ସତ କହ ଛୁଇଁ ତୋ ଆଖି

  • ପଲ୍ଲୀ ଗୀତ

………………………………………………….
ସତ କହ ଛୁଇଁ ତୋ ଆଖି,
ଗାଆଁ କଥା ଭୁଲି ଗଲୁକି ସଖୀ?
ଚାହୁଁ ଫେରି ଫେରି ନଜାଣିଲା ପରି,
ବଦଳି ଗଲାଣି ତୋର ମନ କି ?।୦।

ଶୀତ ଦିନ ମନେ କି ନାହିଁ,
ଗାଁ ମୁଣ୍ଡ ନିଆଁ ଉମ୍ହେଇ,
ଲାଗି ଲାଗି ବସି ନିଆଁ ପୁଆଁଇବା
ଶୁଖିଲା ପତର ନିଆଁରେ ରଖି।।

କୁରୁତିରେ ଅଣ୍ଟିଏ ମୁଢ଼ି
ଚୁନା ଚୁନା କଟା କାକୁଡି,
ଛୋଟ ଛୋଟ କରି କଞ୍ଚା ଲଙ୍କା କାଟି
ଖାଉଥିଲେ ଦେହ ଦେହରେ ଯାକି।।

ପୂରୁବରେ ଉଠେ ସୂରୁଜ,
ବୁଣିଦେଇ ନାଲି ମୁରୁଜ,
ଛୁଇଁ ଦିଏ ଯେବେ କାଚ କେନ୍ଦୁ ପାଣି
ପୋଖରୀରେ ପଦ୍ମ ଉଠେ ପୁଲକି।।

ବାଡିତଳ ବଧି ଗାଡିଆ,
କଳମ କୁ ସୁନୁସୁନିଆ,
ଶାଗ ତୋଳୁ ତାେଳୁ ହାଉଳି ଖାଇବା
ପାଣି ତୁଠେ ବୁଢ଼ା ଧଣ୍ଡିଆ ଦେଖି।।

ପୋଖରୀରେ ଠିଆ ପହଁରା
ପେଟ ତଳେ ରଖିଣ ଗରା,
ତୁଠ ଗୋଳି କଲେ ଗାଁ ବୁଢୀଙ୍କର
ଗାଳି ଗୁଲଜକୁ ନାଲିଆ ଆଖି।।

ବଗିଚାରୁ ପିଜୁଳି ଚୋରୀ
ଜଗୁଆଳୀ ପକାଏ ହୁରୀ,
ଧାଇଁ ଯାଉ ଯାଉ କଣ୍ଟା ବାଡ଼ ଡେଇଁ
ଓଢଣୀ ତୋ ଯାଏ କଣ୍ଟାରେ ଲାଖି।।

ପରୁଚାଏ ହୋଇ ହାଜର
ମକଦମ ଘର ଚାକର
ଓଢଣୀକୁ ଦେଖି ବୋଉ କୁଟିଦିଏ
ଉତ୍ତମ ମଧ୍ୟମ ପିଠିକି ଦେଖି।।

ନଈ ପଠା ଛତୁ ତୋଳାକୁ
ଭୁଲିଲୁ କି ଏତେ ବେଳକୁ,
ହୁଙ୍କା ତଳେ ଦେଖି ନାଗ ନାଗୁଣୀ କୁ
ଦଉଡି ଆସିବା ଜୀବନ ରଖି।।

ବୋହୂଚୋରୀ ଡାଳ ମାଙ୍କୁଡି
ରଜ ଦୋଳି ଥିଲେ ଯା ଖେଳି
ସବୁ ଖେଳରେ ତୁ ଗେନ୍ଦୁରିଆଣୀ ଟା
ହାରିଗଲେ ମୁହଁ ଯାଏ ତୋ ଶୁଖି।।

ଆଜି ହେଲୁ ସହରୀଆଣୀ
ଭୁଲି ଗାଁ ପବନ ପାଣି
ଦହି ଚୁଡ଼ା ଛାଡ଼ି ପିଜା ବରଗର
କଫିରେ ତୋ ମନ ଗଲାକି ଲାଖି?

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *