Wednesday, April 24, 2024
Stories

ସାମନ୍ତ ସ୍ମରଣେ (୧୦)

ସାମନ୍ତ ସ୍ମରଣେ
………..୧୦…….

ସୀତା ଦେବୀଙ୍କ ସହ ପରିଣୟ….
ଶିଶୁପାଳ ହେବାକୁ ଯାଉଥିଲେ
…………………………………….
ବ୍ରିଟିଶ୍ ସାମ୍ରଜ୍ୟର ଲୋଲୁପ ଶ୍ବେନଦୃଷ୍ଟି ୧୮୦୩ ମସିହାରେ ଓଡିଶା ଉପରେ କେନ୍ଦ୍ରିଭୂତ ହେଲା।ସର୍ବ ପ୍ରଥମେ ଗୋରାମାନେ ଦଖଲ କଲେ କନିକା ଏବଂ ପରେ ଅନ୍ୟ ଗଡଜାତ ଗୁଡିକୁ କଳେ,ବଳେ କୌଶଳେ ଦଖଲ କରିନେଲେ।ଗଡଜାତର ଜମିଦାର ରାଜାମାନଙ୍କଠାରୁ ‘ଇକରାର୍ ନାମା’ ଲେଖାଇନେଇ ସେ ଗୁଡିକୁ ବ୍ରିଟିଶ୍ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ କରାଇନେଲେ।ବ୍ରିଟିଶ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଏହି ରାଜ୍ୟଗୁଡିକ ଗୋରା ସରକାରଙ୍କର କରଦ ରାଜ୍ୟ ରୂପେ ରହିଲେ। କେବଳ ରହିଗଲା ଅନଗୁଳ ରାଜ୍ୟ।ଅନୁଗୁଳର ରାଜା ସୋମନାଥ ସିଂହମର୍ଦ୍ଦରାଜ ବୀରବର ଜଗଦ୍ଦେବ, ଗୋରା ସରକାରଙ୍କୁ ନିଜ ରାଜ୍ୟ ଟେକି ଦେବାପାଇଁ ରାଜି ହେଲେନାହିଁ।ଫଳତଃ ୧୮୪୭ ମସିହା ଡିସେମ୍ବର 18 ତାରିଖ ଦିନ ତାଙ୍କୁ ବିନା ଅପରାଧରେ ଗାଦିଚ୍ୟୁତକରି, ଗୋରା ସରକାର , ପ୍ରଥମେ କଟକ ଓ ପରେ ହଜାରିବାଗ୍ ଜେଲରେ ଅନ୍ତରୀଣ ବନ୍ଦୀ ଭାବରେ ଅଟକ ରଖିଲେ ଏବଂ ଅନୁଗୁଳକୁ ଖାସ୍ କରାଇନେଲେ ଅର୍ଥାତ୍ ସରକାରଙ୍କ ଖାସ୍ ତତ୍ବାବଧାନରେ ରଖିଲେ।ତାଙ୍କର ଏକମାତ୍ର ପୁତ୍ର ଲୋକନାଥ ସିଂହ ଜଗଦ୍ଦେବଙ୍କୁ ୧୫୧ ଟଙ୍କା ମାସିକ ଭତ୍ତାଦେଇ ପୁରୀରେ ଅବସ୍ଥାନ କରିବାକୁ ସରକାର ବାହାଦୂର ନିର୍ବ୍ଦେଶଦେଲେ।ସୋମନାଥଙ୍କର ନିକଟ ସମ୍ପର୍କୀୟ ଭ୍ରାତା ତଥା ଅନୁଗତ ଦାଶରଥି ବୀରବର ଜଗବ୍ଦେବ କ୍ଷତ୍ରିୟବର ସିଂହଙ୍କର ସମସ୍ତ ଖଞ୍ଜାବୃତ୍ତି ସରକାର ବାହାଦୂର କାଟିଦେଲେ।ଭୟଭୀତ ଦାଶରଥି ଅନୁଗୁଳଠାରୁ ପାଞ୍ଚମାଇଲ ଦୂରରେଥିବା ତୁରଙ୍ଗ ଗଡରେ ସପରିବାର ଆଶ୍ରୟ ନେଲେ।

ଦାଶରଥିଙ୍କର ‘ସୀତା’ ନାମ୍ନୀ ଅନିନ୍ଦ୍ୟ ସୁନ୍ଦରୀ ବିବାହଯୋଗ୍ୟା କନ୍ୟାରତ୍ନଟିଏ ଥିଲେ।ପରିବାରର ଏପରି ବିପର୍ଯ୍ୟୟ ସମୟରେ ଦାଶରଥିଙ୍କର ଏକମାତ୍ର ଚିନ୍ତାଥିଲା କିପରି ଶୀଘ୍ରାତିଶୀଘ୍ର କନ୍ୟାର ବିବାହକାର୍ଯ୍ୟ ସମ୍ପନ୍ନ ହୋଇଯିବ।
ଏଣେ ଖଣ୍ଡପଡାରେ ଶ୍ୟାମବନ୍ଧୁ ଦେଖିଲେ ଯେ ପୁତ୍ର ଚନ୍ଦ୍ରଶେଖରଙ୍କ ମନ ସର୍ବଦା ମହାକାଶରେ ତାରାମଣ୍ଡଳରେ ବିଚରଣ କରୁଛି।ତାଙ୍କୁ ସଂସାର ବଂଧନରେ ବାନ୍ଧିବାପାଇଁ ଶ୍ୟାମବଂଧୁ ବ୍ୟଗ୍ର ଥିଲେ। ତେଣୁ ଶ୍ୟାମବନ୍ଧୁଙ୍କ ପାଖକୁ ସୀତାଦେବୀଙ୍କ ପ୍ରସ୍ତାବ ଯେତେବେଳେ ଆସିଲା,ସେ କନ୍ୟାର ରୂପ,ଗୁଣ ଓ ବଂଶଆଭିଜାତ୍ୟ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ପୁତ୍ରର ବିବାହ ସ୍ଥିର କରିଦେଲେ।

୧୮୫୭ ମସିହା ମାଘମାସ ଶୁକ୍ଳ ଦ୍ବାଦଶୀ ତିଥିରେ ମହା ଆଡମ୍ବରରେ ଚନ୍ଦ୍ରଶେଖରଙ୍କ ବରଯାତ୍ରା ଅନୁଗୁଳରେ ଯଥାସମୟରେ ପହଞ୍ଚିଲା।ଚନ୍ଦ୍ରଶେଖର ଅତ୍ୟନ୍ତ ଗୁଣବାନ,ଧୀମାନ୍ ଏବଂ ଅସାଧାରଣ ପଣ୍ଡିତ ଥିଲେ ମଧ୍ୟ,ରୂପବାନ୍ ନଥିଲେ।ସୀତାଦେବୀଙ୍କ ମାତା ପ୍ରତିମା ଦେବୀଙ୍କ କାନରେ ଜାମାତାଙ୍କର ରୂପବର୍ଣ୍ଣନା ପଡିଲା।ଜନୈକା ମହିଳା କହିଲେ “କଣ କଲୁ ପ୍ରତିମା ! ଏଡେ ସୁନ୍ଦର ଝିଅକୁ ଏଡେ ଅସୁନ୍ଦର ବର ହାତରେ ଟେକିଦେଲୁ ?”

ପ୍ରତିମା ଦେବୀ ଅଡିବସିଲେ”ନାଁ,ଏ ବାହାଘର ହୋଇପାରିବନାହିଁ”।
କଥା ବରଯାତ୍ରୀମାନଙ୍କ କାନକୁ ଗଲା।ଜନୈକ ବରଯାତ୍ରୀ ଚନ୍ଦ୍ରଶେଖରଙ୍କ ପାଖକୁ ଆସି ସବୁଘଟଣା ବର୍ଣ୍ଣନାକରି କହିଲେ”ସାଆନ୍ତେ,ଆମେ ଆଜି ଶିଶୁପାଳ ହୋଇ ଫେରିବାନିତ?”

ବରଯାତ୍ରୀମାନଙ୍କ ପାଇଁ ବସାର ଆୟୋଜନ ଅନୁଗୁଳ ରାଜବାଟି ସାମ୍ନା ଦେବୀମଣ୍ଡପରେ ହୋଇଥାଏ।ସମ୍ଭାବିତ ବିଭ୍ରାଟ ଆଶଂକାରେ ବୃଦ୍ଧ ଶ୍ୟାମବନ୍ଧୁ ମୌନ ହୋଇ ବସିଥାନ୍ତି।ଆରମ୍ଭ ହେଲା ଚନ୍ଦ୍ରଶେଖରଙ୍କ କଣ୍ଠରୁ ଜଳଦ ଗମ୍ଭୀର ସ୍ବରରେ ନୈଷଧ କାବ୍ୟର ଶ୍ଲୋକ ଉଚ୍ଚାରଣ ଓ ବ୍ୟାଖ୍ୟାନ।ଏଭଳି ପାଣ୍ଡିତ୍ୟ ଦେଖି କନ୍ୟାପକ୍ଷରୁ ଆସିଥିବା ପୁରୋହିତ ସ୍ତବ୍ଧ।ସେ ଯାଇ ଅନ୍ତପୁରରେ ଚନ୍ଦ୍ରଶେଖରଙ୍କ ପାଣ୍ଡିତ୍ୟର ଭୂୟସୀ ପ୍ରଶଂସା କଲେ।ଜାମାତାଙ୍କର ଅନନ୍ୟ ପ୍ରତିଭାର ପରିଚୟ ପାଇ ପ୍ରତିମାଦେବୀ ମହା ଆନନ୍ଦରେ କନ୍ୟାପ୍ରଦାନ କଲେ।
କ୍ରମଶଃ………

Click to rate this post!
[Total: 0 Average: 0]

Leave a Reply