Thursday, April 25, 2024
Stories

ଏମିତି ଏକ ଚଉଠି ରାତି

  • ଏମିତି ଏକ ଚଉଠି ରାତି
    —————————
    ଜୀବନର ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ସୁବାସ ପାଇଁ। ଆଜି ତାର ଚଉଠି ରାତି। ଏହି ରାତିଟି ପାଇଁ କେତେ ଆବେଗକୁ ମନଭିତରେ ଚାପିଧରି ଅପେକ୍ଷା କରିଛି ସୁବାସ। ତିନି ଦିନ ଧରି କେତେ କଥା ସେ ଭାବୁଛି, ତାର ଭାବିବାର ଅନ୍ତ ନାହିଁ । କେମିତି ସେ ପ୍ରଥମେ ସଂଯୁକ୍ତାର ଓଢ଼ଣୀ ଖୋଲି ହୋମର ପୋଡା ନଡ଼ିଆ ଖୁଆଇ ଦେବ, କିଛି ସମୟ କଥାବାର୍ତ୍ତା କରି ପରିବେଶକୁ ସହଜ କରିବ ଏବଂ କିପରି ପ୍ରିୟାର ଚନ୍ଦ୍ରବିନିନ୍ଦିତ ମୁହଁକୁ ପାପୁଲିରେ ତୋଳି ଧରି ଆଙ୍କିଦେବ ଅଜସ୍ର ଚୁମ୍ବନ, ସେହି ରିହର୍ସାଲ୍ କରି କରି ବିତି ଗଲାଣି ତା’ର ବିଗତ ତିନି ଦିନ।

    ——-ନିଜକୁ ଭାଗ୍ୟବାନ ମନେ କରୁଥିଲା ସୁବାସ। ସମସ୍ତଙ୍କ ମୁହଁରେ ସଂଯୁକ୍ତାର ସୌନ୍ଦର୍ଯ୍ୟର ପ୍ରଶଂସା।ସହଜେ ତ ନୟାଗଡ଼ କଲେଜର ବାଣିଜ୍ୟ ସ୍ନାତକରେ ଟପ୍ପର ଥିଲା ସଂଯୁକ୍ତା; କଲେଜ କୁଇନ୍ କମ୍ପିଟେସନରେ ରନର୍ସ ଅପ୍ ମଧ୍ୟ। ବୋହୂ ଦେଖା ପାଇଁ ଯେଉଁଦିନ ବାପା ମାଆ ଏବଂ ଭାଉଜଙ୍କ ସାଙ୍ଗରେ ସେ ସଂଯୁକ୍ତା ଘରକୁ ଯାଇଥିଲା,ପ୍ରଥମ ଦେଖାରେ କ୍ଲିନ୍ ବୋଲ୍ଡ ହୋଇ ଯାଇ ଥିଲା ସୁବାସ।ଘରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଝିଅର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଯାଇଥିଲେ।ସୁବାସର ଇଚ୍ଛା ଥିଲା ସଂଯୁକ୍ତା ସହିତ ଦି’ଚାରିପଦ କଥା ହୋଇ ତା ମନକଥା ଜାଣିବାପାଇଁ। କିନ୍ତୁ ସଂଯୁକ୍ତାର ବାପା, ରକ୍ଷଣଶୀଳ ହୋଇଥିଵାରୁ ବାହାଘର ପୂର୍ବରୁ,ପୁଅ-ଝିଅଙ୍କ ଦେଖା-ସାକ୍ଷାତ ସପକ୍ଷରେ ନଥିଲେ।ସଙ୍ଗେ ସଙ୍ଗେ ଜାତକ ଦେଖାଦେଖି କାମ ଶେଷକରି ବାହାଘର ତିଥି ମଧ୍ୟ ଠିକ୍ ହୋଇଗଲା ଗୋଟିଏ ସପ୍ତାହ ଭିତରେ।

    ——ସବୁଠାରୁ ଭଲ ଦାମିକା ଘୋଡୀ ଚଢି ବାହା ହେବାକୁ ଯାଇଥିଲା ସୁବାସ। କ୍ଷତ୍ରିୟ ବଂଶର ପିଲା;ତେଣୁ ପରମ୍ପରା ଅନୁଯାୟୀ ଖୋଳ ଭିତରେ ଥିବା ଖଣ୍ଡାଟିଏ ମଧ୍ୟ ଝୁଲୁଥାଏ ତା ଅଣ୍ଟାରେ। ସୁସଜ୍ଜିତ କାରରେ ନଯାଇ ଏଭଳି ପାରମ୍ପରିକ ରୀତିରେ‌ ବାହା ହେବା ପାଇଁ ଯିବାରେ ଅଫୁରନ୍ତ ଆନନ୍ଦ ପାଇଥିଲା ସୁବାସ।
    —–ସେଦିନ ତାର ମନେହେଲା ପୃଥିରାଜ ସାଜି ସଂଯୁକ୍ତାକୁ ବାହାହେଇ ଚିତୋର ଗଡକୁ ସେ ଫେରିଛି।

    —–ଆଜି ଚତୁର୍ଥୀ ରାତିରେ ପ୍ରିୟତମାର ସାନ୍ନିଧ୍ୟ ପାଇଁ ମନ ତାର ବ୍ୟାକୁଳ ହୋଇ ଉଠୁଥିଲା;ଭାବୁଥିଲା.. ଶୀଘ୍ର ଘରର କାମ-ଦାମ ସାରି ସମସ୍ତେ ଶୋଉନାହାନ୍ତି କାହିଁକି? କାହିଁକି ଭାଉଜ କହୁନାହାନ୍ତି..ସୁବାସ ଯାଅ ତୁମ ପ୍ରିୟତମାକୁ ଭେଟିବା ପାଇଁ?
    ଶେଷରେ, ରାତି ଏଗାରଟା ବେଳକୁ ବହୁ ପ୍ରତୀକ୍ଷିତ ସେ ମୁହୂର୍ତ୍ତ ଆସିଲା।ଚଉଠି ଘରେ ପ୍ରବେଶ କଲା ସୁବାସ।

    —–କିନ୍ତୁ ତାର ଭାବନାର ବିପରୀତ,ଶେଯ ଉପରେ ବସି ନଥିଲା ସଂଯୁକ୍ତା,ନଥିଲା ମୁଣ୍ଡରେ ଓଢ଼ଣା। ସଂଯୁକ୍ତା ଗୋଟିଏ ଚେୟାର ଉପରେ ବସିଥିଲା। ସୁବାସ କିଛି କହିବା ଆଗରୁ ସଂଯୁକ୍ତା ଆରମ୍ଭ କଲା….. ସୁବାସ,ବେଦୀରେ ବସି ସିନା ମତେ ତମେ ବିବାହ କରିଛ, କିନ୍ତୁ ମୁଁ ତୁମର ସ୍ତ୍ରୀ ହେବାପାଇଁ ଯୋଗ୍ୟ ନୁହେଁ,କାରଣ ବହୁ ଆଗରୁ ମୁଁ ମୋର ମନ ଦେଇ ସାରିଛି ମୋ ଇପ୍ସିତ ପୁରୁଷକୁ।ମୋ ପରିବାରର ସମସ୍ତ ସଦସ୍ୟ ମୋ ସହିତ ତାଙ୍କ ବିବାହକୁ ସମର୍ଥନ କଲେନାହିଁ,କାରଣ ଜାତିଭେଦ ଆମ ଦୁହିଁଙ୍କ ଭିତରେ ପାଚେରୀ ହୋଇ ଠିଆ ହେଲା।

    —–ମତେ ଦେଖିବାପାଇଁ ଯେଉଁ ଦିନ ତୁମେ ଆମ ଘରକୁ ଆସିଥିଲ, ସେଦିନ ବାପା,ଭାଇଙ୍କ ଡରରେ ମୁଁ ପ୍ରତିବାଦ କରିପାରିଲି ନାହିଁ।ତୁମେ ମଧ୍ୟ ମୋ ମନକଥା ଜାଣିବାପାଇଁ ଚାହିଁଲନାହି।ତୁମେ ଆସିବାପରେ ମୁଁ ଅନେକ ଚେଷ୍ଟାକଲି ତୁମ ପାଖକୁ ଖବର ପଠାଇ ବା’ଘର ବନ୍ଦ୍ କରାଇବା ପାଇଁ। କିନ୍ତୁ ମୋ ବାପା ଏବଂ ଭାଇ ମତେ ଗୋଡ଼େ ଗୋଡ଼େ ଜଗିଲେ।ମତେ ଘରୁ ବାହାରି ବାକୁ ଦେଲେନାହି।ସପ୍ତାହେ ଭିତରେ ଏତେ ଶୀଘ୍ର ବାହାଘର ଠିକ୍ ହୋଇଗଲା ଯେ ମୁଁ ଆଉ କିଛି କରିପାରିଲି ନାହିଁ।

    —–ସଂଯୁକ୍ତା କଥା ସୁବାସକୁ ଥଟ୍ଟା ଭଳି ଲାଗିଲା। ସୁବାସ କହିଲା.. କାହିଁକି ଏମିତି ଥଟ୍ଟା କରୁଚ କହିଲ? ଆଜିପରି ରାତିରେ ଏଭଳି ଥଟ୍ଟା ଠିକ୍ ନୁହେଁ ସଂଯୁକ୍ତା।
    ସଂଯୁକ୍ତା ଏକ ମ୍ଲାନ ହସ ହସି କହିଲା…ଏହା ଜୋକସ୍ ନୁହେଁ ସୁବାସ,ଦିନ ଆଲୁଅ ଭଳି ନିର୍ମଳ ସତ୍ୟ।ଆମ ଦୁହିଁଙ୍କର ଭାଗ୍ୟ ଆମ ସହିତ ସବୁଠାରୁ ବଡ଼ ଜୋକ୍ ଖେଳିଛି।

    —–ସୁବାସର ପାଦତଳୁ ମାଟି ଖସି ଖସି ଯାଉଥିଲା ଯେମିତି।ମୁଣ୍ଡ ତାର ଘୂରେଇ ଗଲା ଭଳି ଲାଗିଲା ।ପଡ଼ି ଯାଉଯାଉ ନିଜକୁ ସମ୍ଭାଳି ନେଲା ସୁବାସ।ଖଟ ଉପରେ ଲଥ୍ କରି ବସିପଡ଼ିଲା।ତାର ସ୍ବପ୍ନର ମୀନାର ଦୁର୍ଭାଗ୍ୟର ଅଟ୍ଟହାସରେ ଖଣ୍ଡ ଖଣ୍ଡ ହୋଇ ଭୁଶୁଡ଼ି ପଡୁଛି ଯେମିତି।

    —++କିଛି ସମୟ ପରେ ନିଜକୁ ସମ୍ଭାଳି ନେଲା ସୁବାସ।ନୀରବରେ ପ୍ରାୟ ପନ୍ଦର ମିନିଟ୍ ବିତିଗଲା।ତଳକୁ ମୁହଁ ପୋତି ବସିଥିଲା ସଂଯୁକ୍ତା। ନୀରବତା ଭାଙ୍ଗି ସୁବାସ କହିଲା..ତୁମକୁ ଗୋଟିଏ ଅନୁରୋଧ କରିପାରିବି ସଂଯୁକ୍ତା?
    ସଂଯୁକ୍ତା ମୁହଁ ଟେକି ସୁବାସ କୁ ଚାହିଁଲା।

    –+++ସୁବାସ କହିଲା… ଏକଥା ପ୍ରଘଟ ହେଲେ ବଡ଼ ବଦନାମ୍ ହେବ ଆମ ଦୁଇ ପରିବାର ପାଇଁ।ଆମେ କେହି ବାଟରେ ମୁଣ୍ଡଟେକି ଚାଲିପାରିବା ନାହିଁ। ସାଇପଡିଶା କଥା ଛାଡ,ନିଜ ବନ୍ଧୁ ବାନ୍ଧବ ଞ୍ଜାତି କୁଟୁମ୍ବରେ ଲୋକ ଅଛନ୍ତି ନାକରେ କାଠି ପୂରେଇ ଛିଙ୍କିବା ପାଇଁ।ତେଣୁ ମୋର ଅନୁରୋଧ,ତୁମେ ଅତୀତ କଥା ଭୁଲିଯାଅ, ନୂଆକରି ଆସ ଜୀବନ ଆରମ୍ଭ କରିବା।ବାହାବେଦୀର ହୋମ ନିଆଁରେ ତୁମର ଅତୀତ ଜଳିପୋଡି ପାଉଁଶ ହୋଇଯାଇଛି ବୋଲି ଭାବି ନିଅ।ତୁମର ସବୁ ଦୋଷ କ୍ଷମା କରିବା ପାଇଁ ମୁଁ ମଧ୍ୟ ବିବାହ ବେଦୀରେ ଶପଥ ନେଇଛି;ଆସ ଅତୀତକୁ ଭୁଲିଯାଇ ନୂଆ ଜୀବନ ଆରମ୍ଭ କରିବା ସଂଯୁକ୍ତା।

    —–ସଂଯୁକ୍ତା କହିଲା… ତାହା ସମ୍ଭବ ନୁହେଁ ସୁବାସ।ଆମେ କଟକ ଚଣ୍ଡୀ ମନ୍ଦିରରେ ବଚନବଦ୍ଧ ହୋଇସାରିଛୁ ଏକାଠି ଦାମ୍ପତ୍ୟ ଜୀବନ ବିତାଇବା ପାଇଁ।ତେଣୁ ତୁମେ ମତେ ସାହାଯ୍ୟ କର ସୁବାସ, ମୋ ପ୍ରିୟତମ ରାକେଶ ସହିତ ମୋର ମିଳନ ପାଇଁ।ନହେଲେ ଆତ୍ମହତ୍ୟା ବ୍ୟତୀତ ମୋ ପାଇଁ ଅନ୍ୟ କୌଣସି ବାଟ ନାହିଁ।

    ——ସୁବାସ କହିଲା… ନାଁ ନାଁ ଆତ୍ମହତ୍ୟା କଥା ପାଟିରେ ଧରନି ସଂଯୁକ୍ତା। କିନ୍ତୁ ଏକଥା ତୁମେ କାହା ଆଗେ କୁହ ନାହିଁ।ମୋ ମୁଣ୍ଡ ତଳକୁ ହେଇଯିବ।ଆମେ ଗୋଟିଏ କାମ କରିବା। ମୁଁ ଅଫିସ୍ କାମରେ ଯୋଗଦେବାପାଇଁ ଭୁବନେଶ୍ୱର ଗଲାପରେ,ତୁମକୁ ନେଇଯିବି।ତାପରେ ତୁମ ବନ୍ଧୁ ରାକେଶ ପାଖରେ ତୁମକୁ ପହଞ୍ଚାଇ ଦେବି।‌ତୁମର ଏବଂ ମୋର ଡିଭୋର୍ସ କାମ ମଧ୍ୟ ସେ ଭିତରେ ସମ୍ପୂର୍ଣ୍ଣ ହୋଇଯିବ।

    ——କିଛି ସମୟ ନିରବତା ପରେ ସୁବାସ ପଚାରିଲା..ତୁମର କିଛି ଆପତ୍ତି ନଥିଲେ ଗୋଟିଏ କଥା ପଚାରିବି, କହିବ ସଂଯୁକ୍ତା? ତୁମର କେମିତି ରାକେଶ ସହିତ ଭେଟ ହେଲା ଏବଂ ତୁମର ସମ୍ପର୍କ କେତେଦୂର ଆଗେଇ ଯାଇଥିଲା?

    —–ସଂଯୁକ୍ତା କହିଲା… ଫେସବୁକ୍ ଚାଟିଙ୍ଗ୍’ରୁ ଆମର ପରିଚୟ ହୁଏ ଏବଂ ଆଗେଇ ଯାଏ ଭାବପ୍ରବଣତାର ସୀମା ଡେଇଁ ଅନେକ ଆଗକୁ।ଶେଷରେ ସେ ମତେ ଡାକନ୍ତି କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଦେଖା କରିବାପାଇଁ। ସେଦିନ ଏପ୍ରିଲ ମାସର କେଉଁ ତାରିଖ ଥିଲା ମନେନାହିଁ।କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ମୁଁ ଯେତେବେଳେ ତାଙ୍କୁ ଭେଟିଲି ମୋ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ।ଏତେ ସୁନ୍ଦର ଚେହେରା !! ମାଇଁ ଗଡ୍,ସତେ ଯେମିତି ଜଣେ ଗ୍ରିକ୍ ଦେବତା ମୋ ଆଗରେ ଠିଆ ହୋଇଛନ୍ତି।ଆମେ ବାହାରେ କିଛି ସମୟ କଥାବାର୍ତ୍ତା ହେଲୁ। କିନ୍ତୁ ଆମର କଥାବାର୍ତ୍ତା ଅନେକଙ୍କ ଦୃଷ୍ଟି ଆକର୍ଷଣ କଲା। ସେଥିପାଇଁ ପାଖରେ ଥିବା ଗୋଟିଏ ଲଜ୍ ଭିତରେ ଗୋଟିଏ ରୁମ୍ ଭଡ଼ା ନେଇ ଦିନଟିର ଅନେକ ଭାବପ୍ରବଣ ମୁହୂର୍ତ୍ତ ବିତାଇଲୁ।କନକ ଦୁର୍ଗା ମନ୍ଦିରରେ ଶପଥ ନେଲୁ ସେ ବିବାହ ସମ୍ଭବ ନହେଲେ ଆମେ ଆତ୍ମହତ୍ୟା କରିବୁ।

    ——ଅଳ୍ପ ନୀରବତା ପରେ ସଂଯୁକ୍ତା ପଚାରିଲା..”ତମେ ଏଭଳି କାହାକୁ ଭଲ ପାଇନ ସୁବାସ ?
    ସୁବାସ କହିଲା..ମୋ ଭଳି ଅନାଡିକୁ କିଏ ଭଲ ପାଇବ କୁହ ସଂଯୁକ୍ତା?

    ——ସେତେବେଳକୁ ରାତି ଦୁଇଟା ବାଜିବାକୁ ଯାଉଛି। ସଂଯୁକ୍ତାକୁ ଟିକିଏ କଣେଇ ଚାହିଁଲା ସୁବାସ।ଆଖିକଣରେ ଦେଖିପାରିଲା କିଛି ଦୁଷ୍ଟାମୀ। ସଂଯୁକ୍ତା କହିଲା.. କ୍ୟାଲେଣ୍ଡରରେ ଆଜି ତାରିଖଟା ଟିକିଏ ଦେଖିଲ ସୁବାସ।
    ସୁବାସ ଦେଖିଲା.. ଏପ୍ରିଲ ମାସ ପହିଲା….
    ସୁବାସ ସଂଯୁକ୍ତା ହାତକୁ ଚିମୁଟି ଧରି କହିଲା.. ଆଜି ଦିନରେ ତମେ ମତେ ଏପ୍ରିଲ ଫୁଲ୍ କରିବାକୁ ଥିଲା ସଂଯୁକ୍ତା,ହାଓ ମିନ୍।
    ସଂଯୁକ୍ତା ଚିଲ୍ଲେଇ ଲା…ଛାଡ ଛାଡ ଏତେ ଜୋରରେ ଚିମୁଟୁଚ, କାଟୁଚି।
    —–ପର ମୁହୂର୍ତ୍ତରେ ସୁବାସର ବାହୁବନ୍ଧନ ଭିତରେ ଥିଲା ସଂଯୁକ୍ତା। ପ୍ରିୟତମାର ଗାଲରେ ଚୁମ୍ବନ ଆଙ୍କି ଦେଉ ଦେଉ ସୁବାସ କହୁଥିଲା..ତମ ଷ୍ଟୋରୀ ପରଫେକ୍ଟ୍ ଥିଲା କିନ୍ତୁ ଗୋଟିଏ ଯାଗାରେ ତୁମେ ଧରା ପଡିଗଲ;ପ୍ରଥମେ କହିଥିଲ କଟକ ଚଣ୍ଡୀ ମନ୍ଦିରରେ ଶପଥ କରିଥିଲ ବୋଲି, କିନ୍ତୁ ପରେ କହିଲ କନକଦୁର୍ଗା ମନ୍ଦିର।
    ——ସଂଯୁକ୍ତା କହିଲା..ସେଇଟା ବି ମୁଁ ଜାଣିଶୁଣି କହିଥିଲି.. ଜାଣିବାକୁ ଚାହୁଁଥିଲି ତୁମ ବୋକାମୀର ଗଭୀରତା।

    —– ସଂଯୁକ୍ତା କହିଲା… ସତରେ ତୁମକୁ ପ୍ରଥମ ଦେଖାରେ ଏପ୍ରିଲ ଫୁଲ୍ କରିବାକୁ ମୁଁ ସାହସ କରି ନଥାନ୍ତି।ତମ ଭାଉଜ ମତେ ରାଣ ନିୟମ ପକେଇ ଏମିତି କରିବାକୁ କହିଲେ। ମୁଁ ପଚାରିଲି… ରାଗିବେନି ତମ ଦିଅର?ଭାଉଜ କହିଲେ.. ନାଁ ନାଁ ଭାରି ସରଳ ସିଏ,ସୁନାମୁଣ୍ଡା।ଏ ସୁନାମୁଣ୍ଡା,ମୋ ଉପରେ ରାଗିଚ ?

Click to rate this post!
[Total: 0 Average: 0]

Leave a Reply