ସାମନ୍ତ ସ୍ମରଣେ (୧୯)

ସାମନ୍ତ ସ୍ମରଣେ
……..୧୯..
ଗୁଣ ଚିହ୍ନେ ଗୁଣିଆ
============
(An account of the life and work of Samanta Chandrasekhar,the wonder Astronomer of 19th Century)
…………………………………………………..
ଉତ୍କଳ ଭାରତୀଙ୍କର ସୁଯୋଗ୍ୟ ସନ୍ତାନ ତଥା ଓଡିଆ ସାହିତ୍ୟର ଆଧୁନିକ ଯୁଗର ପୁରୋଧା କବିବର ରାଧାନାଥ ରାୟଙ୍କୁ କିଏ ନଜାଣେ?ପ୍ରାତଃ ନମସ୍ୟ ସେ ମହାତ୍ମା, ଶ୍ମଶାନ ତୁଳସୀ ସାମନ୍ତ ଚନ୍ଦ୍ରଶେଖରଙ୍କର ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ରାଧାନାଥ ରାୟ ସେ ସମୟରେ ଶିକ୍ଷା ବିଭାଗରେ ଜଏଣ୍ଟ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ।କାର୍ଯ୍ୟ ଉପଲକ୍ଷେ ସେ ଅନେକବାର ଖଣ୍ଡପଡା ଗସ୍ତରେ ଆସୁଥିଲେ।ସେହି ସମୟରେ ସେ ଚନ୍ଦ୍ରଶେଖରଙ୍କ ଅଗାଧ ପାଣ୍ଡିତ୍ୟ ଏବଂ ଜ୍ୟୋତିର୍ବିଜ୍ଞାନରେ ନିରନ୍ତର ଗବେଷଣା ସମ୍ବନ୍ଧରେ ଅବଗତ ହୋଇଥିଲେ।ସେହିଠାରୁ ସାମନ୍ତଙ୍କ ସହିତ କବିବରଙ୍କର ନିବିଡ ବନ୍ଧୁତା ଗଢି ଉଠିଥିଲା।ଉଭୟେ ଥିଲେ ଗୁଣୀ ଓ ଜ୍ଞାନୀ।ଜଣେ ଓଡିଆ ସାହିତ୍ୟରେ ଲବ୍ଧପ୍ରତିଷ୍ଠ ତୁଙ୍ଗ କବି ତ ଅନ୍ୟଜଣେ ଶ୍ରେଷ୍ଠ ସଂସ୍କୃତ ଶାସ୍ତ୍ରୀ ତଥା ଗଣିତ ଜ୍ୟୋତିଷ ଓ ଜ୍ୟୋତିର୍ବିଜ୍ଞାନ ଗବେଷକ।କବିବରଙ୍କର ଖଣ୍ଡପଡା ଗସ୍ତ ସମୟରେ ଉଭୟଙ୍କ ମଧ୍ୟରେ ନାନାପ୍ରକାର ଶାସ୍ତ୍ର ଆଲୋଚନା ହେଉଥିଲା।ଗୁଣମୁଗ୍ଧ ରାଧାନାଥ ସ୍ବରଚିତ ଦରବାର କାବ୍ୟରେ (1893)ସାମନ୍ତଙ୍କର ପ୍ରଶଂସାରେ ଶତମୁଖ ହୋଇ ଲେଖିଛନ୍ତି….
“ଗୁଣଜ୍ଞ ଉତ୍କଳେ ଜଣେ କେହି ନାହିଁ,
ଗୁଣୀନ୍ଦ୍ର ତୁମ୍ଭର ହେବ ଗୁଣଗ୍ରାହୀ।

ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନରଦେହେ ଥିବ ଯାବତ ହୃଦୟ।

ସାମନ୍ତଙ୍କର କ୍ଷୀଣ ସ୍ବାସ୍ଥ୍ୟ ଦେଖି ଅତ୍ୟନ୍ତ ଚିନ୍ତିତ ହୋଇ ପଡୁଥିଲେ ରାଧାନାଥ ରାୟ।ତାହା ବ୍ୟକ୍ତ
କରି କବିବର ଦରବାରରେ ବର୍ଣ୍ଣନା କରିଛନ୍ତି…………..

“ଆହା ଶୀର୍ଣ୍ଣ ଅଙ୍ଗ ଦିଶେ କେଡେ ମ୍ଲାନ,
ପ୍ରତେ ଦୀପ ଯଥା ଆସନ୍ନ ନିର୍ବାଣ।
ସବୁବେଳେ ଜଳୁଅଛ ଚିନ୍ତାନଳେ,
ଏହାପରେ ପୁଣି କ୍ରୁର ଭାଗ୍ୟ ଫଳେ”।

ମଞ୍ଜୁଷା ଗଡର ରାଜା ରାଜମଣି ଦେବଙ୍କ ବ୍ୟତୀତ ଯଦି କେହି ସାମନ୍ତଙ୍କ ପ୍ରତିଭାକୁ ପ୍ରଥମେ ଆବିଷ୍କାର କରି ଲୋକଲୋଚନକୁ ଆଣିବାର ପ୍ରଚେଷ୍ଟା କରିଥାଏ,ସେ ହେଉଛନ୍ତି କବିବର ରାଧାନାଥ ରାୟ।ସାମନ୍ତଙ୍କ ପ୍ରତିଭା ପ୍ରତି ସେ ପ୍ରଥମେ ରେଭେନ୍ସା ମହାବିଦ୍ୟାଳୟର ବିଜ୍ଞାନ ପ୍ରଫେସର ଯୋଗେଶଚନ୍ଦ୍ର ରାୟ ଏବଂ କଲିକତା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶଚନ୍ଦ୍ର ନ୍ୟାୟରତ୍ନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ତତ୍ପରେ ମଧୁବାବୁ,ଗୌରୀଶଙ୍କର,ମାର୍କଣ୍ଡେୟ ତର୍କପଞ୍ଚାନନ ଇତ୍ୟାଦି ଗଣ୍ୟ ମାନ୍ୟ ବ୍ୟକ୍ତି ଗଣ ସାମନ୍ତଙ୍କର ପ୍ରତିଭା ସଂଦର୍ଶନରେ ବିସ୍ମିତ ହୋଇଥିଲେ।
ରାଧାନାଥ,ଖଣ୍ଡପଡାର ତତ୍କାଳୀନ ରାଜାଙ୍କ ସହିତ ସାମନ୍ତଙ୍କର ମନୋମାଳିନ୍ୟ ବିଷୟରେ ଅବଗତ ଥିଲେ।ରାଜା ଇର୍ଷାନ୍ବୀତହୋଇ ସାମନ୍ତଙ୍କ ପ୍ରତିଭା ବିକାଶରେ ଅନ୍ତରାୟ ହେଉଥିଲେବୋଲି ରାଧାନାଥଙ୍କର ଧାରଣା ଜନ୍ମିଥିଲା।ତେଣୁ ସେ ଦରବାର କାବ୍ୟରେ ଲେଖିଛନ୍ତି…
ଯାର ଈର୍ଷା ଯୋଗୁଁ ତୁମ୍ଭର ଏ ଦଶା,
ଦେହେ ରାଜା ହେଲେ ମନେ ସେହି ଚଷା।
ରତନ କାହିଁ ସେ ଖୋସିବ କିରୀଟେ,
ଅନାଦରେ ତାହା ଦଳେ ପାଦ ପୀଠେ।
ମୋତି ମୂଲ୍ୟ କାହୁଁ ଜାଣିବ ଶବର,
ମୋତି ଫିଙ୍ଗି କରେ ଗୁଞ୍ଜାରେ ଆଦର।
ଧୀରମଣି ,ଏଥିପାଇଁ ବିଚଳିତ
ହେବାର ତୁମ୍ଭର ନୁହଇ ଉଚିତ।”

ରାଧାନାଥଙ୍କର ସାମନ୍ତ ଚନ୍ଦ୍ରଶେଖରଙ୍କପ୍ରତି ଯେଉଁ ସମ୍ମାନ ରହିଥିଲା ତାହା ପୂଜ୍ୟପୂଜାର ଜ୍ବଳନ୍ତ ନିଦର୍ଶନ।
କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *