Thursday, April 25, 2024
Stories

ସାମନ୍ତ ସ୍ମରଣେ (୫) ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଉପରେ ଆଧାରିତ)

ସାମନ୍ତ ସ୍ମରଣେ
…………୫………..
ଜ୍ୟୋତିଶ୍ଚକ୍ରରୁ ଅବତରଣ
……………………………..
ଅଠରଶ ପଞ୍ଚତ୍ରିଶ ମସିହା ପୌଷମାସ କୃଷ୍ଣପକ୍ଷ ଅଷ୍ଟମୀ।ପାଚିଲା ଧାନକିଆରୀର ଧୂସର ରଙ୍ଗର ଗାଲିଚାରେ ଶୋଭିତ ପୃଥିବୀ।ମେଘମୁକ୍ତ ଆକାଶରେ ତାରାପନ୍ତିଙ୍କର ହସର ଫୁଆରା।ବ୍ୟୋମ ମଣ୍ଡଳରେ ବିସ୍ତୃତ ଜ୍ୟୋତିଶ୍ଚକ୍ର ଆଜି ଆନନ୍ଦରେ ବିଭୋର;କାରଣ ସେମାନଙ୍କପାଇଁ ଇତିହାସ ରଚନା କରିବାକୁ ଆଜି ଧରାପୃଷ୍ଟରେ ଚନ୍ଦ୍ରଶେଖର ଜନ୍ମଗ୍ରହଣ କରିବେ।ପୁତ୍ରକୁ କୋଳରେ ପାଇ ବିଷ୍ଣୁମାଳୀଦେବୀ ଆନନ୍ଦ ଗଦ୍ଗଦ କଣ୍ଠରେ ,ଅଶ୍ରୁଳ ନୟନରେ ଦେବାଧିଦେବ ମହାଦେବଙ୍କୁ କୋଟି କୋଟି ଦଣ୍ଡବତ ପୂର୍ବକ ପୁତ୍ରର ନାମ ଶିବଙ୍କ ନାମ ଅନୁଯାୟୀ ଚନ୍ଦ୍ରଶେଖର ରଖିଲେ।ଅପତ୍ୟ ସୁଖ ଠାରୁ ବଳି ସୁଖ ସଂସାରୀ ପାଇଁ ଅନ୍ୟକିଛି ନାହିଁ।ପୂର୍ବରୁ ଦୁଇଟି କନ୍ୟା ଏବଂ ଗୋଟିଏ ପୁତ୍ର ହରାଇଥିବା ବିଷ୍କୁମାଳୀ ସର୍ବଦା ନବଜାତକର ଦୀର୍ଘାୟୁ ଚିନ୍ତାରେ ରହୁଥିଲେ।ଏକଦା ଜନୈକ ପଠାଣ କେଳା ଭିକ୍ଷାଉଦ୍ଦେଶ୍ୟରେ ବନ୍ଧୁସାମନ୍ତଙ୍କ ଦ୍ବାରରେ ପହଞ୍ଚିଲା।କେଳାକୁ ଦେଖି ବିଷ୍ଣୁମାଳୀଙ୍କର ସେ ସମୟରେ ପ୍ରଚଳିତ ଏକ ସାମାଜିକ ପ୍ରଥା ମନେ ପଡିଲା।ନବଜାତକକୁ ଯେବେ ସେ ପଠାଣ କେଳାକୁ ଯତ୍ ସାମାନ୍ୟ ଅର୍ଥ ବିନିମୟରେ ବିକ୍ରି କରିଦେବେ,ଏବଂ ତାକୁ ଏକ ଅପର୍ତ୍ୟାଣି{ଅପତ୍ୟ ହାନୀ}ନାମ ଦେବେ ତାହେଲେ ଯମ ବାଳକପ୍ରତି ଲୋଭାନ୍ୱିତ ହେବ ନାହିଁ।
ତଦନୁସାରେ ବିଷ୍ଣୁମାଳୀଦେବୀ ନବଜାତକକୁ ପଠାଣ କେଳାକୁ ଦଶ ପାହୁଲା ବିନିମୟରେ ବିକ୍ରୟକଲେ । ପଠାଣକୁ ବିକ୍ରୀ ହୋଇଥିବାରୁ ଚନ୍ଦ୍ରଶେଖର ସେହିଦିନଠାରୁ ପଠାଣି ସାମନ୍ତ ନାମରେ ବିଦିତ ହେଲେ।
ବାଲ୍ୟକାଳରୁ ସାମନ୍ତ ଚନ୍ଦ୍ରଶେଖରଙ୍କଠାରୁ ଅନନ୍ୟ ପ୍ରତିଭାର ପରିଚୟ ମିଳିଥିଲା।ତାଙ୍କୁ ଯେତେବେଳେ ପାଞ୍ଚ ବର୍ଷ,ସେତେବେଳେ ସେ ବିଦ୍ୟାଶିକ୍ଷା ଆରମ୍ଭ କରିଥିଲେ।ତାଙ୍କର ବାଲ୍ୟଗୁରୁ ଥିଲେ କୃତିବାସ ରଥ ନାମକ ଜନୈକ ବ୍ରହ୍ମଣ।ସେ ବର୍ଣ୍ଣଶିକ୍ଷା ସଙ୍ଗେ ସଙ୍ଗେ ଦଶକ ପର୍ଯ୍ୟନ୍ତ ପଣିକିଆ ଏବଂ ଅଭିଧାନର ପଞ୍ଚମ ବର୍ଗ ପର୍ଯ୍ୟନ୍ତ ଶିକ୍ଷା ଦାନ କରିଥିଲେ।ଏ ସମ୍ବନ୍ଧରେ ପଠାଣି ସାମନ୍ତଙ୍କ ଯୋଗ୍ୟପୁତ୍ର ସ୍ବର୍ଗତ ଗଦାଧର ସିଂହ ସାମନ୍ତ ପିତାଙ୍କ ସ୍ମୃତିରେ ରଚିତ “ଶୋକଶତକ” ନାମକ ପଦ୍ୟଖଣ୍ଡରେ ଲେଖିଛନ୍ତି……..

“ହେଲ କୃତିବାସ ରଥଙ୍କର ଶିଷ୍ୟ ପ୍ରଥମ ପାଠେ ଆପଣ
ଦଶକ ପର୍ଯ୍ୟନ୍ତ ପଣିକିଆ ମାତ୍ର ଜାଣିଥିଲେ ସେ ବ୍ରାହ୍ମଣ।’

  1. ଯୋଗ୍ୟ ଶିଷ୍ୟ ଯୋଗୁଁ କିପରି ଗୁରୁ ମଧ୍ୟ ବିଶ୍ବ ଦରବାରରେ ସମ୍ମାନିତ ହୁଅନ୍ତି,ଏହା ତାହାର ଉପଯୁକ୍ତ ପ୍ରମାଣ।
    ବାଲ୍ୟକାଳରୁ ଚନ୍ଦ୍ରଶେଖର ମହାକାଶ ପ୍ରତି ଅବିଶ୍ବସନୀୟ ଭାବରେ ଆକୃଷ୍ଟ ଥିଲେ।ବାଲ୍ୟକ୍ରଡା ସମୟରେ ମଧ୍ୟ ପ୍ରତ୍ୟହ ସୂର୍ଯ୍ୟକୀରଣ ଦ୍ବାରା ପଡୁଥିବା ଛାଇର ମାପ ରଖି ତାହା କେତେ ଥର ନିଶ୍ବାସ ନେବା ଭିତରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୂଞ୍ଚିଯାଉଛି ତାର ହିସାବ ରଖୁଥିଲେ।ଆକାଶରେ ଉଡୁଥିବା ଗିର୍ଧିନୀ ପକ୍ଷୀ ମାନଙ୍କୁ ଗୋଟି ଗୋଟି କରି ଗଣୁଥିଲେ।ସର୍ବଦା ଆକାଶକୁ ଚାହିଁ ତାରାମାନଙ୍କର ଗତିବିଧି ପିଲାଦିନରୁ ସେ ନିରୀକ୍ଷଣ କରୁଥିଲେ।
    ଯେତେବେଳେ ତାଙ୍କୁ ପାଞ୍ଚବର୍ଷ ବୟସ,
    ଦିନବେଳେ ଶୁକ୍ରଗ୍ରହକୁ ଦେଖି ସାଥୀ ପିଲାମାନଙ୍କର ଦୃଷ୍ଟି ସେଥିପ୍ରତି ଆକର୍ଷିତ କରିଥିଲେ।ଏହାଦେଖି ପିତାଶ୍ୟାମବନ୍ଧୁ ବିବ୍ରତ ହୋଇ ପଡିଥିଲେ,କାରଣ ସେ ସମୟର ବିଶ୍ବାସ ଅନୁଯାୟୀ ଦିନରେ ତାରା ଦର୍ଶନକଲେ ଗ୍ରହଦୋଷ ଲାଗେ। ଗ୍ରହଦୋଷ ଦୂର କରିବାପାଇଁ, ପିତା ଶ୍ୟାମବନ୍ଧୁ ନୈଷ୍ଠିକ ବ୍ରାହ୍ମଣଙ୍କଦ୍ବାରା ଜଗନ୍ନାଥ ମହାପ୍ରଭୁଙ୍କଠାରେ ହୋମ,ସ୍ତୋତ୍ରପାଠ ଏବଂ ସହସ୍ରନାମପାଠ ଇତ୍ୟାଦିର ଆୟୋଜନ କରାଇ ଥିଲେ।
    କ୍ରମଶଃ————
Click to rate this post!
[Total: 1 Average: 5]

Leave a Reply