ବାଣୀପୁତ୍ର ଗଦାଧର ସିଂହ ସାମନ୍ତ)୧୯)

  1. ବାଣୀପୁତ୍ର ଗଦାଧର ସିଂହ ସାମନ୍ତ (19)
    ——————————————
    ବାଣୀପୁତ୍ର ଗଦାଧର ସିଂହ ସାମନ୍ତଙ୍କ ରଚନାର ବିଶେଷତ୍ୱ ହେଲା,ଏହା ବହୁଳ ଭାବରେ ଲୋକଗୀତ କଳାକାର ମାନଙ୍କ ଦ୍ୱାରା ଆଦୃତ କାରଣ ଓଡିଶାର ତୃଣମୂଳ କ୍ଷେତ୍ରରେ ସାହିତ୍ୟିକ ଓ କଳାପ୍ରେମୀମାନେ ଗଦାଧରଙ୍କର ରଚନା ଶୁଣିବାକୁ ଉତ୍କଣ୍ଠା ସହିତ ଅପେକ୍ଷା କରି ରହିଥାନ୍ତି ।କିଛିଦିନ ତଳେ ବଡମ୍ବା ଗଡରେ ଗୋଟିଏ ସାହିତ୍ୟ ସଭାରେ ଗଦାଧରଙ୍କର ରଚନାର ଆଲୋଚନା କରିବା ସମୟରେ, ଉପସ୍ଥିତ ସାରସ୍ୱତ ପ୍ରେମୀମାନେ ମୋତେ ଅନୁରୋଧ କରି କହିଥିଲେ “ଆଉ କିଛି ଆବଶ୍ୟକ ନାହିଁ, ଆପଣ ଖାଲି ଗଦାଧରଙ୍କର ରଚନା ଆବୃତ୍ତି କରି ବ୍ୟାଖ୍ୟା କରନ୍ତୁ, ଏପରି ଶ୍ରୁତିମଧୁର ରଚନା ଅନନ୍ୟ।”
    ଏହି ପ୍ରକାର ଆଦୃତି ଗଦାଧରଙ୍କପ୍ରତି ଶ୍ରେଷ୍ଠ ସମ୍ମାନ ବୋଲି କୁହାଯାଇପାରେ।ଗଦାଧରଙ୍କର ରଚନାର ଲାଳିତ୍ୟ ଓ ମାଧୁର୍ଯ୍ୟ ନିମ୍ନୋକ୍ତ ଉଦ୍ଧୃତିରୁ ସହଜରେ ଅନୁଭବ କରିହେବ।
    ——————————————————————–
    କାହାକୁ କଣ ଶୋଭା ଦିଶେ
    —————————–
    “ଶୋଭା ଦିଶେକିରେ ଖଣ୍ଡାରେ ନଥିଲେ ପାଳି ?
    ଭଣ୍ଡାରେ ନଥିଲେ ସଲକ୍ଷଣ ହୀରା,ଥଣ୍ଡାରେ ନଥିଲେ ଗାଳି ।0।

ହାସରେ ନଥିଲେ ମ୍ରଦିମା,ଶ୍ୱଶୁର ବାସରେ ନଥିଲେ ଶାଳୀ,
ରଙ୍ଗରେ ନଥିଲେ ହାସ୍ୟକାରୀ ଜେମା ସଙ୍ଗରେ ନଥିଲେ ଆଳୀ ।1।

ଖେଦାରେ ନଥିଲେ ସୁଚଞ୍ଚଳ ଶ୍ୱାନ,କେଦାରେ ନଥିଲେ ଶାଳି,
ଲେଖାରେ ନଥିଲେ ଚାତୁର୍ଯ୍ୟ, କେତକୀ ରେଖାରେ ନଥିଲେ ଡାଳି ।2।

ଚିତ୍ତରେ ନଥିଲେ କୃପା,ବରତନ ଭିତରେ ନଥିଲେ ଥାଳି,
ଘନରେ ନଥିଲେ ବିଜୁଳି ଝଟକ,ସ୍ତନରେ ନଥିଲେ କାଳି ।3।

ପାଟରେ ନଥିଲେ ଜରିଫୁଲ,ଜଳଘାଟରେ ନଥିଲେ ବାଳୀ,
ବାଟରେ ନଥିଲେ ପଥିକ ନିବାସ,ହାଟରେ ନଥିଲେ ଚାଳି।4।

ଭଣେ ଗଦାଧର ସିଂହ ଅଳଙ୍କାର ପଣେ ଲଗାଇଲେ ଭାଳି,
କୁନ୍ଦରଦନାର ନଥିଲେ ଗଳାରେ ସୁନ୍ଦର କୁନ୍ଦନ ମାଳି ।5।
————————————————————–
ଟୀକା:-ପାଳି—ଖଣ୍ଡାଖୋଳ,ମ୍ରଦିମା—କୋମଳତା,ରଙ୍ଗରେ—ନୃତ୍ୟସ୍ଥଳରେ,ଖେଦା—ଶିକାର ସ୍ଥଳ/ପାରିଧି ସ୍ଥାନ,ଶାଳି—ଶାଳି ଧାନ,କେଦାର—ବିଲ,ଚାତୁର୍ଯ୍ୟ- –ଚତୁରତା,ବରତନ—ବାସନ,କୁନ୍ଦନ ମାଳି–ସୁନାମାଳି
——————————————————————–
ସରଳାର୍ଥ:-
ଖଣ୍ଡାରେ ଖୋଳ ନଥିଲେ,ଭଣ୍ଡାରଘରେ ସଲକ୍ଷଣ ହୀରା ନଥିଲେ,ଥଣ୍ଡା ପରିବେଶରେ ଗାଳିନଥିଲେ,ହସରେ କୋମଳତା ନଥିଲେ,ଶଶୁରଘରେ ଶାଳୀ ନଥିଲେ,ନୃତ୍ୟସ୍ଥଳରେ ଜେମା ସହିତ ହାସ୍ୟକାରୀ ସଖୀ ନଥିଲେ,କଣ ଶୋଭାପାଏ?
ସେହିପରି,ପାରିଧି ସମୟରେ ସାଙ୍ଗରେ ଶ୍ୱାନ/କୁକୁର  ନଥିଲେ,କିଆରୀରେ ଶାଳିଧାନ୍ୟ ବା ସରୁ ଧାନ ନଥିଲେ,ମନରେ କୃପା ନଥିଲେ,ବାସନ ଭିତରେ ଥାଳି ନଥିଲେ,ମେଘରେ ବିଜୁଳି ନଥିଲେ,ସ୍ତନରେ କଳା ଦାଗ ନଥିଲେ,ପାଟରେ ଜରିଫୁଲ ନଥିଲେ,ଜଳଘାଟରେ ବାଳୀ/କନ୍ୟାଟିଏ ନଥିଲେ,ବାଟରେ ପଥିକ ନିବାସଟିଏ ନଥିଲେ,ହାଟରେ ଚାଳିଆଟିଏ ନଥିଲେ ଏବଂ କୁନ୍ଦରଦନା ସୁନ୍ଦରୀ ନାରୀ ଗଳାରେ ସୁବର୍ଣ୍ଣ ମାଳିଟିଏ ନଥିଲେ କଣ ଶୋଭାପାଏ ?
——————————————————————–
ବି:ଦ୍ର:-ଗଦାଧର ସିଂହ,ସାମନ୍ତ ଚନ୍ଦ୍ରଶେଖରଙ୍କ ମଧ୍ୟମ ପୁତ୍ର ଥିଲେ।ଆବିର୍ଭାବ- –1877 ମସିହା; ତିରୋଭାବ—1964 ମସିହା ।
——————————————————————–
An article on Gadadhara Singh Samanta,the illustrious son of illustrious father Samantha Chandrasekhar,the famous Astroscientist of 19th Century.
(Article by kulamani Sarangi.
Email: kulamanisarangi@gmail.com)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *