ମୋ ଗାଁ ମୋ ଘର (୮)

ଗାଁ ମୋ ଘର

================================
ରାଜଦ୍ରୋହ ବନାମ ସ୍ବାଧୀନତା ସଂଗ୍ରାମ
================================
ସମ୍ମାନଜନକ ଚାକିରିଟିଏ ପାଇଥିଲେ ନନା (ବାପା) ବୈଦ୍ୟନାଥ ଷଡଙ୍ଗୀ। ଉନବିଂଶ ଶତାବ୍ଦୀର ଶେଷ ଦଶକରେ କବିବର ରାଧାନାଥ ଏବଂ ୧୯୧୯-୨୦ ମସିହାରେ କବିଚନ୍ଦ୍ର କାଳୀଚରଣ ଯେଉଁ ସ୍କୁଲ୍ ପରିଦର୍ଶକ ଚାକିରି ଖଣ୍ଡପଡ଼ାରେ କରିଥିଲେ ସେଇ ଚାକିରି ନନାଙ୍କ ହାତକୁ ଆସିବା କିଛି କମ୍ ଗର୍ବର କଥା ନୁହେଁ। କିନ୍ତୁ ସରକାରୀ କର୍ମଚାରୀର କର୍ତ୍ତବ୍ୟ ଏବଂ ଗୋରାସରକାର ବିରୋଧୀ, ସ୍ବାଧୀନତା ସଂଗ୍ରାମୀର ମନସ୍ତତ୍ତ୍ୱ ମଧ୍ୟରେ ସଂଘର୍ଷ ସବୁବେଳେ ତାଙ୍କ ମନ ଭିତରେ ଲାଗିରହିଥିଲା।

ଏହି ଆଲେଖ୍ୟର ଉଦ୍ଦେଶ୍ୟ ଖଣ୍ଡପଡ଼ାର ଇତିହାସ ବର୍ଣ୍ଣନା କରିବା ନୁହେଁ। ମୁଁ “ଖଣ୍ଡପଡ଼ାର ସଂସ୍କୃତି ଓ ଇତିହାସ” ନାମକ ଗୋଟିଏ ସ୍ବତନ୍ତ୍ର ପୁସ୍ତକ ରଚନା କରିଛି ଏବଂ ତାହା ମଧ୍ୟ ପ୍ରକାଶିତ ହୋଇଛି। ଖଣ୍ଡପଡ଼ାର ଇତିହାସ ଉପରେ ବିଶଦ ଧାରଣା ପାଇଁ ସେହି ବହିଟି ପଢିବାକୁ ମୁଁ ଅନୁରୋଧ କରିବି। । ତଥାପି ପୂର୍ବାପର ସଂହତି ପାଇଁ, ଏଠାରେ ସେ ସମୟର ରାଜନୈତିକ ପାଣିପାଗ ବିଷୟରେ ସମ୍ୟକ ସୂଚନା ଦେବା ଆବଶ୍ୟକ ପଢ଼ୁଛି ।

ସେ ସମୟରେ ଓଡ଼ିଶାରେ ୨୬ଟି ଗଡ଼ଜାତ ରାଜ୍ୟ ଥିଲା। ଗଡ଼ଜାତ ରାଜାମାନଙ୍କଠାରୁ କର ଆଦାୟ କରିବା ପରେ ରାଜ୍ୟଶାସନର ସାର୍ବଭୌମ କ୍ଷମତା ବ୍ରିଟିଶ ସରକାର ସେହି ରାଜ୍ୟଗୁଡ଼ିକ ଉପରେ ଛାଡି ଦେଇଥିଲେ।ଶାସକମାନଙ୍କ ଉପରେ ନିୟନ୍ତ୍ରଣ ରଖିବାପାଇଁ ଉପର ସ୍ତରରେ(ସମ୍ବଲପୁର/କଟକରେ)କମିଶନର ଥିଲେ। କିନ୍ତୁ ସରକାରଙ୍କ ପ୍ରତିନିଧି ଭାବରେ ଯେଉଁ ଦେବାନ(ଦିୱ୍ବାନ) ରାଜ୍ୟରେ ନିଯୁକ୍ତ ହେଉଥିଲେ, ସେ ଚୁଡା ସହିତ ଗୁଡ ଭଳି ରାଜାଙ୍କ ସହିତ ମିଶି ଯାଉଥିଲେ ଏବଂ ପ୍ରଜାଙ୍କ ଭଲମନ୍ଦ ବୁଝୁନଥିଲେ।କର ଭାରରେ ପ୍ରଜାଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିଲା। ଗଡ଼ଜାତ ମାନଙ୍କରେ ପ୍ରଜାପ୍ରପୀଡନର ଲୋମହର୍ଷଣକାରୀ କାହାଣୀ ସେ ସମୟରେ ଅନେକ ଶୁଣିବାକୁ ମିଳୁଥିଲା। ଜନୈକ କବି “ଦଶହରା ଭେଟି”ନାମକ ଏକ ଦୀର୍ଘ କବିତାରେ ତତ୍କାଳୀନ ରାଜାମାନଙ୍କ ଅତ୍ୟାଚାର ଏବଂ ପ୍ରଜାଙ୍କ ଉପରେ ଯୌନପ୍ରପୀଡନ କଥା ଏପରି ବର୍ଣ୍ଣନା କରିଛନ୍ତି ଯେ ତାହା ପଢ଼ିଲେ ରକ୍ତ ଗରମ ହୋଇଯିବ। ତାହା ବହି ଆକାରରେ ମଧ୍ୟ ପ୍ରକାଶିତ ହୋଇଥିଲା। ତାହା କପୋଳକଳ୍ପିତ କହି ଲେଖକଙ୍କ ବିରୁଦ୍ଧରେ କିଛି ଗଡ଼ଜାତ ରାଜା ଗୋରା ସରକାରଙ୍କ ଆଗରେ ଫେରାଦି କରିଥିଲେ।ପରିଣାମ ସ୍ବରୂପ ଲେଖକଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା ଏବଂ ସେହି ପୁସ୍ତକଟି ବ୍ୟାଜ୍ୟାପ୍ତ କରାଯାଇଥିଲା।

ଅବଶ୍ୟ ଖଣ୍ଡପଡ଼ାରେ ପ୍ରଜାମାନେ କରଭାରର ପୀଡ଼ା ଭୋଗ କରୁଥିଲେ ମଧ୍ୟ ଏଠାର ରାଜାମାନେ ଅନ୍ୟ ଗଡ଼ଜାତ ରାଜାଙ୍କ ଭଳି ଅତ୍ୟାଚାରୀ ନଥିଲେ। ସେମାନେ ଧର୍ମଭୀରୁ ଥିଲେ।ରାଜା କୁଞ୍ଜବିହାରୀ ସିଂହ ଆମ୍ବ, ପଣସ, ଲିଚୁ ଆଦି ଅନେକ ବୃକ୍ଷ ରୋପଣ କରି ଖଣ୍ଡପଡ଼ାକୁ ନନ୍ଦନକାନନରେ ପରିଣତ କରିଦେଇଥିଲେ।କିସମ କିସମର ସୁସ୍ବାଦୁ ଆମ୍ବ ପାଇଁ ସେ ସମୟରେ ଖଣ୍ଡପଡ଼ା ଭାରତପ୍ରସିଦ୍ଧ ଥିଲା। ସେହି ବଗିଚା ଗୁଡ଼ିକର କଳେବର ଏବଂ ଶ୍ରୀବୃଦ୍ଧି ପରବର୍ତ୍ତୀ ରାଜା ନଟବର ସିଂହଙ୍କ ଅମଳରେ ହୋଇଥିଲା।ନଟବରଙ୍କ ଦୃଢ଼ ଶାସନ ଯୋଗୁଁ ରାଜ୍ୟରେ ଚୋରିହାରି ମଧ୍ୟ ବିଶେଷ ନଥିଲା।ସେ ନିଜେ ଇନ୍ଦ୍ରିୟ ସଞ୍ଜମୀ ଥିଲେ ଏବଂ ବିଶୃଙ୍ଖଳା ବରଦାସ୍ତ କରୁନଥିଲେ।ନଅଙ୍କ ଦୁର୍ଭିକ୍ଷର ଭୟାବହତା(୧୮୬୬-୬୭) ପରେ ରାଜ୍ୟରେ ଶସ୍ୟ ଗଚ୍ଛିତ ରଖିବା ପାଇଁ ବିଭିନ୍ନ ସ୍ଥାନରେ ସେ ଶସ୍ୟାଗାର ବା “grain gola” ପ୍ରତିଷ୍ଠା କରିଥିଲେ।ତାଙ୍କ ମୃତ୍ୟୁ ୧୯୦୫ ମସିହାରେ ହୁଏ।ତାଙ୍କପରେ ୧୯୦୫ ମସିହା ଠାରୁ ୧୯୨୨ ପର୍ଯ୍ୟନ୍ତ ରାଜା ରାମଚନ୍ଦ୍ର ସିଂହ ରାଜୁତି କରନ୍ତି। ପଣ୍ଡିତ ଚନ୍ଦ୍ରଶେଖର ମିଶ୍ରଙ୍କ ଭାଷାରେ..ତାଙ୍କ ସମୟରେ ରାଜ୍ୟ ଶ୍ରୀହୀନ ହୋଇଗଲା।” ଐତିହାସିକ ଉଦୟନାଥ ଦାସଙ୍କ ଅନୁଯାୟୀ.. ରାଜା ନଟବର ସିଂହ ଯାହା ସବୁ ସଂଚୟ କରି ରଖିଥିଲେ ରାମଚନ୍ଦ୍ର ସବୁ ଉଡ଼ାଇ ଦେଲେ।ଇନ୍ଦ୍ରିୟ ପରତନ୍ତ୍ରତା ଯୋଗୁଁ ସେ ଅନେକ ଦୁରାରୋଗ୍ୟ ରୋଗରେ ମଧ୍ୟ ପ୍ରପୀଡ଼ିତ ହୋଇଥିଲେ। ୧୯୨୨ ମସିହାରେ ସେ ଯେତେବେଳେ ଆଖି ବୁଜିଲେ ରାଜକୋଷ ଶୂନ୍ୟ ହୋଇଯାଇଥିଲା।

ସେତେବେଳକୁ ପରବର୍ତ୍ତି ରାଜା ହରିହର ସିଂହ ନାବାଳକ।ଷ୍ଟେଟ୍ କୋର୍ଟ ଅଫ୍ ୱ୍ବାର୍ଡସ୍ ହୋଇଗଲା ଏବଂ ଭକ୍ତବଲ୍ଲଭ ଦାସ ନାମକ ଜଣେ ବ୍ୟକ୍ତି ସୁପରିଟେଣ୍ଡେଣ୍ଟ ହୋଇ ଶାସନ ଦାୟିତ୍ୱରେ ରହିଲେ।୧୯୨୨ ମସିହାରୁ ୧୯୩୫ ମସିହା ପର୍ଯ୍ୟନ୍ତ ଖଣ୍ଡପଡ଼ା କୋର୍ଟ ଅଫ୍ ୱ୍ବାର୍ଡସ୍ ହୋଇ ରହିଲା।ଭକ୍ତବଲ୍ଲଭ ତାଙ୍କ ମନମାନି କରି ୧୯୩୦ ମସିହାରେ ହୋଇଥିବା ଜମିଜୁମା ବନ୍ଦୋବସ୍ତ ସମୟରେ ଅନେକ ଅଉଲ କିସମର ଜମି ନିଜ ନାମରେ କରେଇ ନେଲେ। ରାଜାଙ୍କ ଗନ୍ତାଘରେ ଯାହାକିଛି ଧନ ସମ୍ପତ୍ତି ଥିଲା ଭକ୍ତବଲ୍ଲଭ ସବୁ ଚଳୁ କରିଦେଲେ।ଏଣେ ପ୍ରଜାମାନଙ୍କ ମନରେ ଗୋରା ସରକାରଙ୍କ ବିରୁଦ୍ଧରେ ଅସନ୍ତୋଷ ବଢି ଚାଲିଲା।ସେ ସମୟରେ ବିଭିନ୍ନ ଗଡଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନ ମୁଣ୍ଡ ଟେକିଥିଲା।ତାର ମଙ୍ଗୁଆଳ ଥିଲେ ଢେଙ୍କାନାଳର ସାରଙ୍କଧର ଦାସ୍ ,ଡଃ ହରେକୃଷ୍ଣ ମହତାବ ଏବଂ ନବକୃଷ୍ଣ ଚୌଧୁରୀଙ୍କ ଭଳି ବଡ଼ ବଡ଼ ନେତା। ଖାସମାହାଲର ଅନ୍ୟ ନେତାମାନେ ତାଙ୍କୁ ସକ୍ରୀୟ ସହଯୋଗ କରୁଥିଲେ।

ଏଭଳି ପରିସ୍ଥିତିରେ ୩୧ଜାନୁଆରୀ ୧୯୩୫ ମସିହାରେ ହରିହର ସିଂହ ସାବାଳକ ହୋଇ ଗାଦିରେ ବସିଲେ। ସେଦିନ ଖଣ୍ଡପଡ଼ାର ରଥଗଢା ଛକଠାରେ ଦରବାର ହଲ୍ ନିର୍ମିତ ହୋଇଥିଲା।ମହା ଜାକଜମକରେ ଅଭିଷେକ ଉତ୍ସଵ ପାଳିତ ହେଉଥାଏ। ସ୍ବତନ୍ତ୍ର ଅତିଥି ଭାବେ ସମ୍ବଲପୁରରୁ ପଲିଟିକାଲ ଏଜେଣ୍ଟ ନିମନ୍ତ୍ରିତ ହୋଇଥାନ୍ତି। ପଡୋଶୀ ରାଜ୍ୟର ରାଜା ଓ ରାଜପ୍ରତିନିଧିଙ୍କ ଛଡ଼ା ଶାସନ ଦାୟିତ୍ୱରେ ଥିବା ସବୁ ଅଫିସର ଏବଂ ରାଜ୍ୟର ବିଭିନ୍ନ ଗ୍ରାମର ସର୍ବରାକାର ଓ ଗ୍ରାମପ୍ରଧାନମାନେ ମଧ୍ୟ ନିମନ୍ତ୍ରିତ ହୋଇଥାନ୍ତି।

ନନା(ବାପା) ରାଜାଙ୍କର ଖାସ୍ ବନ୍ଧୁ।ତା ଛଡା ସ୍କୁଲ୍ ସମୂହର ସବ୍’ଇନ୍ସପେକ୍ଟର୍। ତେଣୁ ଅଭିଷେକ ଦିନ ବିଭିନ୍ନ ସମୟରେ ପିନ୍ଧିବା ପାଇଁ ଚାରି/ପାଞ୍ଚ ହଳ ସ୍ବତନ୍ତ୍ର କୋର୍ଟ, ଫୁଲପ୍ୟାଣ୍ଟ୍ ଓ ସାର୍ଟ ସିଲେଇ ହୋଇଥାଏ।ନନା ସାଧାରଣତଃ ଧୋତି ସହିତ କୋର୍ଟ ପିନ୍ଧୁଥିଲେ (ସେ ସମୟର ପୋଷାକ)। କିନ୍ତୁ ସେ ଦିନ ରାଜାଜ୍ଞା ପାଳନ କରି ଫୁଲପ୍ୟାଣ୍ଟ୍,ଫୁଲ୍ ସାର୍ଟ ଓ କୋଟ ପିନ୍ଧି ଥିଲେ। ଅଜାତିକୁ ବଣିଜ ଅଡୁଆ। ସେହି ଗୋଟିଏ ଦିନ ପରେ ଆଉ କେବେ ସେ ସେହି ବିଦେଶୀ ପୋଷାକ ଗୁଡ଼ିକ ପିନ୍ଧି ନଥିଲେ। ଧୋତି ଏବଂ ହାଫ୍’ସ୍ଲିଭ୍ ଲମ୍ବା କୁର୍ତ୍ତା ତାଙ୍କର ମାର୍କାମରା ପୋଷାକ ଥିଲା। ମୋର ମନେ ଅଛି ନନାଙ୍କର ସେହି ପରିତ୍ୟକ୍ତ ବିଦେଶୀ ପୋଷାକ ଗୁଡିକ ଆମେ ଭାଇ ଭଉଣୀ,ବହୁବର୍ଷ ପର୍ଯ୍ୟନ୍ତ ଶୀତଦିନେ ପିନ୍ଧୁଥିଲୁ,ଶୀତରୁ ରକ୍ଷା ପାଇବାପାଇଁ।

ସ୍ବାଧୀନତା ସଂଗ୍ରାମ ଜୋର ଧରିଥାଏ। ଖଣ୍ଡପଡ଼ାର ସ୍ବାଧୀନଚେତା ନେତାମାନେ ଭିତରେ ଭିତରେ ସଙ୍ଗଠନ ଗଢି ପ୍ରଜା ଆନ୍ଦୋଳନକୁ ସମର୍ଥନ କରୁଥାନ୍ତି।୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲାପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀ ଥାଆନ୍ତି। ଡଃ ହରେକୃଷ୍ଣ ମହତାବ ଏବଂ ଶ୍ରୀଯୁକ୍ତ ବିଶ୍ୱନାଥ ଦାସ ଇତ୍ୟାଦି ସଂଗ୍ରାମୀଙ୍କ ନେତୃତ୍ୱରେ ସ୍ବାଧୀନତା ସଂଗ୍ରାମ ତେଜି ଉଠିଥାଏ।

ଇତିମଧ୍ୟରେ ୧୯୩୮-୩୯ ମସିହାରେ ଦୁଇଟି ଘଟଣା ଓଡ଼ିଶାର ସ୍ବାଧୀନତା ସଂଗ୍ରାମକୁ ଲେଲିହାନ ଅଗ୍ନିଶିଖାରେ ପରିଣତ କରିଦେଇଥାଏ।୧୧ଅକ୍ଟୋବର ୧୯୩୮ ମସିହାରେ ବାଜି ରାଉତ ନାମକ ଗୋଟିଏ ବାରବର୍ଷର ବାଳକ ଢେଙ୍କାନାଳରେ ପୋଲିସ ଗୁଳିରେ ପ୍ରାଣ ହରାଇବା ପରେ ଏବଂ ୫ଜାନୁଆରୀ୧୯୩୯ ମସିହାରେ ରଣପୁର ଠାରେ ରଘୁ,ଦିବାକରଙ୍କ ନେତୃତ୍ଵରେ ପଲିଟିକାଲ ଏଜେଣ୍ଟ ବେଜେଲଗେଟର ହତ୍ୟା ପରେ ସ୍ବାଧୀନତା ସଂଗ୍ରାମ ନିଆଁ ରାଜ୍ୟସାରା ବ୍ୟାପି ଯାଇଥାଏ। ଦେଶୀୟ ରାଜ୍ୟ ମାନଙ୍କୁ ଗୋରା ସରକାରଙ୍କ ନିର୍ଦ୍ଦେଶ ଥିଲା ନିର୍ଦ୍ଦୟ ଭାବରେ ଏହି ସଂଗ୍ରାମକୁ ଦମନ କରିବାପାଇଁ।

ନନା ନିଜ ମନଭିତରର ସ୍ବାଧୀନ ଚେତନାକୁ ଆଉ ରୋକି ପାରିଲେ ନାହିଁ। ଚାକିରିକୁ ଖାତିରି ନକରି ସଂଗ୍ରାମୀମାନଙ୍କ ସହିତ ଭିତିରିଆ ଯୋଗ ଦେଲେ।ଏ ସମ୍ବାଦ ରାଜାଙ୍କ କାନରେ ପଡ଼ିବାପାଇଁ ବେଶି ସମୟ ଲାଗିଲା ନାହିଁ।

ଖଣ୍ଡପଡ଼ାର ସ୍ବାଧୀନତା ସଂଗ୍ରାମୀ ରଘୁନାଥ ସିଂହ ସାମନ୍ତ ତାଙ୍କ ପୁସ୍ତକ ପ୍ରଜାମଣ୍ଡଳ ଇତିହାସରେ ଲେଖିଛନ୍ତି..ସନ ୧୯୩୯ ମସିହା। ଖଣ୍ଡପଡ଼ା ପ୍ରଜାମଣ୍ଡଳ କିଛି ମୁଖିଆ ଲୋକଙ୍କୁ ନେଇ ଗଠିତ ହୋଇଥାଏ।ଶ୍ରୀ ଉପେନ୍ଦ୍ର ଶତପଥୀ ଓ ଶ୍ରୀ ବୈଦ୍ୟନାଥ ଷଡଙ୍ଗୀ (ମୋ ନନା)ଦୁଇଜଣ ଶିକ୍ଷକ ଏଥିରେ ଚୋରାଭାବରେ ଯୋଗ ଦେଇଥାନ୍ତି। ସିକନ୍ଦରାବାଦରୁ ୨୦୦ ସଶସ୍ତ୍ର ପୋଲିସ ରାଜା ମଗାଇଥାନ୍ତି, ଆନ୍ଦୋଳନ ଦମନ କରିବା ପାଇଁ।ପ୍ରଥମେ ଉପେନ୍ଦ୍ର ବାବୁ ଓ ପରେ ବୈଦ୍ୟନାଥ ଷଡଙ୍ଗୀ ରାତାରାତ ଷ୍ଟେଟ୍ ଛାଡି ଚାଲିଗଲେ।”
ନନା ଷ୍ଟେଟ୍ ଛାଡି ଖାସମାହାଲ ଅଞ୍ଚଳକୁ ଚାଲି ଯାଇ ଥିଲେ,ରାଜରୋଷରୁ ନିଜକୁ ବଞ୍ଚାଇ ସଂଗ୍ରାମରେ ନିଜର ସହଯୋଗିତାକୁ ସକ୍ରୀୟ ରଖିବା ପାଇଁ ;କାରଣ ଖାସମାହାଲ ଅଞ୍ଚଳରେ ରାଜୁଡା ଶାସନର ପ୍ରଭାବ ନଥିଲା । ତାହା ଓଡିଶା ସରକାରଙ୍କ ସ୍ୱାୟତ୍ତ ଶାସନ ଅଧୀନରେ ଥିଲା। ସ୍ବାଧୀନତା ସଂଗ୍ରାମରେ ଯୋଗଦେବା ଯୋଗୁଁ ନନାଙ୍କ ଚାକିରୀ ଚାଲିଗଲା;ପେଟରେ ଲାତମାରି ସତେ ଯେମିତି କିଏ ସୁନାଥାଳି ଛଡେଇ ନେଇ ଭିକ୍ଷାଥାଳଟିଏ ଧରେଇ ଦେଲା।
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *