ସାରାଂଶ

  • ସାରାଂଶ

ମୋର ଜୀବନକାଳ ଆକଳଣକରି ଦେଖିଲିଯେ ବିତିଯାଇଥିବା ସମୟ ଅପେକ୍ଷା ବାକିଥିବା ସମୟର ପରିମାଣ ଖୁବ୍ କମ୍,ଅର୍ଥାତ୍ ମୁଁ ବୁଢା ହୋଇଯାଇଛି।

ହଠାତ୍ ଗୋଟିଏ ଛୋଟ ପିଲାର ମନସ୍ତତ୍ବ ମୋଭିତରେ ପ୍ରବେଶ କଲା।ମୁଁ ହାତରେ ଧରିଥିବା ଅବକ୍ଷୟମାଣ ଜୀବନ ରୂପକ ‘କ୍ୟାଣ୍ଡି’ର ଅବଶିଷ୍ଟାଂଶର ଖୁବ୍ ମଜା ନେବାକୁ ଇଚ୍ଛାହେଲା।

ଗୁଡାଏ ଅଯଥା ଦେଖାସାକ୍ଷାତ,ଆଜେବାଜେ ଗୁଲିଗପ ଏବଂ ମୂଲ୍ୟହୀନ ମିଟିଂରେ ଯୋଗଦେଇ ସମୟ ଅପଚୟ କରିବାକୁ ବେଳନାହିଁ।ସେଭଳି ମିଟିଂରେ ଲୌକିକତା ପୂରଣ କରୁକରୁ ସମୟ ବିତିଯାଏ ଓ ପ୍ରକୃତ ବିଷୟବସ୍ତୁର ଆଲୋଚନା କମ୍ ହୁଏ।ସମସ୍ତେ ଜାଣନ୍ତି,ଏଭଳି ଚଷୁକୁଟା ଆଲୋଚନାର କୌଣସି ନିଷ୍କର୍ଷ ବାହାରେ ନାହିଁ।

ଦୁନିଆଁରେ ଏଭଳି ଲୋକ ଅଛନ୍ତି,ଯେଉଁମାନଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ ମାନସିକ ପରିପକ୍ୱତା ତାଳମେଳ ଦେଇ ବଢେନାହିଁ ଅଥବା ସେମାନେ ବଢିବାକୁ ଦିଅନ୍ତି ନାହିଁ।ସେପରି ଲୋକଙ୍କ ପାଖରେ ଠିଆହୋଇ ସେମାନଙ୍କର ଅବାନ୍ତର କଥା ଶୁଣିବାକୁ ମୋପାଖରେ ସମୟ କମ୍ କାରଣ ମୋ କ୍ୟାଣ୍ଡି ଶେଷ ହୋଇଆସୁଛି।

ଲମ୍ବା ଗଳ୍ପ ନୁହେଁ ବରଂ ସାରାଂଶ ମୋପାଇଁ ମୂଲ୍ୟବାନ।ଯେଉଁମାନେ ଭୁଲ୍ କରି ମଧ୍ୟ ନିଜଉପରେ ନିଜେ ହସିପାରନ୍ତି,
ନିଜର ଡିଣ୍ଡିମ ବଜାନ୍ତିନାହିଁ,ନିଜେ କରିଥିବା କର୍ମର ଫଳ ପାଇଁ ଅନ୍ୟକୁ ଦାୟୀ କରନ୍ତିନାହିଁ,ସେହିପରି ବାସ୍ତବଧର୍ମୀ ବ୍ୟକ୍ତିମାନଙ୍କ ସହିତ ମୁଁ ଜୀବନ ବିତାଇବାକୁ ଚାହେଁ।ସେଭଳି ଜୀବନ ଯାପନକୁ ସଚ୍ଚୋଟ ଓ ସମ୍ମାନଜନକ ବୋଲି କୁହାଯାଇପାରେ।

ସେଭଳି ବ୍ୟକ୍ତିମାନଙ୍କର ସାହଚର୍ଯ୍ୟ କାମ୍ୟ, ଯେଉଁମାନେ ଜୀବନସଂଗ୍ରାମପଥରେ ଆଗେଇ ଯାଉଁଯାଉଁ ହୃଦୟକୁ ସ୍ପର୍ଶକରିବାର ସମ୍ବେଦନଶୀଳତାର ଅଧିକାରୀ ହୋଇସାରିଛନ୍ତି।

ବାକିଥିବା ଜୀବନ ମୋର ସାନ୍ଦ୍ରତା ଓ ପରିପକ୍ୱତା ଲାଭକରୁ।ମୋପାଖରେ ବାକିଥିବା ‘କ୍ୟାଣ୍ଡି’ମୁଁ ନଷ୍ଟକରିବାକୁ ବା ଫିଙ୍ଗିଦେଇ ଯିବାକୁ ଚାହେଁନା,କାରଣ ସେ ବଳକା ମିଠା ମୋପାଇଁ କେତେ ସ୍ୱତନ୍ତ୍ର ମୁଁ ଜାଣେ।

ଜୀବନର ଲକ୍ଷସ୍ଥଳ ନିର୍ମଳ ଭାବରେ ମୋ ସମ୍ମୁଖରେ ପରିଦୃଷ୍ଟ।ବିବେକର ବିନାଅନୁମତିରେ କିମ୍ବା ପ୍ରିୟ ପରିଜନ ମାନଙ୍କର ଅସନ୍ତୁଷ୍ଟିରେ ମୁଁ ସେ ଲକ୍ଷସ୍ଥଳରେ ପହଞ୍ଚିବାକୁ ଚାହେଁନା।

ଆମ୍ଭମାନଙ୍କର ଦୁଇଟି ଜୀବନ।ଦ୍ୱିତୀୟ ଜୀବନ ଆରମ୍ଭହୁଏ, ଯେତେବେଳେ ଆମେ ହୃଦୟଙ୍ଗମ କରୁଯେ ଗୋଟିଏହିଁ ଆମ ଜୀବନ।

(ମାରିଓ ଡି ଆଣ୍ଡ୍ରେଡଙ୍କ କବିତା ଛାୟାରେ ଲିଖିତ।ସମ୍ପୂର୍ଣ୍ଣ ଆକ୍ଷରିକ ଅନୁବାଦ ନୁହେଁ।ପୁରୁଣା ବୋତଲରେ ନୂଆ ମଦ।ନିଜସ୍ୱ ଭାଷା ଓ ମସଲାଦିଆ ଖେଚୁଡି)

(କଲମର ନାମ ଅବିନାଶ )

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *