ସାମନ୍ତ ସ୍ମରଣେ (୯)

ସାମନ୍ତ ସ୍ମରଣେ
………..୯………
ବିସ୍ମୟ ବାଳକ
………………….
ଯେଉଁମାନଙ୍କଠାରେ ଶୈଶବରୁ ଅବିଶ୍ବସନୀୟ ବୁଦ୍ଧିମତ୍ତା ଦେଖାଯାଏ ସେମାନଙ୍କୁ ବିସ୍ମୟଶିଶୁ(child prodigy)କୁହାଯାଏ।ଚନ୍ଦ୍ରଶେଖର ସେପରି ଏକ ବିସ୍ମୟ ବାଳକ ଥିଲେ।ସେ ଥିଲେ ଏପରି ଏକ ଶିଷ୍ୟ,ଯାହାଙ୍କର ଗଭୀର ଜ୍ଞାନ ସଂଦର୍ଶନରେ ଏବଂ ପ୍ରଶ୍ନମାନଙ୍କର ଉତ୍ତର ଦେଇନପାରି ଗୁରୁ ପଳାୟନ କରିଥିଲେ।

ରାଜା କୁଞ୍ଜବିହାରୀ ସିଂହଙ୍କ ରାଜତ୍ବ ସମୟ।ଖଣ୍ଡପଡା ନିକଟସ୍ଥ ଯଦୁନାଥପୁର ଶାସନର ନୀଳକଣ୍ଠ ବାଣୀଭୂଷଣ ନାମକ ଜଣେ ପଣ୍ଡିତ ନବଦ୍ବୀପରୁ ନ୍ୟାୟଶାସ୍ତ୍ର ଅଧ୍ୟୟନପରେ ରାଜାଙ୍କ ପାଖକୁ ଆସିଥାନ୍ତି।କର୍ତ୍ତବ୍ୟ ମନେକରି ରାଜା କୁଞ୍ଜବିହାରୀ ଆତ୍ମୀୟ ଚନ୍ଦ୍ରଶେଖରଙ୍କ ଶିକ୍ଷାଭାର ନୀଳକଣ୍ଠ ବାଣୀଭୂଷଣଙ୍କ ଉପରେ ନ୍ୟସ୍ତକଲେ।ବୟସରେ ଅନେକ ବଡ଼, ରାଜା କୁଞ୍ଜବିହାରୀ ସାମନ୍ତ ଚନ୍ଦ୍ରଶେଖରଙ୍କର ପୁତୁରା ଥିଲେ। ଶିକ୍ଷାଦାନ ସମୟରେ ଚନ୍ଦ୍ରଶେଖର ନାନାବିଧ ଜଟିଳପ୍ରଶ୍ନ ପଚାରିଲେ,ଯାହାର ଉତ୍ତର ଶିକ୍ଷକଙ୍କ ପାଖରେ ନଥିଲା।ସେ ପ୍ରଶ୍ନ ଗୁଡିକର ଉତ୍ତର ଦେଇନପାରି ନୀଳକଣ୍ଠ ରାଜାଙ୍କ ପାଖରେ ପହଞ୍ଚି କହିଲେ…. ଚନ୍ଦ୍ରଶେଖରଙ୍କୁ ପଢାଇବାର ସାମର୍ଥ୍ୟ ମୋରନାହିଁ।ସେ ଗଭୀର ପାଣ୍ଡିତ୍ୟ ଲାଭକରିଛନ୍ତି ଏବଂ ତାଙ୍କର ଧୀଶକ୍ତି ଯେପରି ଅସାଧାରଣ,ତାହା ମୋର କଳ୍ପନାତୀତ।’

ଶ୍ରୀହର୍ଷ ରଚିତ ସଂସ୍କୃତ କାବ୍ୟ ‘ନୈଷଧ’ ଉପରେ ଚନ୍ଦ୍ରଶେଖରଙ୍କର ଏତେ ଗଭୀର ଜ୍ଞାନ ଥିଲାଯେ ତାଙ୍କ ପିତା ଶ୍ୟାମବନ୍ଧୁ ନିଜେ ତାଙ୍କ ପାଖରେ ବସି ତାର ବ୍ୟାଖ୍ୟାନ ତନ୍ମୟ ହୋଇ ଶୁଣୁଥିଲେ।

ସଂସ୍କୃତ ଭାଷାରେ ଗଭୀର ଜ୍ଞାନପ୍ରାପ୍ତି ସଙ୍ଗେସଙ୍ଗେ ଚନ୍ଦ୍ରଶେଖର ସ୍ବ ମାତୃଭାଷାରେ ରଚିତ ଅନେକ ପୁସ୍ତକ, ଯଥା ବୈଦେହୀଶ ବିଳାସ,ଲାବଣ୍ୟବତୀ,କୋଟିବ୍ରହ୍ମଣ୍ଡ ସୁନ୍ଦରୀ,ବିଦଗ୍ଧ ଚିନ୍ତାମଣି,ରସ କଲ୍ଲୋଳ,ପ୍ରେମ ସୁଧାନିଧି,କିଶୋର ଚନ୍ଦ୍ରାନନ ଚମ୍ପୁ ଇତ୍ୟାଦି ଅଧ୍ୟୟନ କରିଥିଲେ ।ସେଥିମଧ୍ୟରୁ ଅନେକ ଛାନ୍ଦ ଓ ଚଉପଦୀ ତାଙ୍କର ମୁଖସ୍ଥ ଥିଲା।ପୁରାତନ ରଚନା ମଧ୍ୟରୁ ତାଙ୍କୁ କବିସୂର୍ଯ୍ୟ ବଳଦେବ ରଥଙ୍କର ରଚନା ବହୁତ ଭଲ ଲାଗୁଥିଲା।ପୁରାଣ ଏବଂ ଭାଗବତ ପଠନ ପାଠନରେ ସେ ଅତ୍ୟନ୍ତ ରୁଚି ରଖୁଥିଲେ।

ପ୍ରାଚୀନ କବି ବଳରାମଦାସଙ୍କ ଦାଣ୍ଡି ରାମାୟଣ,ରାଜା କୃଷ୍ଣସିଂହଙ୍କ ମହାଭାରତ,ଜଗନ୍ନାଥ ଦାସଙ୍କର ଏବଂ ଦୀନବନ୍ଧୁ ଖାଡଙ୍ଗାଙ୍କ ଭାଗବତ ଏବଂ ନାନାବିଧ ପୁରାଣ ଯଥା ନୃସିଂହ ପୁରାଣ,କାର୍ତିକମାହାତ୍ମ୍ୟ,ମାଘମାହାତ୍ମ୍ୟ,ବୈଶାଖ୍ୟମାହାତ୍ମ୍ୟ ଇତ୍ୟାଦି ପଠନ ଓ ପାଠନ କରାଇ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଥିଲେ?ପାଲା,ଦାସକାଠିଆ ଏବଂ ଅନ୍ୟାନ୍ୟ ଲୋକଗୀତ ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା।ମଝିରେ ମଝିରେ ପ୍ରସିଦ୍ଧ ପାଲାକାରଙ୍କୁ ଡକାଇ ପାଲା ପରିବେଷଣ କରାଉଥିଲେ। ତହିଁରୁ ସାହିତ୍ୟ ଓ ସଂସ୍କୃତିର ଆଲୋଚନା-ସମାଲୋଚନାର ସାରସ୍ୱତ ଆନନ୍ଦ ନିଜେ ଆସ୍ୱାଦନ କରିବା ସଙ୍ଗେ ସଙ୍ଗେ ଗଡବାସୀଙ୍କର ମଧ୍ୟ ମନୋରଂଜନ କରାଉଥିଲେ।

ମାତ୍ର ବାରବର୍ଷ ବୟଷରେ ବାଉଁଶ କାଠିରେ ଖଗୋଳ ଓ ଭୁଗୋଳ ଯନ୍ତ୍ର ନିର୍ମାଣ କରି,୧୩ବର୍ଷ ବୟସରେ ଛାୟା ଓ ତାରାମାନଙ୍କର ଦୂରତା ମାପି,ଏବଂ ସେହି ବାଳୁତ ବୟଷରୁ ମାନଦଣ୍ଡ ଯନ୍ତ୍ର ନିର୍ମାଣକରି ଚନ୍ଦ୍ରଶେଖର ବିସ୍ମୟ ବାଳକ ଭାବେ ପ୍ରତିପାଦିତ ହୋଇଥିଲେ।

୧୪ ବର୍ଷ ବୟଷରୁ ୩୪ ବର୍ଷ ବୟଷ ପର୍ଯ୍ୟନ୍ତ ୨୦ ବର୍ଷକାଳ ଗଭୀର ଗବେଷଣାକରି ,ଦୁଇ ହଜାର ପାଞ୍ଚଶତ ଶ୍ଳୋକସମ୍ବଳିତ ଅମୂଲ୍ୟ ଗ୍ରନ୍ଥ ସିଦ୍ଧାନ୍ତ ଦର୍ପଣର ରଚନା କରି ତଥା ହଜାର ହଜାର ବର୍ଷପାଇଁ ସୂକ୍ଷ୍ମପଜ୍ଞିକାର ଗଣନା ପାଇଁ ଆଧାର ପ୍ରଣୟନ କରି ସେ ଅମର ହୋଇଯାଇଛନ୍ତି।
କ୍ରମଶଃ……..

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *