ଦେବଯାନୀ (ନବମ କଳିକା)

  • ଦେବଯାନୀ
    (ନବମ କଳିକା)
    ରାଗ:-ରସକୁଲ୍ୟା
    —————-
    ଗୁରୁଙ୍କ ମୁଖୁ ନାସ୍ତିବାଣୀ ଶୁଣି,
    ହୋଇଲେ ଦୁଃଖୀ କଚ ଧୀରମଣି,
    ବୃନ୍ତଚ୍ୟୁତ ହେଲେ ଯେହ୍ନ ପ୍ରସୂନ,
    ତେସନ ହୋଇଲା ମନ ମଳିନ ଯେ,
    ମଉଳିଲା ମୁଖ ପ୍ରଭା ଯେ,
    ପୂର୍ଣ୍ଣିମା ଜହ୍ନକୁ ଅକସ୍ମାତ କାହୁଁ,
    ରାହୁ  ଗ୍ରାସିଦେଲା ଅବା ଯେ।।

ଦେବଯାନୀ  ହୃଦ ଫଲ୍ଗୁନଦୀର,
ଅଦୃଶ୍ୟେ ବହୁଥିବା  ପ୍ରୀତି ଧାର,
ଅକସ୍ମାତ ଗଲା ଅଟକି କାହିଁ,
ବିଚାରନ୍ତି କେଡେ ନିର୍ଦ୍ଦୟ  ବିହି ଯେ,
ଦେଖାଇ ଦେଇ ଅମୃତ ଯେ,
ଚଖାଇବ କହି ଦେଲା ଯା ମିଶାଇ
ହଳାହଳ ବିଷପାତ୍ର ଯେ।।

ବୋଲନ୍ତି ଶୁକ୍ର ‘ଶୁଣ ଦେବପୁତ୍ର,
ଆସିଛ ଅତିକ୍ରମି ବହୁ ପଥ,
ବିଶ୍ରାମ ନିଅ ଆଜି ଗୁରୁକୁଳେ,
ଆତିଥ୍ୟେ କାର୍ପଣ୍ୟ ନହେବ ହେଳେ ହେ,
ଫେରିଯାଅ ପ୍ରଭାତରୁ ହେ,
ଦେବ ସମାଚାର ଆମ୍ଭ ନିର୍ଣ୍ଣୟର,
ଅପେକ୍ଷାରେ ଥିବେ ଗୁରୁ ହେ “।।

ବିଚାରନ୍ତି କଚ ଉଦ୍ୟାନେ ବସି,
ଉଦେ ନହେଉଁ ବୁଡିଗଲେ ଶଶୀ,
ଦ୍ରୁମ ହୋଇଲା ଅଙ୍କୁରରୁ ନାଶ,
କି ମୁଖେ କରିବି ସ୍ୱର୍ଗେ ପ୍ରବେଶ ଯେ,
କି ଭାଳିବେ ଦେବଗଣଙ୍କ ଯେ,
ପ୍ରବଳ ହୋଇବେ ଦାନବ ବାହିନୀ ,
ଭାଙ୍ଗିବ ଦେବଙ୍କ ଟାଣ ଯେ।।

ଆଗରେ ନିରାଶା ବାରିଧି ବାରି,
ଦେବଯାନୀ ଏକା ତା’ମଧ୍ୟେ ତରୀ,
ଗୁରୁଙ୍କର ଅଲିଅଳ ନନ୍ଦିନୀ,
ମନକୁ ତାହାର କରି ବନ୍ଦିନୀ ଯେ
ରହିବି ଏ ଗୁରୁକୁଳେ ଯେ,
ବିଚାରୁ ଏମନ୍ତ ହେଲେ ଉପସ୍ଥିତ,
ଦେବଯାନୀ ତତକାଳେ ଯେ।।

ପଚାରନ୍ତି କଚ “ଗୁରୁ ନନ୍ଦିନୀ !
ମୁଖ କିପାଇଁ  ବିରସ ମାନିନୀ?
କିଏ କଲା କେଉଁ ବିଭବ ଚୋରି,
ଆସ ବସ ପାଶେ କ୍ଷଣେ କିଶୋରୀ ଗୋ,
କରିବା ଆଳାପ ବସି ଗୋ,
ଆଉ ନାହିଁ ବେଳ,ହୋଇଲେ ସକାଳ,
ଫେରିଯିବି ମଧୁହାସୀ ଗୋ”।।

ରକ୍ତାଭ ମୁଖ ଆଖି ଛଳଛଳ,
ମୁହଁରେ ଘୋଟିଛି ଦୁଃଖ ବାଦଲ,
ଦେବଯାନୀ ବୋଲନ୍ତି  ଦେବପୁତ୍ରେ ,
“ନଯାଅ ନଯାଅ କାଲି ପ୍ରଭାତେ ହେ,
ପିତାଙ୍କୁ ଦେବି ବୁଝାଇ ହେ,
ତୁମ୍ଭେ ଗଲେ ଚାଲି ନିରାଶାର ବାଲି,
ମୋ ଜୀବନ ଯିବ ହୋଇ ହେ “।।

ବୋଲନ୍ତି କଚ “ତୁମ୍ଭେ ମୋ ଭରସା,
ମୁଁ ଚକୋର ତୁମ୍ଭେ ମୋର ବରଷା,
ପିତାଙ୍କୁ ବୁଝାଇ କହିବ ଯେବେ,
ଅନ୍ୟଥା କରିବେ ନାହିଁ ସେ କେବେ ହେ,
ଆଶା ହେବ ମୋର ପୂର୍ଣ୍ଣ  ହେ,
ଆସିନାହିଁ ମୃତ୍ୟୁ ସଂଜୀବନୀ ଆଶେ,
ଲକ୍ଷ ଜ୍ଞାନ ଆହରଣ ହେ।।

ଦେବଯାନୀ ପ୍ରୀତି ଅମୃତ ଘଟ,
ପ୍ରବେଶିଲା ସତେ ଛଳନା କୀଟ,
ବାଳା ପ୍ରେମ ସିନା ଥିଲା ସ୍ୱର୍ଗୀୟ,
ଦେବପୁତ୍ର କଥା ଛଳନାମୟ ଯେ,
ବୁଝିନପାରି ସରଳା ଯେ,
ପିତାଙ୍କ ସମୀପେ ଅଶ୍ରୁଳ ନୟନେ,
କଚ ପାଇଁ ଅଳି କଲା ଯେ।

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *