Tuesday, April 23, 2024
Stories

ସାମନ୍ତ ସ୍ମରଣେ (୨୧)

ସାମନ୍ତ ସ୍ମରଣେ
………….୨୧…….
କୋଷ୍ଠୀ(ଜାତକ) ନିର୍ମାଣ
(An account of the life and work of Samanta Chandrasekhar,the wonder Astronomer of 19th Century)
……………………………………………………..
ବିଂଶ ଶତାବ୍ଦୀରେ ବିଜ୍ଞାନର ପ୍ରଭୂତ ଉନ୍ନତି ସଙ୍ଗେ ସଙ୍ଗେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଆଶାତୀତ ଉନ୍ନତି ଘଟିଛି।ଶିକ୍ଷା,ଯାତାୟତ,ପରିବହନ,ବିଦ୍ୟୁତିକରଣ ଏବଂଗମନା ଗମନ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ସୁଦୃଢିକରଣ ହୋଇଛି।କିନ୍ତୁ ସାମନ୍ତଙ୍କ ସମୟରେ ଅନ୍ୟ ପଚିଶ ଗଡଜାତ ପରି ସାମନ୍ତଙ୍କ ଜନ୍ମଭୂମି ଖଣ୍ଡପଡାରେ ମଧ୍ୟ ସଭ୍ୟତାର ଆଲୋକ ପଡିନଥିଲା।ଦୂରବୀକ୍ଷଣ ଯନ୍ତ୍ର ତ ଦୂରର କଥା,ସାମାନ୍ୟ ଘଡି(ଘଣ୍ଟା)ର ମଧ୍ୟ ପ୍ରଚଳନ ନଥିଲା।ସାମନ୍ତ ସୂର୍ଯ୍ୟ ଘଡିଟିଏ ସ୍ଥାପିତ କଲାପରେ,ଲୋକେ ବହୁତ ଉପକୃତ ହୋଇଥିଲେ।ଗମନା ଗମନ ପାଇଁ ରାସ୍ତାଘାଟ ନଥିଲା;ଯାନ ବାହାନ ନଥିଲା।ସ୍ବଚ୍ଛଳପକ୍ଷ ଲୋକେ ପାଲିଙ୍କି ବା ଶିବିକାରେ ଯାତାୟତ କରୁଥିଲେ।ଅନ୍ୟମାନେ ପାଦରେ ଚାଲି,ଚାଲି ଯାଉଥିଲେ।

କଟକ ଯିବାକୁ ହେଲେ,କଣ୍ଟିଲୋ କିମ୍ବା ପଦ୍ମାବତୀ ଠାରୁ ମହାନଦୀରେ ଜଳମାର୍ଗରେ ନୌକାରେ ଯିବାପାଇଁ ପଡୁଥିଲା।ବେଳେ ବେଳେ ନୌକାଡୁବୀରେ ଲୋକେ ପ୍ରାଣ ହରାଉ ଥିଲେ।
ଏହି ପରିପ୍ରେକ୍ଷୀରେ , ସାମନ୍ତ ନିଜର ମହାକାଶୀୟ ଗବେଷଣା ପାଇଁ ନିଜ ହାତରେ , ବାଉଁଶ କାଠିରେ ମାନଯନ୍ତ୍ର,ଶଙ୍କୁ ଯନ୍ତ୍ର,ଗୋଳଯନ୍ତ୍ର,ଗୋଳାର୍ଦ୍ଧ ଆଦି ଯେଉଁ ଯନ୍ତ୍ର ଗୁଡ଼ିକ ନିର୍ମାଣ କରି ଥିଲେ,ତାହା ବାସ୍ତବରେ ପାଶ୍ଚାତ୍ୟ ବୈଜ୍ଞାନିକ ମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସାମନ୍ତଙ୍କ ଜୀବନୀ ଖଣ୍ଡପଡାର ସତୁରୀ ବର୍ଷର ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ।ପ୍ରଥମେ ମରହଟ୍ଟା;ତତ୍ପରେ ମୋଗଲ ଏବଂ ଗୋରା ସରକାର, ବଣଜଙ୍ଗଲ ଘେରା ଏ ଉପତ୍ୟକାରେ ସ୍ଥାନୀୟ ରାଜତନ୍ତ୍ର ସାହାଯ୍ୟରେ ଶୋଷଣ ଓ ନିଷ୍ପେଷଣର କଳଙ୍କିତ ଇତିହାସ ଲେଖି ଯାଇ ଥିଲେ।ଆଧୁନିକ ସଭ୍ୟତା ଯେତେଥର ଏଠାକୁ ଆସିବାକୁ ଚେଷ୍ଟା କରିଚି,ସେତେଥର ବାଟବଣା ହୋଇ ଫେରି ଯାଇଛି।

ଏ ପରିପ୍ରେକ୍ଷୀରେ ସାମନ୍ତଙ୍କ କୋଷ୍ଠୀ ନିର୍ମାଣ ପଦ୍ଧତି ବଡ କୌତୁହଳପ୍ରଦ ଥିଲା।ଖଣ୍ଡପଡାର ବିଶିଷ୍ଟ ବ୍ୟକ୍ତିଙ୍କ ଘରେ ପୁଅ କିମ୍ବା ଝିଅ ଜନ୍ମହେଲେ,ସମ୍ବାଦ ବାହକ ଦ୍ବାରା ସାମନ୍ତଙ୍କ ପାଖକୁ ଖବର ପଠାଯାଉଥିଲା।ସମ୍ବାଦ ବାହକର ପାହୁଣ୍ଡ ମାପରୁ(ନବ ଜାତକର ଘର ଠାରୁ ସାମନ୍ତଙ୍କ ଘର ପର୍ଯ୍ୟନ୍ତ)ଜନ୍ମବେଳା ସ୍ଥିର ହେଉଥିଲା।ସମ୍ବାଦ ବାହକ ସାମନ୍ତଙ୍କ ପାଖରେ ଯେଉଁ ସମୟରେ ପହଞ୍ଚୁଥିଲା ,ସେଥିରୁ ତାର ପଦଯାତ୍ରାରେ ଯାଇଥିବା ସମୟକୁ ବିଯୋଗ କରି ନବ ଜାତକର ଜନ୍ମ ସମୟ ସ୍ଥିର ହେଉଥିଲା।ଦିନ ବେଳା ହୋଇଥିଲେ ସୂର୍ଯ୍ୟଘଡି ଦ୍ବାରା ଏବଂ ରାତି ହୋଇଥିଲେ ଆକାଶରେ ନକ୍ଷତ୍ରଙ୍କ ସ୍ଥିତିକୁ ନେଇ ଜନ୍ମ ସମୟ(ଦିନ,ଦଣ୍ଡ,ଲିତା ଆଦି) ନିର୍ଣ୍ଣୟ କରାଯାଉଥିଲା।କୋଷ୍ଠୀ ବା ଜାତକ ପ୍ରସ୍ତୁତ କରିବାପାଇଁ ସାମନ୍ତ କୌଣସି ଅର୍ଥ ଗ୍ରହଣ କରୁନଥିଲେ।ବରଂ ନିଜଆଡୁ, ଆଗୁଆ ନୂତନ ତାଳପତ୍ର ଜାତକ ଲେଖାପାଇଁ ସଂଗ୍ରହ କରି ରଖୁଥିଲେ।

କୋଷ୍ଠୀ ବା ଜାତକ ପ୍ରସ୍ତୁତ କରିବା ପାଇଁ,ସାମନ୍ତଙ୍କ ଘରଠାରୁ ଗଡର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ଘରର ପାହୁଣ୍ଡ ହିସାବରେ ଦୂରତା ଏବଂ ତାହା ଅତିକ୍ରମ କରିବାକୁ କେତେ ସମୟ ଲାଗେ, ତାର ହିସାବ ସାମନ୍ତଙ୍କ ପାଖରେ ରହିଥିଲା।

ନିଜ ଘରଠାରୁ ପୁରୀ ଜଗନ୍ନାଥ ମନ୍ଦିରର ଦୂରତା,ଏକଲକ୍ଷ ଏକାବନ ହଜାର ଦୁଇଶତ ପାହୁଣ୍ଡ(151200)ବୋଲି ସାମନ୍ତ ନିଜେ ଗଣି ରଖିଥିଲେ।ସେହିପରି ନିଜ ଘରଠାରୁ କଣ୍ଟିଲୋ ନୀଳମାଧବ ମନ୍ଦିର ଏବଂ ଖୁଣ୍ଟୁପଡା ରାମେଶ୍ବର ମନ୍ଦିରର ଦୂରତା ସେ ପାହୁଣ୍ଡ ଗଣତିରେ ନୀର୍ଣ୍ଣୟ କରି ରଖିଥିଲେ।

ଆଜିକାଲି ପ୍ରଚଳିତ ଟେବୁଲ୍ କ୍ଲକକୁ ସେତେବେଳେ କଳଘଡି କୁହାଯାଉଥିଲା।ଖଣ୍ଡପଡାରେ କଳଘଡିର ପ୍ରଚଳନ ନଥିଲା।
ଅନେକ ଦିନପରେ ସାମନ୍ତ ଗୋଟିଏ ଟେବୁଲ୍ ଘଡି କିଣି ,ତାକୁ ସୂର୍ଯ୍ୟଘଡିର ସମୟ ସହିତ ମିଶାଇ ବ୍ୟବହାର କରୁଥିଲେ।
କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply