ପଲ୍ଲୀ ଗୀତ)ନେଳିଆ ପୋଖରୀ

ପଲ୍ଲୀ କବିତା

ନେଳିଆ ପୋଖରୀ ମାଇପି ତୁଠରେ
ପଦୁଅଁ ଫୁଲର ହାଟ,
ଘସିମାଜି ଆଉ ହଅନାଁ ଚହଟୀ
ଫରଚା ହେଲାଣି ବାଟ।

ଦେଢୁଶୁର ଆଉ ଶଶୁର ଆଇବେ
ଅଣ୍ଡିରା ତୁଠୁକୁ ଏବେ,
ନୂଆ-ଭୁଆଟା ତୁ ପାଣି ସଡସଡ,@
କୋଉବାଟେ ଯିବୁ ତେବେ ?

ହଳଦୀ ଗିନାରେ ସୋରିଷ ମାଲପା,*
ଫେଣ୍ଟି ଦେଇଥିଲି ରଖି,
ଗୋରା ଦିହରେ ତୁ ନଗେଇ,ଗାଧେଇ
ହବୁବୋଲି ଚକିଚାକୀ।

କାନ୍ଥୁକୁରାରେ # ସେ ଥୁଆ ହେଇଚି ଲୋ
ଆଣିଲୁନେଇଁ ଭେବେଳୀ,&
ରାଶି ମଥେଇ $ ମୁଁ   ରଖିଥିଲି ସେଠି
ମଥାରେ ହବାକୁ ବୋଳି।

ମନୁଆଁ ଆଣିଚି ସ୍ନୋ,ପାଉଡର
କେତେ ପାଉଚି ଲୋ ଭଲ,
ପାଉଁଜି ଶବଦ ଶୁଣିଲେ ତୋର,ମୋ
ଭାଇମନ କଲବଲ।

ବଜାରୀ,ଛୋପରୀ ବୋହୂ ନହେଇ ତୁ
ଭଲ ବୋହୂ ହବୁ ନେତୀ,
ଆର ସଅନକୁ ଜେଜେବା’କୋଳେ
ଥୋଇବୁ ବକଟେ ନାତି।

ବୋପାଘର ନାଁ ଉଚ୍ଚା କରିବୁ ଲୋ
ହବୁଯେବେ ଭଲ ବୋହୂ,
ଶାଶୁର ଗୋଡରେ ମାଲେପା ନଗେଇ
ଚିପିବୁ ,କହୁ ନକହୁ।

ଓଢଣା ପକେଇ ଶାଶୁ ଶଶୁରଙ୍କୁ
ସକାଳୁ ହବୁ ଯୁହାର,
ଶାଶୁକୁ କରେଇ ଦବୁନେଇଁ କିଛି
କାମ,ଘର ଭିତରର।

ଗାଈଗୋରୁ, ପଶୁପକ୍ଷୀ ,ଅତିଥିଙ୍କ
କଥା ବୁଝୁଥିବୁ ଯେବେ,
ଅଈସୁଲକ୍ଷଣୀ,ହାତକାଚ ତୋର
ବଜର ହୋଇବ ତେବେ।

*ମାଲପା–ତେଲ
#କାନ୍ଥୁକୁରା–କାନ୍ଥରେ ତିଆରି ହୋଇଥିବା ସେଲ୍ଫ
$ମଥେଇ–ତେଲ
@ନୂଆଭୁଆ-ନୂଆ ଭୂଆସୁଣୀ/ନୂଆବୋହୂ
&ଭେବେଳୀ–ସହଜରେ ଯେ ଭୁଲିଯାଏ

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *