ସ୍ଵପ୍ନ
- ସ୍ୱପ୍ନ
—-
(ବହୁ ବର୍ଷ ତଳେ,ବାଣୀବିହାରରେ ପଢ଼ିବା ସମୟରେ ରଚିତ କବିତା…… ବନ୍ଧୁ ମାନଙ୍କୁ ଭଲ ଲାଗିବ ବୋଲି ଆଶା)
===================================
ସ୍ୱପ୍ନ ଦେଖିବାର ସ୍ୱାଧୀନତା ତୁମେ
ଦେଇଥିଲ ଦିନେ ଯାହା,
ଆଲୋକ ନୁହେଁ ସେ ଛାଇ ଅନ୍ଧକାର
ସ୍ୱପ୍ନ ନାମେ ଏକ ମାୟା !ଛଳନା ଗୋ! ତୁମେ, କେଉଁ ହୃଦ-ରାଜ୍ୟେ
ହେବାପାଇଁ ଅଧିଶ୍ଵରୀ,
ଥିଲା ଯେବେ ଇଚ୍ଛା,ମିଥ୍ୟା ପ୍ରତିଶ୍ରୁତି
ଦେଉଥିଲ କି’ବିଚାରି !ସେ ପ୍ରତିଶ୍ରୁତିରେ ଅରଣା ମୋ ମନ
ଗଲା ଇନ୍ଦ୍ରଧନୁ ଖୋଜି,
କେଉଁଠି ହଜିଲା କେଉଁ ଇଲାକାରେ
ନପାଏ ମୁଁ ଖୋଜି ଆଜି।ଭରିଦେଲ ସତେ ମୋ ଆଖିରେ କେତେ
ଆଶାର ଶିଶିର ବିନ୍ଦୁ ?
ଲୁହ ହୋଇ ତାହା ଝରିଯାଇ,ହୃଦ
କରିଦେଲା ଦୁଃଖ ସିନ୍ଧୁ।ସେ ସିନ୍ଧୁ ଗର୍ଭରେ ଆଗ୍ନେୟ ଗିରିରେ
ଜଳୁଛି ବଡବାନଳ,
ସତ କୁହ ତୁମେ କି ଲାଭ ପାଇଲ,
ମୋ ସଙ୍ଗେ କରି ଏ ଛଳ !ଛଳନା ଗୋ ! ତୁମେ ମୋମନକୁ ଭାଙ୍ଗି
ଗଢୁଛ ଯେ ଇମାରତ,
ଧୂସାବାଲିରେ ସେ କଳ୍ପନା ଘରକୁ
ରଖିବ ତ କାଳ ସ୍ରୋତ !(ଏହା ନିଜ ଅନୁଭୂତିର କବିତା ନୁହେଁ….ଜଣେ ପ୍ରିୟ ସହପାଠୀ ଙ୍କ ଅନୁଭୂତି ଆଧାରରେ ରଚିତ ହୋଇଥିଲା)