Saturday, April 20, 2024
Other Poems

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ(୨୧)

  • ବାଣୀପୁତ୍ର ଗଦାଧର ସିଂହ ସାମନ୍ତ(21)
    ——————————————–
    ‘ଢୁମ୍ପା ସଂଗୀତ’ ସାମ୍ରାଜ୍ୟର ମୁକୁଟହୀନ ସମ୍ରାଟ ଥିଲେ ଗଦାଧର ସିଂହ ସାମନ୍ତ।’ବିଦ୍ୟା ନଗରୀ’ଖଣ୍ଡପଡାର ସାଂସ୍କୃତିକ ଐତିହ୍ୟ,ଅନୁପମ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପିତା ବିଶ୍ୱବନ୍ଦ୍ୟ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ କବି-ପ୍ରତିଭାର ପ୍ରଭାବ ଗଦାଧରଙ୍କର ପ୍ରତି ରଚନାରେ  ପ୍ରତିବିମ୍ବିତ ହୋଇ ଅନୁପମ ଲୋକ ସଂଗୀତର ଝଙ୍କାର ସୃଷ୍ଟି କରିଥିଲା ଏହି ପାହାଡୀ ଗଡଜାତରେ।ବର୍ଷା-ରାତିରେ ଢୁମ୍ପା ସଂଗୀତର ଆସର ପରିବେଶକୁ ସଂଗୀତମୟ କରି ବାନ୍ଧି ରଖୁଥିଲା। ଢୁମ୍ପା ବାଦ୍ୟଯନ୍ତ୍ର ଉପରେ ଦୁଇଟି ବାଉଁଶ କାଠିର “ତାରିଖିଟା ତାକଝିଣା’,’ଝିଣାଖିଟା ତାରେ’ତାଳରେ ଯେତେବେଳେ ମାଡ ବସୁଥିଲା,ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଯଥା ହାରମୋନିୟମ, ଡୁବି-ତାବଲା,ପଖଜ ଇତ୍ୟାଦି ଚଳଚଂଚଳ ହୋଇ ଉଠୁଥିଲେ, ଢୁମ୍ପା ଗାୟକ ତଥା ପାଳିଆଙ୍କ କଣ୍ଠରେ ନୃତ୍ୟରତା ହୋଇ ଉଠୁଥିଲା ଗଦାଧରଙ୍କର ରଚନା।ଗଦାଧର ଆଜି ନାହାଁନ୍ତି, କିନ୍ତୁ ସେ ଅମର ହୋଇଯାଇଛନ୍ତି ତାଙ୍କର ରଚନା ଭିତରେ।

ଏଠାରେ କବିଙ୍କର ଯେଉଁ  ଢୁମ୍ପାସଂଗୀତଟି ପରିବେଷିତ ହେବ ତାହା କବିଙ୍କ କଳ୍ପନାରେ ଶ୍ରୀରାଧା ଓ ସଖୀ ମାନଙ୍କ ର ମିଳିତ ଆସର।ସଖୀମାନେ ଶ୍ରୀରାଧାଙ୍କୁ ଢୁମ୍ପା ଆସରରେ କହୁଛନ୍ତି “ରେ ସଂଗୀତ ପ୍ରବୀଣା——-

“ତୁ ବୋଲ ସଖୀ ‘ଝେଣାଖିଟା ତାରେ’
ସୁନ୍ଦର କୁଚ କୁମ୍ଭ ଯୁଗଳ ମଣ୍ଡି କୁସୁମ ହାରେ ।0।
ଚିର ପାନ୍ଥ ହୃଦୟ କମ୍ପା,ଚଳ ଭଙ୍ଗି ଧରଇ ଶମ୍ପା,
ଧରଣୀ କିପରି ପୂର୍ଣ୍ଣ କରଇ ଜଳଧର ଜଳଧାରେ।1।
ଦର କମ୍ପିତ କରି ଝମ୍ପା,ଧନ ବାଦନ କର ଢୁମ୍ପା,
ମୌକ୍ତିକପରି ଦିଶିବ ଝାଳବିନ୍ଦୁ ଚିକୁର ଭାରେ ।2।
ପହିଲେ ତ ଝୁମୁକି କାଠି,ଭଲ ନୃତ୍ୟ କରଇ ମାଠି,
ସଦ୍ୟ ବିବିଧ ବାଦ୍ୟ ଶବଦ ଶକ୍ର ପଦକୁ ସାରେ ।3।
ଲୟ ଖଞ୍ଜିଥିବୁଟି ତାଳେ ସବୁ ଗୀତ ପଠନ କାଳେ,
କାନ କରିବୁ ଦାନ ଚପଳ ଗାନ-ମାନ ଠାରେ ।4।
ହସି ମାତି ସଜନୀ ସଙ୍ଗେ,ସୁଖ ଭୁଂଜ କୁତୁକ ରଙ୍ଗେ,
ଆଜ ଶୁଣ ଗଦାଧର ମୃଗରାଜ ବଚନ ବାରେ ।5।
——————————————————————–
ଟୀକା
——–
ପାନ୍ଥ–ପଥିକ
ଶମ୍ପା—ବିଜୁଳି
ଝମ୍ପା–ଝୁମୁକା
ମୌକ୍ତିକ–ମୁକ୍ତା
ଚିକୁର ଭାରେ–କେଶ ମଣ୍ଡଳରେ
ଶକ୍ର–ଇନ୍ଦ୍ର
ମୃଗରାଜ–ସିଂହ
——————————————————————-
ସରଳାର୍ଥ :- ରେ ସଖୀ ! ତୁ ‘ଝେଣାଖିଟା ତାରେ’ ତାଳକୁ ଗାଇ ଢୁମ୍ପା ଆସରରେ ମାତି ଯା’।ତୋର ସୁନ୍ଦର କୁଚକୁମ୍ଭ (ସ୍ତନ)ଯୁଗଳକୁ ଫୁଲ ହାରରେ ବିମଣ୍ଡିତ କରି ଦେ।ରେ ଚିରଦିନ ପଥିକ ହୃଦୟକୁ ବିଚଳିତ କରୁଥିବା ନବ ଛଇଳା !ତୋର ଏହି ସଂଗୀତ ଆସରରେ ଚଂଚଳ ଭଙ୍ଗି ବିଜୁଳି ପରି ଦେଖାଯିବ।ପୃଥିବୀକୁ ଜଳଧର ଜଳଧାରରେ ପୂର୍ଣ୍ଣ କରିବା ପରି ଏହି ଢୁମ୍ପା  ଆସର ପରିବେଶକୁ ସଂଗୀତ ଜଳରେ ପୂର୍ଣ୍ଣ  କରିବ। ତୋର ଝୁମୁକାକୁ ଅଳ୍ପ ହଲେଇ ହଲେଇ ଢୁମ୍ପା ବାଦନ କର।ଢୁମ୍ପା ବାଦନ ଜନିତ ପରିଶ୍ରମ ଯୋଗୁ ତୋର କେଶ ଭାରରେ ଝାଳବିନ୍ଦୁ ମୁକ୍ତାପରି ଝଲକି ଉଠିବ।ଝୁମୁକା ଲଗାଯାଇଥିବା ,ପ୍ରଥମଥର ପାଇଁ  ତୋ ଦ୍ୱାରା ବ୍ୟବହୃତ ହେଉଥିବା ଏହି କାଠି(ତାଳ କାଠି) ଅନ୍ୟାନ୍ୟ ବାଦ୍ୟଶବ୍ଦ ସହିତ ମିଶିଗଲେ ଇନ୍ଦ୍ରସୁଖ ପ୍ରଦାନ କରିବ।ସବୁ ଗୀତ ବୋଲା ହେଲାବେଳେ ତାଳ ଏବଂ ଲୟ ରଖି ଢୁମ୍ପା ବାଦନ କରୁଥିବୁ।ରେ ସଂଗୀତ ପ୍ରବୀଣା ! ସଖୀ ମାନଙ୍କ ସହିତ ଏହି ସଂଗୀତ ଆସରରେ ହସ-ଖୁସିରେ ମାତିଯା’।
——————————————————————–
An article on Gadadhara Singsamant,illustrious son of illustrious father Samanta Chandrasekhar,by KulamaniSarangi.
Emil ID:  kulamanisarangi@gmail.com

Click to rate this post!
[Total: 0 Average: 0]

Leave a Reply