Thursday, April 18, 2024
Other Poems

ଅଡ଼ୁଆ ସୂତା

ଅଡ଼ୁଆ ସୂତା
========
ଆଜି ଗୋଟି ଗୋଟି କରି
ସମସ୍ତେ ହାତଛାଡି
ଚାଲିଗଲେଣି।
ସେଥିପାଇଁ କିଛି ପରିମାଣରେ ମୁଁ ଦାୟୀ,
କିଛି ସେମାନେ ବି।

କିଏ କାହାକୁ ଅପେକ୍ଷା କରୁଛି ଯେ ;
ସଭିଏଁ ନିଜ କାମରେ ବ୍ୟସ୍ତ।
ଅନ୍ୟକୁ ସ୍ବାର୍ଥପର କହିଦେଇ
ଇଏ ନିଜ ସ୍ବାର୍ଥ ଲୁଚେଇବା କଥା।

କାଲି ସେମାନେ ଟେକା ଟେକି କରି
ଯେଉଁ ନିଶ୍ରେଣିର ସବା ଉପରେ ବସେଇଲେ,
ସେଠାରୁ ତଳକୁ ଚାହିଁ
ମୁଣ୍ଡ ବୁଲେଇ ହେଲା,
ତାପରେ କଣ ହେଲା ଜାଣିନି,
ମୁଁ ଏବେ ନିର୍ବାକ୍ ହେଇ ସେଠି ବସିଛି।

କେତେ ଡାକିଲି ରାମା,ଦାମା,ଶାମା !
କୁଆଡେ ଗଲ କିରେ !
ମତେ ଏଠି ଡର ଲାଗୁଛି; କେହି ଶୁଣିଲେନି।

କିଏ ଜଣେ କହିଲା.. ସେଇଟା ତୋ ଘର
ତାକୁ ଜଗିଥା। ଏମିତି ଜଗିବସି ଘୂମେଇ ପଡ଼ିବୁ,
ତଳେ ପଡି ପ୍ରାଣଟା ଛାଡିଯିବ।

ସବୁ କହିବେ..ମକୁନ୍ଦା,ଧାକୁଧାକୁନ୍ଦା,
ତା ପ୍ରାଣ କେମିତି ଗଲା,
ଶିଢିରେ ଚଢିଥିଲା,
ତଳେ କିଳାଟେ ଥିଲା,
ଶିଢିରୁ ପଡ଼ିଗଲା,କିଳାଟା ଗଳିଗଲା,
ପ୍ରାଣଟା ଛାଡ଼ିଗଲା।

ମୁଁ କଣ ମରିବାକୁ ଡରିଛି?
ବାଘ ଖିଆଠୁ ବାଘ ଘୋଷରା କଷ୍ଟ,
ସେଥିପାଇଁ।

ପଡ଼ିଲିଣି କେତେଥର ଭାଲୁ ହାବୁଡେ;
ତା ଲାଞ୍ଜଟା ଧରି ଗଛ ଚାରିପଟେ ବୁଲିଛି।
ବଡ଼ ସୁନ୍ଦର ଆଧୁନିକ ନାଁ ଏହି ଭାଲୁର.. ଆକାଂକ୍ଷା,
ଏଇ ଆକାଂକ୍ଷା ମାଇ କି ଅଣ୍ଡିରା
ମତେ ଜଣାନାହିଁ..ବିଲ୍କୁଲ୍ ଜଣାନାହିଁ।

କେହି ମୋ ପାଖ ମାଡୁନାହାନ୍ତି,
କହୁଛନ୍ତି..ତୋ ଭାଲୁ ତୁ ଧରିଥା,
ଆମେ କଣ କହୁଥିଲୁ ଭାଲୁ ସୃଷ୍ଟି କରିବାକୁ।
ଆମ ଭାଲୁ ଆମେ ଧରିଛୁ,
ତୋ ଭାଲୁ ତୁ ଧରିଥା।

ଜଣେ ବୁଦ୍ଧଦେବ ସାଜି
ଉପଦେଶ ଦେଲେ..
କାମନାର ବିନାଶରେ
ଦୁଃଖର ବିନାଶ…

ଗାଲୁଆ କଣ କେଉଁଠି
ଗଛରେ ଫଳନ୍ତି ……

Click to rate this post!
[Total: 0 Average: 0]

Leave a Reply