ତ୍ରୟୋବିଂଶ କଳିକା
ରାଗ:–ଚିନ୍ତା ଭୈରବ
(‘ଆହା ଧନୁର୍ଦ୍ଧର ବୀରବର’ ସ୍ୱରରେ)
——————————————
ମହା ଆନନ୍ଦ ରମଣୀ ମଣି,
ଦେଖି ପିତାଙ୍କୁ ଜୀବିତ ପୁଣି,
ହସର ମୁକୁତା ହୁଏ ଝିଲିମିଲି,
ଯେହ୍ନେ ଆକାଶେ ତାରକା ଶ୍ରେଣୀ ସେ, ତରୁଣୀ।।
ଯେଉଁ ପରି ଦିଶେ ପୂର୍ଣ୍ଣଚନ୍ଦ୍ର,
ସେହିପରି ତା ମୁଖ କୁମୁଦ,
ଚନ୍ଦ୍ରରୁ ମଧୁ ଝରିବା ସମ ଝରେ,
ବାଳା ଅପ୍ରକାଶ୍ୟ ପ୍ରୀତି-ମଦ ସେ, ତରୁଣୀ।
ଘେନି ଗୁରୁଙ୍କର ଆଶୀର୍ବାଦ,
ଦେବପୁତ୍ର ଲଭିଲେ ପ୍ରମୋଦ,
ମୃତସଂଜୀବନୀ ମରକତ ମଣି,
ଶୂନ୍ୟଥାଳରେ ହୁଅନ୍ତେ ପ୍ରାପ୍ତ ସେ, କୁମାର।।
ଚାହିଁଦେଲେ ପ୍ରମଦାକୁ ଯୁବା,
ରବି ଚାହିଁଲେ ପଦ୍ମକୁ ଅବା,
ମୁକୁଳିତ ହେଲା ପ୍ରୀତିର ପାଖୁଡା,
ଲାଜେ ପୂରିଗଲା ଓଷ୍ଠ ଜବା ସେ, ପ୍ରମଦା।।
ଅବନତରେ ଚାହିଁଲା ସେହି,
ପୁଣି ନାଚନ୍ତେ ଭ୍ରୁଲତା ଦୁଇ,
ଲାଗିଲା ସତେକି ବଧୂଲି ଓଠରୁ,
ଅଳି ଉଡିଯାଏ ମଧୁ ପିଇ ସେ, ସୁନ୍ଦରୀ।।
କଚ ବୋଲନ୍ତି “ଭଗିନୀ” ମୋର,
ସମୟ ଏ ବିଦାୟ ନେବାର,
ଭୁଲି ପାରିବିନି ସେନେହ ତୁମ୍ଭର,
ଯେତେ କାଳ ଥିବ ଜୀବ ମୋର ହେ, ଭଗିନୀ !!
ଶୁଣି ଚମକିଲେ ଚପଳାଙ୍ଗୀ,
ଆକାଶ କି ଶିରେ ପଡେ ଭାଙ୍ଗି,
ଯାହା ପାଦେ ପ୍ରୀତି ପୁଷ୍ପ ଅରପିଲେ,
ସେ’କି ଦେଖାଏ ଏମନ୍ତ ଭଙ୍ଗୀ ରେ, ଦଇବ !!
ଶୁଣି କହନ୍ତି ଋଷି-ନନ୍ଦିନୀ,
ଏ’କି ପରିହାସ କର ପୁଣି,
ଦେବପୁତ୍ର! ତୁମ୍ଭେ ମୋ ଜୀବ ଜୀବନ,
ମୋର ପ୍ରେମ ଭଣ୍ଡାରର ମଣି ହେ, କୁମାର !
ଦେଖା ହେଲା ପ୍ରଥମେ ଯେ ଦିନ,
ତୁମ୍ଭ ପାଶେ ବିକିଦେଲି ମନ,
ଶୟନେ ସ୍ୱପନେ ଜାଗରଣେ ପରା,
ଅହର୍ନିଶ ଜପେ ତୁମ୍ଭ ନାମ ହେ, କୁମାର ! ।।
ଏବେ କହୁଛ କିପାଁ ଏପରି !
ତୁମ୍ଭେ ଚାନ୍ଦ ମୁଁ କୁମୁଦ ପରି,
ଜହ୍ନ ଯେବେ ଆଡ ଆଖିରେ ଦେଖିବ,
କୁମୁଦର ମନ ଯିବ ମରି ହେ, କୁମାର।।
ମୁହିଁ ଜାହ୍ନବୀର ନୀଳ ନୀର ,
ତୁମ୍ଭେ ରୂପାଜହ୍ନ ଆକାଶର,
କଳାମେଘ ତଳେ ଲୁଚିଯାଇ ହେଳେ,
କିପାଁ ହେଉଛ ମୋ ଦେହୁଁ ଦୂର ହେ, କୁମାର ।।
ମନେ ପଡୁନାହିଁ କି ତୁମ୍ଭର,
ଉପବନେ ଫୁଲ ତୋଳିବାର,
ଫୁଲ ପଡିଲେ ମୋ ବକ୍ଷୋଜ ଉପରେ,
ତୁମ୍ଭ ଶ୍ଳେଷବାଣୀ ବୋଲିବାର ହେ, କୁମାର।।
ଛାଇପରି ପାଶେ ଥିଲି ରହି,
ସୁଖେ ଦୁଃଖେ ସମଭାଗୀ ହୋଇ,
ତୁମ୍ଭ ଦେହେ କଣ୍ଟା ବାଜିଲେ ହେ କଚ !
ମୋର ଦେହୁଁ ରୁଧିର ଝରଇ ହେ, କୁମାର।।
ମୁଁ’ଯେ ତୃଷା ତୁମ୍ଭେ ମୋର ନୀର,
ଚାତକ ମୁଁ ତୁମ୍ଭେ ବର୍ଷା ଧାର,
ପ୍ରୀତି ପଦ୍ମବନ କଳିକା ମୁଁ, ତୁମେ,
ତହିଁ ପ୍ରେମ-ବନ୍ଦୀ ମଧୁକର ହେ, କୁମାର ।।
ତୁମ୍ଭେ ତପନର ରଶ୍ମିଧାର,
ମୁହିଁ ଜଳକଣା ଆକାଶର,
ପ୍ରୀତି ଇନ୍ଦ୍ରଧନୁ ଗଢିଥିଲେ ଯାହା,
ତାକୁ ନ’ଲିଭାଅ କଚ ଧୀର ହେ,କୁମାର ।।
ସାକ୍ଷୀ ଏହି ବନ ଉପବନ,
ତରୁ ଲତା ପଶୁ ପକ୍ଷୀଗଣ,
ତୁମ୍ଭ ହୃଦୟର କଠିନ ପ୍ରସ୍ତରେ,
ଝରୁଥିଲି ହୋଇ ପ୍ରସ୍ରବଣ ହେ, କୁମାର ।।
ଆଜି ଭଗିନୀ ବୋଲି ସମ୍ବୋଧି,
ମୋର ହୃଦୟ ଦେଉଛ ରୁନ୍ଧି,
ନପାରଇ କହି ,ପାରେନାହିଁ ସହି,
ତୁମ୍ଭ ନୀରବତାର ଅବଧି ହେ କୁମାର।।
କ୍ରମଶଃ———