ପଲ୍ଲୀ ଗୀତ (ଦେଖ ଲୋ ସଙ୍ଗାତ……)

ପଲ୍ଲୀଗୀତ

ଦେଖ ଲୋ ସଙ୍ଗାତ ଆକାଶ ଶୋଭା ବିବିଧ ରଙ୍ଗେ ,
ବୁଡିଯାଏ ବେଳ ସୂରୁଜ ଖେଳେ ରଙ୍ଗ ତରଙ୍ଗେ।।

ଧାଡ଼ି ଧାଡ଼ି ହୋଇ ଗଗନେ ପକ୍ଷୀ ଯାଆନ୍ତି ଉଡ଼ି,
କେବେ ଦିଶେ ଧନୁ ପରା ଲୋ କେବେ ଆକାଶୀ ଗୁଡି।।

ମାଛ ପରି ଦେଖ ଦିଶନ୍ତି ଖଣ୍ଡ ମେଘ ଆକାଶେ,
ମେଘ ଏକ ହୋଇ କୁମ୍ଭୀର ଆସେ ଗିଳିବା ଆଶେ।।

ମାଆ ଝୁଅ ଗଲେ ମନ୍ଦିର ପୂଜିବାକୁ ମଙ୍ଗଳା,
ଭୋଗେଇ ନିଜର ଆଣ ଲୋ ଭୋଗ ଖାଇବ ପରା।।

ଘଣ୍ଟ ବାଜେ ଗାଁ ମନ୍ଦିରେ ସଞ୍ଜ ଭୋଗ ଲାଗିଲା,
ବଇଁଶୀ ଯାଇଛି ହାଟକୁ ଆସି ବେଳ ବୁଡିଲା।।

ପିଆଜ ମହଙ୍ଗା ହେଇଚି, ସୁନାଖେଳା ହାଟରେ,
ପୋକଡା କଣ୍ଟେଇମୁଣ୍ଡୀ ଲୋ ଶସ୍ତା ସଞ୍ଜ ବେଳରେ।।

ବଇଁଶୀ ଆଣିବ ଶୁଖୁଆ, ଜେଜୀ କଲା ବରାଦ,
ଶିକାରେ ଥିଲାଲୋ ତାମ୍ପେଡ଼ା ତାକୁ ଖାଇଲା ଓଧ।।

ଶୁଭିଲାଣି ଘଣ୍ଟି ଘାଗୁଡ଼ି, ଗୋଠୁଁ ଫେରେ ବୁଧେଇ,
ଗୁହାଳ ଗୋଟେଇ ଦେ’ଲୋ, ବନ୍ଧା ହବ ମୋ ଗାଈ।।

କ୍ଷୀର ଖାଇ ଗଲା ବୁଧେଇ ପିଲା ହଉଚି ଛେରି,
ଭଲକରି ବାନ୍ଧିଥାଲୋ ଚଙ୍ଗଚଙ୍ଗୀ ବାଛୁରୀ।।

ବାଛୁରୀ ନାଁ ଟି ଦେଲିମୁଁ, ଶରଧାରେ ଗୁରେଇ,
ନାଁ ଧରି ଯେବେ ଡାକିଲି ଧାଇଁଆସେ ବିଲେଇ।।

ଶଙ୍ଖୁଆ ବିଲେଇ ବେକରେ, ପିତଳର ଘାଗୁଡି,
ଘୁଡୁଘୁଡୁ ହେଇ ଚୁଲିରେ, ଶୋଇ ମାରେ ଘୁଙ୍ଗୁଡ଼ି।।

ଫୁଟିଲାଣୀ ରଙ୍ଗ ବେରଙ୍ଗ, ମକଦଲି ବାଡ଼ିରେ,
କହ୍ନେଇ ଦାସର ଝିଅ ଲୋ, ଚୋରୀ କରେ ରାତିରେ।।

ବାପାଙ୍କୁ ହେଇଚି ନସମା, ନାଲି ଚା କରିବା,
ଅଦା ଗୁଡ଼ ଟିକେ ପକା ଲୋ, ଦେ ହୁଡୁମ୍ବ ଡିଵା।।

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *