ସାଗର ବୁକୁରେ ନାଆଁ ହଜିଗଲା

  • ପୁରୁଷ ଏବଂ ନାରୀ ପରସ୍ପରର ପରିପୂରକ।ଜୀବନଯାତ୍ରା ଯେବେ ଭଲପାଇବାରୁ ଆରମ୍ଭ ହୁଏ ସେ ଭଲ ପାଇବା କୁସୁମିତ ହୋଇ ସଂସାରକୁ ସୁରଭିତ କରେ।କିନ୍ତୁ ବେଳେ ବେଳେ ଅବୁଝାବଣାର ଝଡରେ ସଂସାର ଫୁଲଗଛଟି ଭାଙ୍ଗିପଡେ।ସେ ଯନ୍ତ୍ରଣା ଅସହ୍ୟ।ନାରୀ ଓ ପୁରୁଷ ପରସ୍ପର ଉପରେ ଦୋଷାରୋପ କରନ୍ତି।ସେପରି ଜଣେ ବଂଧୁଙ୍କର ମାନସିକ ଝଡର କିଂଚିତ ଆଭାସ ଦେବାକୁ ଏଠାରେ ମୋର ପ୍ରଚେଷ୍ଟା।
    ————————————————————-‘——

    ସାଗର ବୁକୁରେ ନାଆ ହଜିଗଲା
    ପରି ତୁମେ ଗଲ ହଜି,
    ସେହି ଦିନୁ ଏଇ ବିଜନ ବେଳାରେ,
    ବୁଲୁଛି ତୁମକୁ ଖୋଜି ।0।

    ପ୍ରତିଶ୍ରୁତି ଯାହା ଦେଇଥିଲ ତାର
    ନାମାନ୍ତର ପ୍ରତାରଣା,
    ଶାମୁକା ଆଖିରୁ ମୁକ୍ତା ଖୋଜି ଖୋଜି
    ହେଲି ଶେଷେ ବାଟବଣା।
    ତୁମ ପ୍ରତୀକ୍ଷାର ପୁରାତନ କ୍ଷତ
    ଲହୁ ଝରାଉଛି ଆଜି——–ସାଗର ବୁକୁରେ ନାଆ—-

    ଥିଲ ତୁମେ ଏକ ଜ୍ୟାମିତିକ ବୃତ୍ତ
    ସୀମାରେଖା ମୋ ମନର,
    ତା ଭିତରେ ତୁମେ ଗଢିଦେଇ ଗଲ
    ବାଲିର ସୁନ୍ଦର ଘର,
    ସେଇ ବାଲିଘର ଭାସିଗଲା ଦିନେ
    ନିରାଶାର ଢେଉ ବାଜି——-ସାଗର ବୁକୁରେ——–

    ଭାବିଥିଲି ତୁମେ ମାଟିର ସୁଗନ୍ଧ
    ତୁମେ ତ ଆକାଶ ଜ୍ୟୋତି,
    ନୀଳକଇଁ ବୋଲି ଦେଇ ପରିଚୟ
    ସାଜିଲ ତାରା ପ୍ରଭାତୀ,
    ମଲାଜହ୍ନ ଆଜି ଆକାଶେ ଝୁରୁଛି
    ନୀଳକଇଁ ପଥ ହେଜି——-ସାଗର ବୁକୁରେ—–

Click to rate this post!
[Total: 1 Average: 5]

Leave a Reply

Your email address will not be published. Required fields are marked *