Tuesday, April 16, 2024
Stories

ସାମନ୍ତ ସ୍ମରଣେ (୬)

ସାମନ୍ତ ସ୍ମରଣେ
………………୬…………..
ଚନ୍ଦନ ବୃକ୍ଷର ମହକ
………………………..
ବୀଜରୁ ଅଙ୍କୁରିତ ଦୁଇପତ୍ରରୁ ବିଶାଳ ଦ୍ରୁମର ପରିଚୟ ମିଳେ।କେବଳ ସାମନ୍ତଙ୍କ କ୍ଷେତ୍ରରେ ନୁହେଁ,ଇତିହାସ ଓ ପୁରାଣ ମଧ୍ୟ ଏହାର ସାକ୍ଷୀ।ଯେତେବେଳେ କୌରବ ରାଜପୁତ୍ରମାନେ କନ୍ଦୁକ ଖେଳରେ ବ୍ୟସ୍ତ,ସେତେବେଳେ ସବ୍ୟସାଚୀ ବୃକ୍ଷ ଶୀର୍ଷରେ ଥିବା ଫଳଟି ପ୍ରତି ଶର ସନ୍ଧାନକରି ଧନୁର୍ବାଣରେ ପାରଦର୍ଶୀତା ପାଇଁ ତତ୍ପର।ଏହି ପ୍ରଭେଦ ହିଁ ସାଧାରଣକୁ ଅସାଧାରଣରେ ଏବଂ ଜ୍ଞାନୀକୁ ବିଜ୍ଞାନୀରେ ପରିଣତ କରାଏ।ଯେତେବେଳେ ସମବୟସ୍କ ବାଳକମାନେ କନ୍ଦୁକ ଖେଳରେ ବ୍ୟସ୍ତ,ସେ ସମୟରେ ଚନ୍ଦ୍ରଶେଖର ଆକାଶରେ ତାରା ନିରୀକ୍ଷଣରେ ବ୍ୟସ୍ତ ଥିଲେ।ମହାକାଶରେ ସଂଘଟିତ ମହାନାଟକର ବିମୁଗ୍ଧ ଏଇ ଦର୍ଶକଟିକୁ ସ୍ନେହବୋଳା କଣ୍ଠରେ ଜନନୀ କହୁଥିଲେ “ଆକାଶକୁ ଚାହିଁ ଚାହିଁ ଖାଇବା ପିଇବା କାହିଁକି ଭୁଲିଯାଉଚୁ ଧନ?ଦେହ ଖରାପ ହବନି?”ଏବଂ ପିତା ଉପଦେଶ ଦେଉଥିଲେ”ଶରୀରମାଦ୍ୟମ୍;ଖଳୁ ଧର୍ମ ସାଧନମ୍”।କିନ୍ତୁ ଜ୍ଞାନପାଗଳମାନେ କଣ କିଛି ଆକଟ ଶୁଣନ୍ତି?
ବାଳୁତ ଚନ୍ଦ୍ରଶେଖର ଯେତେବେଳେ ଦଶ ବର୍ଷ ବୟସରେ ପଦାର୍ପଣ କରନ୍ତି,ସେତେବେଳେ ସେ ପିତା ଶ୍ୟାମବନ୍ଧୁଙ୍କଠାରୁ ଫଳିତ ଜ୍ୟୋତିଷବିଦ୍ୟାରେ ସମ୍ୟକ ଶିକ୍ଷା ପ୍ରାପ୍ତ ହୁଅନ୍ତି।ଏ ସମ୍ବନ୍ଧରେ ପ୍ରଫେସର୍ ଯୋଗେଶ ଚନ୍ଦ୍ର ରାୟ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ମୁଖବନ୍ଧରେ ଲେଖିଛନ୍ତି”one of his uncles taught him a little astrology”.ଦଦେଇ ଶବ୍ଦକୁ ପ୍ରଫେସର୍ ରାୟ ବାପାଙ୍କ ବଡଭାଇ ଅର୍ଥରେ ନେଇଛନ୍ତି।କିନ୍ତୁ ସାମନ୍ତ ପରିବାରରେ ପିତାଙ୍କୁ ଦଦେଇ କୁହାଯାଏ।
ପିତାଙ୍କଠାରୁ ଫଳିତ ଜ୍ୟୋତିଷ ଶିକ୍ଷା ସଙ୍ଗେ ସଙ୍ଗେ ଚନ୍ଦ୍ରଶେଖର ,ସେ ସମୟର ମହାନ୍ ପଣ୍ଡିତ ଆନନ୍ଦ ଖାଡଙ୍ଗାଙ୍କଠାରୁ ସଂସ୍କୃତଶିକ୍ଷା ପ୍ରାପ୍ତ ହୋଇଥିଲେ।ଏହି ଆନନ୍ଦ ଖାଡଙ୍ଗା ପ୍ରସିଦ୍ଧ ଭାଗବତକାର ପଣ୍ଡିତ ଦୀନବନ୍ଧୁ ଖଡ୍ଗରାୟ{ଖାଡଙ୍ଗା}ଙ୍କ ପ୍ରପୌତ୍ର ଥିଲେ ତଥା ଚନ୍ଦ୍ରଶେଖରଙ୍କ ପିତା ଶ୍ୟାମବନ୍ଧୁଙ୍କର ମଧ୍ୟ ଶିକ୍ଷକ ଥିଲେ।ଏହି ବିଚକ୍ଷଣ ପଣ୍ଡିତ ସାମନ୍ତ ଚନ୍ଦ୍ରଶେଖରଙ୍କର ସଂସ୍କୃତରେ ଅଗାଧ ପାଣ୍ଡିତ୍ୟର ମୂଳଦୁଆ ପକାଇଥିଲେ।ପରବର୍ତ୍ତୀ ସମୟରେ ସାମନ୍ତଙ୍କ ସଦୃଶ ସଂସ୍କୃତଶାସ୍ତ୍ରୀ ସାରା ଦେଶରେ ନଥିଲେ।କଥାରେ ଅଛି”ଯଦ୍ ଯେନ ଯୁଜ୍ୟତେ ଲୋକେ;ବୁଧସ୍ତଂ ତେନ ଯୋଜୟେତ୍”।
ଯୋଗ୍ୟ ଶିଷ୍ୟଙ୍କ ସହିତ ଯୋଗ୍ୟ ଗୁରୁଙ୍କର ଅପୂର୍ବ ମିଳନ ହୋଇଥିଲା।ଚନ୍ଦ୍ରଶେଖରଙ୍କର ଦେବୋପମ ଚରିତ୍ର ଗଠନରେ ଏହି ସଂସ୍କୃତ ଶାସ୍ତ୍ରୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା।ପଣ୍ଡିତଙ୍କ ସହିତ ସଂସ୍କୃତ ବ୍ୟାକରଣ ପଢୁପଢୁ ବାଳକ ସାମନ୍ତ ନିମ୍ନୋକ୍ତ ଶ୍ଲୋକଟି ପ୍ରଭୁଙ୍କ ଆରାଧନାପାଇଁ ରଚନା କରି ନିଜର ଅସାଧାରଣ ପ୍ରତିଭାର ପରିଚୟ ଦେଇଦେଲେ।….
ନମାମି ରାମାନୁଜମବ୍ଜ ଲୋଚନଂ
ସହସ୍ର ନେତ୍ରାର୍ଚ୍ଚିତ ପାଦ ପଙ୍କଜଂ
ରମେଶମାଦ୍ୟଂ କନକାଂଶୁକଂ ଭୁଜସ୍ଫୁରତ୍
ପ୍ରତାପଂ ଗରୁଡଧ୍ବଜଂ ହରି।

ଗୁରୁଙ୍କଠାରୁ ରଘୁବଂଶମ୍,କୁମାର ସମ୍ଭବମ୍,କିରାତାର୍ଜୁନୀୟ,ମେଘଦୂତମ୍,ହଂସଦୂତମ ଏବଂ ମାଘରଚିତମ୍ ଇତ୍ୟାଦି କାବ୍ୟମାନ ଶିକ୍ଷା କରି ସାରିବା ପରେ, ମାତ୍ର ପନ୍ଦର ବର୍ଷ ବୟସରେ ସେ ନିଜେ ଶ୍ରୀହର୍ଷ ରଚିତ ନୈଷଧ କାବ୍ୟ ଅଧ୍ୟୟନ କଲେ।ଜୁମର ବ୍ୟାକରଣର ସାତପାଦ ଶେଷକରି କାଳିଦାସଙ୍କ ରଚିତ ସମସ୍ତ କାବ୍ୟ ;ମାଘଙ୍କ ଚରିତଶିଶୁପାଳ ବଧ,ତଥା ମୁରାରି କବିଙ୍କ ରଚିତ କାବ୍ୟ,ବିଦଗ୍ଧମାଧବ,ମହାନାଟକ,ଉତ୍ତର ରାମଚରିତମ୍,ନାରାୟଣ ଶତକ,ଶିବ ଶତକ,ସୂର୍ଯ୍ୟ ଶତକ,ଗୀତ ଗୋବିନ୍ଦ,ଆନନ୍ଦ ଲହରୀ,ଗୁଣ୍ଡିଚା ସ୍ତୋତ୍ର,ଶ୍ରୀମଦ୍ଭାଗବତ,ଏବଂ ହରିବଶଂମ୍ ଆଦି ଅନେକ କାବ୍ୟ ଅଧ୍ୟୟନ କରିଥିଲେ ଏବଂ ସେଥିରୁ ଅନେକ ଶ୍ଲୋକ ମୁଖସ୍ଥ କରି ଅଦ୍ଭୁତ ସ୍ମରଣ ଶକ୍ତିର ପରିଚୟ ଦେଇଥିଲେ।ସେ ସମୟରେ ଭାରତୀୟ ଶିକ୍ଷାର ମାନଦଣ୍ଡ ଅନୁଯାୟୀ ସେ ଶ୍ରେଷ୍ଠ ଏବଂ ସର୍ବୋଚ୍ଚ ଶିକ୍ଷାପ୍ରାପ୍ତ ହୋଇଥିଲେ।
କ୍ରମଶଃ ………..

Click to rate this post!
[Total: 0 Average: 0]

Leave a Reply