Thursday, April 25, 2024
Devotional Poems

ଶ୍ରୀକୃଷ୍ଣଙ୍କୁ କାଲି ଦେଖିଲି ସ୍ବପନେ

ଶ୍ରୀକୃଷ୍ଣଙ୍କୁ କାଲି——-
————————-
ଶ୍ରୀକୃଷ୍ଣଙ୍କୁ କାଲି ଦେଖିଲି ସ୍ୱପନେ,
ରାତ୍ର ଚତୁର୍ଥ ପ୍ରହରେ,
ସଙ୍ଗତରେ ଥିଲେ ଗାନ୍ଧି, ଗୋପବନ୍ଧୁ
ରବିନ୍ଦ୍ରନାଥ ଠାକୁରେ।।

ପଟେଲ,ସୁବାସ,ଖୁଦିରାମ ବୋଷ
ଲକ୍ଷ୍ମୀ ,ଝାନସି ବାଘୁଣୀ ,
ଆଉ କେତେ କେତେ ମହାପୁରୁଷଙ୍କ
ହୋଇଥିଲା ଆଗମନୀ।।

କାହାର ମୁହଁରେ ଗୋବର ପ୍ରଲେପ
କା’ର ଭାଙ୍ଗିଥିଲା ହାତ,
କିଏ କାନକଟା,କିଏ ନାକକଟା
ବେଶ ଏଭଳି ଅଦ୍ଭୁତ ।।

ପାରା,କୁଆ,ଚିଲ ଚଢେଇ ଦେହରେ
ଉତ୍ସର୍ଗିଥିଲେ ପୁରୀଷ,
ପୁରାତନ ଶୁଷ୍କ ଫୁଲମାଳମାନ
ଗଳେ ହେଉଥିଲେ ଦୃଶ୍ୟ ।।

ତ୍ରିଭଙ୍ଗି ଠାଣିରେ ବାଙ୍କ ଚାହାଁଣିରେ
ପଚାରିଲେ ନାରାୟଣ,
“କିଏ କଲା ତୁମ୍ଭ ରୂପକୁ ବିକୃତ
ହେ ମହା ପୁରୁଷଗଣ ??”

ତାଙ୍କ ପ୍ରତିନିଧି ହୋଇ ଗାନ୍ଧିବୁଢା
କହିଲେ “କିଏ କରିବ ?
ଯିଏ କରିଥିଲେ ଦେବତା ଆମ୍ଭକୁ
ଦିଅନ୍ତି ସେ ପରାଭବ।।

ଦିନେ ବସିଥିଲୁ ଦେବତା ଆସନେ
ଆଜି ପାଉଁ ତିରସ୍କାର ,
କିଏ କହେ ଆମେ ପଚା-ନଳା-କୀଟ
କିଏ ବା କହେ କୁକୁର।।

ଖରା,ବରଷାରେ,ଶୀତରେ କାକରେ
ହେଉଁ ବଡ ହୀନମାନ,
ଉଦ୍ଘାଟନ ପରେ କିଏବା ପଚାରେ
ମୁକ୍ତାଙ୍ଗନେ କଟେ ଦିନ।।

ପଥର ମାଡରେ କା ହାତ ଭାଙ୍ଗିଛି
ଉଡିଯାଇଛି କା ମୁଣ୍ଡ,
କାହା ପ୍ରତିମୂର୍ତ୍ତି ଫାଶି ଖୁମ୍ବେ ଝୁଲି
ପାଏ ସାଙ୍କେତିକ ଦଣ୍ଡ ।।

ମୋ ତିନି ମାଙ୍କଡ କଲବଲ ବଡ
ହୋଇ ତାତ୍ସଲ୍ୟ ଶିକାର,
ଲୁଚିଲେଣି ଯାଇ ବଣ,ଜଙ୍ଗଲରେ
ଭୋକ,ଉପାସେ ଅଧୀର।।”

ଶୁଣି ଏହା ହସି ବୋଲେ ବ୍ରଜଶଶି,
“ଏଥିପାଇଁ ଏତେ ଚିନ୍ତା !!
ଯୁଗେ ଯୁଗେ ମୋତେ ଦେଇ ପରାଭବ
ପୁଣି ପୂଜନ୍ତି ଜନତା।।

କାଳର କରାଳ ଗର୍ଭେ ହଜିଯାଏ
ଯେତେ ସବୁ ଶ୍ରେଷ୍ଠ କର୍ମ,
ସ୍ମରଣ ଶକତି କ୍ଷଣସ୍ଥାୟୀ ଅତି,
ବିସ୍ମୃତି ରଚେ ବିଭ୍ରମ।।

ଦ୍ୱାପର ଯୁଗରେ କୃଷ୍ଣ ଅବତାରେ
କଲେ ମୋତେ ଭଗବାନ,
ଇତିହାସ କରି ବିକୃତ କଳିରେ
କରନ୍ତି ଦୁର୍ଗୁଣ ଗାନ।।

ଯାଉ କିଛିଦିନ ହେ ଗାନ୍ଧି ମୋହନ !,
ହୋଇବ ଖଳ ନାୟକ,
ସ୍ୱାଧୀନତା ପାଇଁ ସବୁଦାନ ତୁମ୍ଭ
ଭୁଲିଯିବେ ଦେଶଲୋକ।।

ସବୁଯୁଗରେ ତ ଅଛନ୍ତି ରାବଣ
କଂସ, ହିରଣ୍ୟକଶିପୁ,
ରହିଛନ୍ତି ମଧ୍ୟ ରାମଚନ୍ଦ୍ର, କୃଷ୍ଣ,
ବିଷ୍ଣୁ ଚିରିବାକୁ ବପୁ।।

ପାଗଳ ଗୋଇଠା ଖାଇ ମୁଁ ହସଇ
ତୁମ୍ଭେ କର ସେହିପରି,
ତୁମ୍ଭେ ଯୋଗଜନ୍ମା ଦେବତା ହୋଇଛ
ଦୈବୀକର୍ମକୁ ଆଚରି।।

ଦେବ-ଶକ୍ତି ମୂଲ୍ୟ ବଢଇ ହୋଇଲେ
ଆସୁରୀ ଶକ୍ତି ଉଦୟ,
ଆଲୋକର ଅନ୍ତେ ଅନ୍ଧକାର ଆସେ
ପୁଣି ହୁଏ ସୂର୍ଯ୍ୟୋଦୟ।।”

ତାପରେ ମୋର ନିଦ ଭାଙ୍ଗିଗଲା——

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply