ଦେବଯାନୀ (ପ୍ରଥମ କଳିକା)
ଦେବଯାନୀ
(ପ୍ରଥମ କଳିକା)
——————-
ଦିନେ ଆଶ୍ରମରେ ପ୍ରସନ୍ନ ଚିତ୍ତରେ
ଶୁକ୍ରାଚାର୍ଯ୍ୟ ଥିଲେ ବସି,
ଋତୁ ଆବର୍ତ୍ତନେ ଋତୁରାଣୀ ମଧୁ
ପ୍ରବେଶିଲେ ତହିଁ ଆସି।
ପୁଷ୍ପ ସୁଗନ୍ଧରେ ଗଲା ତତକ୍ଷଣେ
ମୁନିଙ୍କ ଆଶ୍ରମ ପୂରି,
ମଳୟ ପରଶେ ମୁନି ପାଦସ୍ପର୍ଶ
କଲେ ଋତୁ ରାଜେଶ୍ୱରୀ।
ନାନା ଜାତି ଫୁଲେ ବିମଣ୍ଡିତ କଲେ
ଆଶ୍ରମର ଉପବନ,
ଭ୍ରମରର ଗୁଣୁ ଗୁଣୁ ନିନାଦରେ
କରିଲେ ବୀଣା ବାଦନ।
କୋଇଲି କଣ୍ଠରେ ପଚାରିଲେ ଧୀରେ,
“କାହିଁ ଦେବଯାନୀ”ବୋଲି,
ମଧୁର ଡାକରେ ପୁଲକ ମନରେ
ଆସିଲେ ନବ ଛଇଳୀ।
ଅଙ୍ଗେ ଅଙ୍ଗେ ରହିଅଛି ଯୌବନର
ଲଳିତ ମଧୁ ମାଧୁରୀ,
ବାସନ୍ତି ପରଶେ ସୌନ୍ଦର୍ଯ୍ୟ ବିକଶେ
କଳିରୁ କୁସୁମ ପରି।
ଜନକ ବାଳାର ଶୁକ୍ର ମୁନିବର
ମାତା ସୁଶୀଳା ‘ଜୟନ୍ତୀ ‘,
ପିତା ମାତାଙ୍କର ବାତ୍ସଲ୍ୟ ରାଜ୍ୟରେ
ଦେବଯାନୀର ରାଜୁତି।
ଚକ୍ଷୁରୁ ଅନ୍ତର ହେଲେ ମୁନିଙ୍କର
ହୃଦ ହୁଏ ଆନ୍ଦୋଳିତ,
‘ଦେବଯାନୀ’ ‘ଦେବଯାନୀ’ ବୋଲି ସଦା
ହେଉଥାନ୍ତି ଅହୋରାତ୍ର।
ମୁନି ଆଶ୍ରମରେ ଖେଳି ବୁଲୁଥିଲା
ବାତ୍ସଲ୍ୟ ଅମୃତ ଧାର,
ସହଜେ ତ ଥିଲା ସେ ସ୍ଥାନ ଅନନ୍ତ
ପ୍ରଶାନ୍ତିର ପାରାବାର।
ଦେବଯାନୀ,ସ୍ୱର୍ଗପରୀ ଆସିଛିକି
ଧରି ସୌନ୍ଦର୍ଯ୍ୟ ପସରା !
ସବୁ ପ୍ରିତିମଧୁ ହୋଇ ଏକ ବିନ୍ଦୁ
ଓଷ୍ଠରେ ଲାଗିଛି ପରା !
ଆକାଶ ନୀଳିମା ହୋଇ ସଂକୁଚିତ
ଆଖିରେ ରହିଛି ଭରି,
ଦେଖିବାକୁ ମୁଖଛଟା ଘନଘଟା
ପାଲଟିଛନ୍ତି କବରୀ ।
କ୍ଷୀପ୍ର ପଦେ ଚଳାପାଙ୍ଗୀ ଯାଏ ଯେବେ
ଫୁଲରୁ ଫୁଲକୁ ଛୁଇଁ
ସୁବର୍ଣ୍ଣର ପ୍ରଜାପତି ଆହା ସତେ,
କାନନେ ଭ୍ରମି ବୁଲଇ !
ଆୟତ୍ତ ଲୋଚନା କୃଶକଟୀ ବାମା
ମୁଖ କି ପୂର୍ଣ୍ଣିମା ଇନ୍ଦୁ !
ଅଙ୍ଗଲତିକାର ଲାସ୍ୟରେ ଲାଗିଛି
ଜ୍ୟୋତ୍ସ୍ନା ହୋଇ ବିନ୍ଦୁ ବିନ୍ଦୁ ।
ଦେବଯାନୀ ଅଙ୍ଗ ଫୁଲରେ ମଣ୍ଡିତ
କଲେ ଋତୁରାଜ୍ଞୀ ମଧୁ,
ସକାଳ କୋମଳ କିରଣରେ ସ୍ନାନ
କଲେ ସିଞ୍ଚି ପୁଷ୍ପମଧୁ।
ଫୁଲେ ସଜାଇଲେ ତା ଅଙ୍ଗବଲ୍ଲରୀ
ଦେଇ ଗଳେ ମଲ୍ଲୀମାଳ,
ପିନ୍ଧାଇ କର୍ଣ୍ଣରେ,କର୍ଣ୍ଣଫୁଲ ଛଳେ
ହଳଦି-ସେବତୀ ଫୁଲ।
ଗଭାରେ ଖୋସିଲେ କେତକୀ ପାଖୁଡା
ବାଜୁବନ୍ଧେ ଯୂଇ ହାର,
ରମ୍ୟ କଟୀଦେଶେ କରିଲେ ମଣ୍ଡିତ
ମେଖଳା ଶୁଭ୍ର କଇଁର ।
ପାଦରେ ପାଉଁଜି ଛଳେ ବାନ୍ଧି ଦେଲେ
କୁନ୍ଦଫୁଲ କଳି ଗୁନ୍ଥି,
ଶିରୀଷକୋମଳ ହାତେ ଧରାଇଲେ
ସୁଗନ୍ଧରାଜର ପେନ୍ଥି।
ବାଳା ନୁହେଁ ଏତ ବୃଷପର୍ବା ରାଜ୍ୟ
ସରସୀର ପଦ୍ମକଳି,
କନ୍ୟାର ସୌନ୍ଦର୍ଯ୍ୟ ତିନିପୁରେ ଖେଳେ
ମେଘରେ ବିଜୁଳି ଭଳି।
ବୃଷପର୍ବାଙ୍କର ପ୍ରାସାଦକୁ ଯେବେ
ଯାଉଥିଲେ ଗୁରୁପୁତ୍ରୀ,
ନଗ୍ରବାସୀଙ୍କର ସଭକ୍ତି ସମ୍ମାନ
ପାଉଥିଲେ ଯଥାରୀତି।
କ୍ରମଶଃ- —