Thursday, April 18, 2024
Stories

ସାମନ୍ତ ସ୍ମରଣେ (୩)

ସାମନ୍ତ ସ୍ମରଣେ
——-୩——–
ଅନ୍ଧାରୀ ମୁଲକରେ ଆଲୋକ

(ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଉପରେ ଆଧାରିତ)
………………………………..
ଖଣ୍ଡପଡାରେ ବହୁ ବିଦ୍ବାନ ଏବଂ ପଣ୍ଡିତ ମାନଙ୍କର ଆବିର୍ଭାବ ହୋଇଥିବରୁ ଏହା ବିଦ୍ୟାନଗରୀ ଭାବରେ ପ୍ରଖ୍ୟାତ।କିନ୍ତୁ ବଣ,ପାହାଡ ଅଧ୍ୟୁଷିତ ଏହି ଗଡଜାତରେ ବହୁକାଳଧରି ଆଧୁନିକ ଶିକ୍ଷାର ଆଲୋକର ଅଭାବ ତଥା ଭିତ୍ତିଭୂମି ଓ ଗମନାଗମନର ଘୋର ଅସୁବିଧା ଯୋଗୁ ଏହାର ଜନସାଧାରଣ ଅନ୍ୟ ଅନେକ ଗଡଜାତ ଭଳି ଅନ୍ଧକାର ଭିତରେ କାଳ ଯାପନ କରୁଥିଲେ।ଏଥିପାଇଁ ମୂଖ୍ୟତଃ ଗୋରା ସରକାରଙ୍କ ନିର୍ଦ୍ଦେଶରେ ପରିଚାଳିତ ରାଜତନ୍ତ୍ର ହିଁ ଦାୟୀ ଥିଲା।
ଏଭଳି ସମୟରେ ଏହି ଅନ୍ଧକାର ଗଡଜାତକୁ ଆଲୋକିତ କରି ସାମନ୍ତ ଚନ୍ଦ୍ରଶେଖର, ବନ୍ଧୁ ସାମନ୍ତଙ୍କ ଗୃହ ମଣ୍ଡନ କରିଥିଲେ।
ରାଜା ନୃସିଂହ ଭ୍ରମରବରଙ୍କ ଷଷ୍ଠ ପୁତ୍ର ଶ୍ୟାମବନ୍ଧୁଙ୍କ ଉପରେ ରାଜଲକ୍ଷ୍ମୀଙ୍କର ଦୟା ନହେବା ସ୍ବାଭାବିକ ;ତେଣୁ ସରସ୍ବତୀଙ୍କର ଅସୀମ ଦୟାର ଅଧିକାରୀ ସେ ଥିଲେ।ସେ ସଂସ୍କୃତ କାବ୍ୟ,ନାଟକ,ଅଳଂକାର ଏବଂ ବ୍ୟାକରଣରେ ପାଣ୍ଡିତ୍ୟ ଲାଭ କରିଥିଲେ।ସେ ସମୟରେ ତାହାହିଁ ଥିଲା ଉଚ୍ଚଶିକ୍ଷାର ମାନଦଣ୍ଡ ।କାରଣ ସେ ସମୟରେ ଇଁରାଜୀ ବିଦ୍ୟାଳୟଟିଏ ମଧ୍ୟ ଖଣ୍ଡପଡା ଅନ୍ଚଳରେ ନଥିଲା।ଗଣିତଜ୍ୟୋତିଷ ପ୍ରତି ଆଗ୍ରହ ଥିଲେ ମଧ୍ୟ ଫଳିତ ଜ୍ୟୋତିଷଶାସ୍ତ୍ର ପ୍ରତି ସେ ବିଶେଷ ଆକୃଷ୍ଟ ଥିଲେ।ଧରାକୋଟ ରାଜଭ୍ରାତା ପଦ୍ମନାଭ ସିଂହବର୍ମାଙ୍କର କନ୍ୟାରତ୍ନ ବିଷ୍ଣୁମାଳୀ ଦେବୀ ଶ୍ୟାମବନ୍ଧୁଙ୍କର ଧର୍ମପତ୍ନୀ ଥିଲେ।ଶ୍ୟାମବନ୍ଧୁଙ୍କର ନଅଟି କନ୍ୟା ଏବଂ ଦୁଇଟି ପୁତ୍ର ଜାତ ହୋଇଥିଲେ।କିନ୍ତୁ ଦୁଇଟି କନ୍ୟାଙ୍କର ଓ ଗୋଟିଏ ପୁତ୍ରର ମୃତ୍ୟୁ ପରେ ଶ୍ୟାମବନ୍ଧୁ ଓ ବିଷ୍ଣୁମାଳୀ ପୁତ୍ରସନ୍ତାନଟିଏ ପାଇଁ ଅତ୍ୟନ୍ତ ବ୍ୟାକୁଳ ମନରେ ଖୁଣ୍ଟୁପଡାଗ୍ରାମସ୍ଥିତ ରାମେଶ୍ବର ମହାଦେବଙ୍କ ଶରଣାପନ୍ନହେଲେ।ପ୍ରଭୁ ଚନ୍ଦ୍ରଶେଖର ସାମନ୍ତ ଦମ୍ପତିଙ୍କର ମନୋକାମନା ପୂର୍ଣ୍ଣ କରିଥିଲେ ଏବଂ ପୁତ୍ରସନ୍ତାନଟିଏ ୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ ସାମନ୍ତ ଦମ୍ପତିଙ୍କ କୋଳ ମଣ୍ଡନ କରିଥିଲେ।ପ୍ରଭୁ ଚନ୍ଦ୍ରଶେଖରଙ୍କ ଆଶୀର୍ବାଦରୁ ଜନ୍ମିତ ହୋଇଥିବାରୁ ସନ୍ତାନଟିର ନାମ ଚନ୍ଦ୍ରଶେଖର ରଖାଯାଇଥିଲା।
ସାମନ୍ତଙ୍କ ଜନ୍ମ ସମ୍ବନ୍ଧରେ ଏକ ସୁନ୍ଦର ଜନଶ୍ରୁତି ପରବର୍ତ୍ତି ଆଲେଖ୍ୟରେ ପରିବେଷିତ ହେବ।
କ୍ରମଶଃ……..

Click to rate this post!
[Total: 0 Average: 0]

Leave a Reply