ କହି ଟାଉଟର
ସାର ଗଲା ବାଟ ହୁଡି,
ଶୁଖିଲା କେନାଲ ବସି ଗାଁ ମୁଣ୍ଡେ
ମାଗୁଛି ପାଣି ଲହଡି।
ସିନ୍ଧୁକ ଭିତରେ ତାଲାପଡି ଜମି
ହେଲାଣି ଅଣନିଃଶ୍ବାସୀ,
ସୁଧକୁ ପଇଠ ଫସଲକୁ ଚାହିଁ
ଲୁହ ଗଡଉଚି ଚାଷୀ।
ଯାଆ ମେଘ ପୁଣି ଆର ବରଷକୁ
ଆଣିବୁ ଲୁହର ନଈ,
ଚାଳିଶିରେ ବୁଢ଼ା ହେଲିଣି ବାପୁଡ଼ା
ମୁଣ୍ଡଝାଳ ପିଇ ପିଇ।
ଡ୍ରଇଂ ରୁମରେ ନାଚେ ରିଆ ରାଣୀ
ଚାଷୀ କରଜ ନିଆଁରେ,
ଚାଷର କରୋନା ହେଇଚି, ପଡ଼ିଚି
ଚାଷ ଭେଣ୍ଟିଲେଟରରେ।
କୁମ୍ଭୀର କାନ୍ଦଣା କାନ୍ଦୁଚନ୍ତି କିଛି
ଦିଗୋଡିଆ ଘଡିଆଳ,
ଦାନା ଯେ ଯୋଗାଏ ତାକୁ ଗିଳିବାକୁ
ହେଉଛନ୍ତି ମାଳମାଳ।
କଣ ଲେଖୁଚୁ କବି ଏତେ ବସି
ବାବିଛୁ ମୋ କଥା ଦିନେ?
ସପନ କୁହୁଡି ପିଆଲାରେ ମତେ
ଧରାଉଛୁ କି କାରଣେ ?
ସରକାର ଯଦି ଅଛି ଜଣେ କେହି
ଜଣା ତାକୁ ଦୁଃଖ ମୋର,
ପାଣି,ସାର,ଡାବୁ ଡହେଲେ ରେ ବାବୁ
କିଏ ଭରିବ ଉଦର?