ସାମନ୍ତ ସ୍ମରଣେ(୪)—ରାମେଶ୍ଵରଙ୍କ କରୁଣା

ସାମନ୍ତ ସ୍ମରଣେ

(ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଉପରେ ଆଧାରିତ)
…………୪……
ରାମେଶ୍ବରଙ୍କ କରୁଣା
………………………
ସମଗ୍ର ବିଶ୍ବବ୍ରହ୍ମାଣ୍ଡ ଏକ ଏୈଶ୍ବରିକ ନିୟମ ଅନୁଯାୟୀ ପରିଚାଳିତ।ସେ ନିୟମରେ ତିଳେମାତ୍ର ବିଚ୍ୟୁତି ହେଲେ ଈଶ୍ବର ମଧ୍ୟ ରୁଷ୍ଟ ହୋଇ ଯାଆନ୍ତି;ଏପରିକି ହିନ୍ଦୁ ପର୍ବ ପର୍ବାଣିରେ ଦିନ,ଦଣ୍ଡ,ଲିତା ଇତ୍ୟାଦିର ବ୍ୟତିକ୍ରମ ହେଲେ ସେ ପୂଜା ଏବଂ ସମର୍ପଣ ଦେବଗ୍ରହଣୀୟ ହୁଏନାହିଁ।ଏହିପରି ଏକ ଘଟଣା ୧୮୩୫ ମସିହାରେ, ଖଣ୍ଡପଡା ଠାରୁ  ଅନତି ଦୂୂୂୂରରେ ଥିବା ରାମେଶ୍ବର ମହାପ୍ରଭୁଙ୍କ ମନ୍ଦିରରେ ଘଟିଥିଲା।

ସେ ଦିନ ଶିବ ଚତୁର୍ଦଶୀରେ ଅନେକ ଭକ୍ତଙ୍କର ସମାଗମ ହୋଇଥାଏ।ବନ୍ଧୁ ସାମନ୍ତ ମଧ୍ୟ ସସ୍ତ୍ରୀକ ପ୍ରଭୁଙ୍କ କୃପାଲାଭ ପାଇଁ ଉପସ୍ଥିତ ଥାଆନ୍ତି। ଏହି ସମୟରେ ହଠାତ୍ ରାମେଶ୍ବରଙ୍କ ବୁଢାମାଳି ମନ୍ଦିର ଭିତରୁ ଥରି ଥରି ବାହାରକୁ ଚାଲିଆସିଲା ।ଶରୀରରେ କମ୍ପନ,ମଥାରେ ବିନ୍ଦୁ ବିନ୍ଦୁ ଝାଳ।”ରକ୍ଷାକର,କ୍ଷମାକର ହେ ଦେବାଧିଦେବ” ବୋଲି ପାଟି କରୁଥିବା ମାଳିକୁ ଭକ୍ତମାନେ କାରଣ ପଚାରିବାରୁ ସେ କହିଲା”ଦେବାଧିଦେବଙ୍କୁ କେତକୀ ଲାଗିକରିବାରୁ ତାହା ବାରମ୍ବାର ଲିଙ୍ଗଙ୍କ ଦେହରୁ ଖସିପଡିଲା।ନିରୀକ୍ଷଣ କରିବାରୁ ଦେଖାଗଲା ଯେ ଶିବଲିଙ୍ଗ ଚାରିପାଖରେ ଏକ ନାଗସାପ ଗୁଡେଇ ହୋଇ ରହିଛି।ପ୍ରଭୁଙ୍କର ଏତେଦିନ ସେବାକରିବା ଭିତରେ ମୁଁ ଏଭଳି ଘଟଣା କେବେ ଦେଖି ନଥିଲି।ନିଶ୍ଚୟ କିଛି ନୀତିବିଭ୍ରାଟ ଘଟିଛି’।”
ଏକଥା ଶୁଣି ଉପସ୍ଥିତ ଭକ୍ତମାନଙ୍କ ମନରେ ଆବେଗ ସୃଷ୍ଟିହେବା ସ୍ବାଭାବିକ୍।ସେଦିନ ରାତିରେ ଭକ୍ତମାନେ ଜାଗର ଜାଳି ବେଢାଭିତରେ ବସିଥାନ୍ତି।ଶ୍ୟାମବନ୍ଧୁ ମଧ୍ୟ ସସ୍ତ୍ରୀକ ଜାଗର ଜାଳୁଥାନ୍ତି।ରାତିର ତୃତୀୟ ପ୍ରହରରେ ଶ୍ୟାମବନ୍ଧୁଙ୍କ ନେତ୍ର ତନ୍ଦ୍ରାଛନ୍ନ ଥିବା ଅବସ୍ଥାରେ ସେ ସ୍ବପ୍ନର ଦେଖିଲେ…..ଜଣେ ତେଜୋଦୀପ୍ତ,ଶୁକ୍ଳାମ୍ବରଧାରୀ ବ୍ରାହ୍ମଣଙ୍କ ପାଖରେ ଅପୂର୍ବ ସୁନ୍ଦରୀ ଏକ ନାରୀ କେତକୀ ପାଖୁଡାଧରି ଉପସ୍ଥିତ।ସେ ଅପୂର୍ବ ସୁନ୍ଦରୀ ,ବ୍ରାହ୍ମଣଙ୍କ ମଥାରେ କେତକୀ ପାଖୁଡା ଲାଗିକରିବାକୁ ଉଦ୍ୟତ ହେବାରୁ ବ୍ରାହ୍ମଣ ବାରଣକରି କହୁଛନ୍ତି…ଏ କଣ କରୁଛ ପ୍ରିୟେ ! ଚତୁର୍ଦ୍ଦଶୀ ବ୍ୟତୀତ ଅନ୍ୟଦିନ ମାନଙ୍କରେ ମୁଁ କେତକୀ ଗ୍ରହଣ କରେନାହିଁ ବୋଲି ତୁମେ କଣ ଜାଣନାହିଁ?’ଆଶ୍ଚର୍ଯ୍ୟ ହୋଇ ସେ ଅପୂର୍ବ ନାରୀ କହୁଛନ୍ତି…ପ୍ରଭୁ,ଆଜିପରା ଜାଗର।ମୋର ଅପରାଧ ରହିଲା କେଉଁଠି?’ଏହାଶୁଣି ବ୍ରାହ୍ମଣ କହୁଛନ୍ତି….ନା ଦେବୀ।ସ୍ଥୂଳଗଣନା ଅନୁସାରେ ଭକ୍ତମାନେ ଆଜି ଭୁଲରେ ଜାଗର ପାଳନ କରୁଛନ୍ତି।ଆଜି କିନ୍ତୁ ଚତୁର୍ଦ୍ଦଶୀ ତିଥି ପ୍ରକୃତରେ ନୁହେଁ। ଖୁବ୍ ଶୀଘ୍ର ମୋର କଳା ନେଇ ଜଣେ ମହାପୁରୁଷ ଏଇ ମାଟିରେ ଜନ୍ମନେବେ ଏବଂ ସୂକ୍ଷ୍ମଗଣନା ଅନୁସାରେ ସଠିକ ଦିନ,ଦଣ୍ଡ,ଲିତା ଇତ୍ୟାଦି ସ୍ଥିର କରିବେ।’

ଶ୍ୟାମବନ୍ଧୁଙ୍କର ତନ୍ଦ୍ରାଭଙ୍ଗ ହେଲା।ଠିକ୍ ସେହି ସମୟରେ ବିଷ୍ଣୁମାଳୀଦେବୀ ତନ୍ଦ୍ରାଳୁ ଅବସ୍ଥାରେ ସ୍ବପ୍ନ ଦେଖିଲେ…ଜଣେ ଦିବ୍ୟସୁନ୍ଦରୀ ନାରୀ ତାଙ୍କସମକ୍ଷରେ ଉପସ୍ଥିତହୋଇ କହୁଛନ୍ତି’ପ୍ରଭୁ ତୁମ ଗୁହାରୀ ଶୁଣିଛନ୍ତି ଦେବୀ।ଅତିଶୀଘ୍ର ତୁମେ ଏକ ଧୀମାନ ପୁତ୍ରର ଜନନୀ ହେବାର ସୌଭାଗ୍ୟ ପାଇବ।କାଲି ସକାଳେ ଶିବ ଦର୍ଶନବେଳେ ଶକ୍ତିପାଖରେ ଯାହାପାଇବ ତାହା ନିର୍ବିକାର ଚିତ୍ତରେ ଭକ୍ଷଣ କରିବ।’
ବିଷ୍କୁମାଳୀ ଦେବୀ ତାହାହିଁ କଲେ। ପରଦିନ ପ୍ରାତଃକାଳରେ ଶିବଦର୍ଶନ ବେଳେ ଲିଙ୍ଗର ଚତୁଃପାର୍ଶ୍ବ ଦରାଣ୍ଡି,ଏକ କ୍ଷୁଦ୍ର କୃଷ୍ଣଶିଳା ପାଇ ତାହା ଭକ୍ତିପୂତ ଆନନ୍ଦ ମନରେ ଉଦରସ୍ଥ କଲେ।।ଫେରିବା ସମୟରେ ସ୍ବାମୀ ସ୍ତ୍ରୀ ସେହି ସ୍ବପ୍ନ ସନ୍ଦେଶ କୁହା କୁହି ହୋଇ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ।
କିଛି ଦିନ ଅତିବାହିତ ହେଲା।ବିଷ୍କୁମାଳୀଙ୍କର ଗର୍ଭ ଲକ୍ଷଣ ଷ୍ପଷ୍ଟରୁ ଷ୍ପଷ୍ଟତର ହେଲା।

କ୍ରମଶଃ—–

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *