ଭିନ୍ନ ଏକ ଗଣେଶ ଚତୁର୍ଥୀ
ଭିନ୍ନ ଏକ ଗଣେଶଚତୁର୍ଥୀ
kulamanisarangi.blogspot.com
ପଛକୁ ଫେରି ଚାହିଁଲେ ବହୁତ ଲମ୍ବା ରାସ୍ତା ଅତିକ୍ରମ କରି ଆସିଲାପରି ଲାଗୁଛି।ଜୀବନରେ ଅଠଷଠୀ ବର୍ଷ ଅତିକ୍ରମ କରିବା କିଛି କମ୍ କଥା ନୁହେଁ ।ଜୀବନର ସଂଧ୍ୟା ବୋଲି ଧରିବାକୁ ହେବ।ପଛରେ ରହିଗଲା ଅତିକ୍ରମ କରିଥିବା ଅଙ୍କା ବଙ୍କା ରାସ୍ତା, ସେ ପାହାଡ ,ସେ ନଈ ଯେଉଁଠୁ ଜୀବନଯାତ୍ରା ଆରମ୍ଭ ହୋଇଥିଲା।ସେମାନେ ଖୁବ୍ ଛୋଟ ଛୋଟ ଓ ଧୁଆଁଳିଆ ଦେଖାଗଲେଣି।ସଂଜ ନଇଁ ଆସୁଚି।ସେ ସମୟର ସବାପଛର ମଣିଷ ଆଜି ଧାଡିର ସବା ଆଗରେ ଠିଆ ହେଇଚି।
ସବୁ ବର୍ଷ ଗଣେଶ ଚତୁର୍ଥୀ ଆସିଲେ ମନେପଡେ ପିଲାଦିନେ ଆମେ କେମିତି ଭିନ୍ନ ଏକ ଗଣେଶ ପୂଜା ପାଳନ କରୁଥିଲୁ।
ସବୁ ସାଙ୍ଗ ସାଥି ମାନଙ୍କର ନୂଆ ପ୍ୟାଣ୍ଟ ସାର୍ଟ୍ ,ଜାମାପଟା ହେଲାବେଳେ ଆମେ ଛଅ ଭାଇ ଭଉଣୀ ପୁରୁଣା ଜାମାପଟା ପିନ୍ଧିବାକୁ ବାଧ୍ୟ।ପୂଜାଦିନ ସକାଳୁ ମୁଢି ଏବଂ ଦି’ପହରେ ପଖାଳ ଖାଇବାକୁ ବାଧ୍ୟ।ଆଇଁଷ ଖାଇବାରେ ମଧ୍ୟ କିଛି କଟକଣା ନଥିଲା,ବରଂ ସ୍ୱାଗତଯୋଗ୍ୟ ଥିଲା।ସ୍କୁଲକୁ ଯିବାକୁ ହେଲେ ପୁରୁଣା ଜାମାପଟା ପିନ୍ଧି ଯିବାକୁ ପଡୁଥିଲା।ଅବଶ୍ୟ ସ୍କୁଲରେ ଗଣେଶଙ୍କ ପ୍ରସାଦ ଖାଇବାରେ କିଛି କଟକଣା ନଥିଲା।ଘରେ ଏଭଳି ନିୟମ ଲାଗୁ ହୋଇଥିବାରୁ ,ସ୍କୁଲକୁ ଯାଇ ଗଣେଶ ଚତୁର୍ଥୀ ପାଳନ କରିବାକୁ ଇଚ୍ଛା ହୁଏନାହିଁ ।ପୂଜାର କିଛିଦିନ ପୂର୍ବରୁ ଯେତେବେଳେ କ୍ଳାସରେ ଚାନ୍ଦା ଆଦାୟ ହୁଏ, ମୁଁ ଦିଏନାହିଁ, କହେ “ଆମ ଘରେ ଗଣେଶପୂଜା ନାହିଁ ।”
ଆଶ୍ଚର୍ଯ୍ଯ ଲାଗୁଚି ନାଁ?ଜଣେ ଖ୍ୟାତନାମା ହାଇସ୍କୁଲ ଶିକ୍ଷକଙ୍କ ପରିବାରରେ, ବିଦ୍ୟାଦାତାଙ୍କ ପୂଜା ତିଥିରେ, ଏପରି ନିୟମ (ବେନିୟମ)ଥିଲା ବୋଲି ଶୁଣିଲେ ଯେ କେହି ଆଶ୍ଚର୍ଯ୍ଯ ହେବ।ଆପଣ ଭାବୁଥିବେ ମୁଁ ଗପ କହୁଚି।କିନ୍ତୁ ଏହା ଗପ ନୁହେଁ ।
ଏହାର କାରଣ ପଛରେ ଥିଲା ,ଅତୀତରେ ଆମ ପରିବାରରେ ଘଟିଥିବା ଦୁଇଟି ଭୟଙ୍କର ଦୁର୍ଘଟଣା ।ଆମ ବଂଶର କେଉଁ ସାତ ଆଠ ପୁରୁଷ ତଳେ ଥରେ ଗଣେଶ ଚତୁର୍ଥୀରେ ଘରର ପୁଅଟିଏ ପାହାନ୍ତାରୁ ଗଣେଶଙ୍କପାଇଁ ବଗିଚାରୁ ଫୁଲ ତୋଳିବା ସମୟରେ ସାପକାମୁଡାରେ ପ୍ରାଣ ହରାଇଥିଲା।ତା’ପର ବର୍ଷ ଘରର ଝିଅଟିଏ ବସନ୍ତ ପଞ୍ଚମୀ ଦିନ ଗାଡିଆରୁ କଇଁଫୁଲ ତୋଳୁ ତୋଳୁ ପାଣିରେ ବୁଡିଯାଇ ପ୍ରାଣ ହରାଇଥିଲା।ସେହିଦିନଠାରୁ ଗଣେଶ ପୂଜା ଓ ସରସ୍ୱତୀପୂଜା ଆମ ପରିବାରରେ ବର୍ଜିତ ଥିଲା।ଖାଲି ତ ବର୍ଜିତ ନଥିଲା ,ପଖାଳ ଖାଇ ଅପାଳନ କରାଯାଉଥିଲା।ଅତୀତରେ ଦୁର୍ଘଟଣାର ଶୀକାର ହୋଇଥିବା ସେହି ପିଲାଦୁଇଟିଙ୍କ ନାମ ଜାଣିବାପାଇଁ ଆମେ କେବେ ଚେଷ୍ଟା କରିନଥିଲୁ।ଆବଶ୍ୟକ ବି ନଥିଲା।
ଜେଜେ ବାପା ବାଣୀଭୂଷଣ ଥିଲେ ତତ୍କାଳୀନ ରାଜଦରବାରରେ ପ୍ରସିଦ୍ଧ ପଣ୍ଡିତ;ସାମନ୍ତ ଚନ୍ଦ୍ରଶେଖରଙ୍କ ସମସାମୟୀକ ।କୁମ୍ଭାରଚକ ପୁସ୍ତକରେ କବିଚନ୍ଦ୍ର କାଳୀଚରଣ ତାଙ୍କର ପାଣ୍ଡିତ୍ଯରେ ଶତମୁଖ ହୋଇଛନ୍ତି ।ସେ ବାଣୀ ବରପୁତ୍ର ମଧ୍ୟ ଘରେ ବାଣୀପୂଜାକୁ ଅଗ୍ରାଧିକାର ନଦେଇ ପିଲାମାନଙ୍କ ମଙ୍ଗଳ ଦୃଷ୍ଟିରୁ ଏପରି ଏକ ପାରିବାରିକ ନିୟମକୁ ଅଗ୍ରାଧିକାର ଦେଇଥିଲେ।
ଏ ଭିତରେ କୁସୁମୀରେ ଓ ମହାନଦୀରେ କେତେ ଜଳ ବହିଗଲାଣି।ଆମେମାନେ ଆମ ପିଲାମାନଙ୍କ କ୍ଷେତ୍ରରେ ଏପରି ନିୟମ ଓ କଟକଣାକୁ ବିଲକୁଲ୍ ପାଳନ କରିନାହୁଁ।ପ୍ରତି ଗଣେଶ ଓ ସରସ୍ୱତୀ ପୂଜା ଧୁମଧାମରେ ଘରେ ପାଳନ କରାଯାଇଛି ।ପିଲାମାନେ ମନଖୁସିରେ ନୂଆ ଜାମାପଟା ପିନ୍ଧିଛନ୍ତି।ଏ ସବୁ ସତ୍ୱେ, ନିୟମ ଅଣାଦେଖା ଯୋଗୁଁ କିଛି ଦୁର୍ଘଟଣା ବା ଅଘଟଣ ଘଟିନାହିଁ ।