ପଲ୍ଲୀ ଗୀତ (ଡାହାଣୀ)

ଡାହାଣୀ
(ପଲ୍ଲୀ କବିତା)
………………………
ମାଆ ଡୁମାଳୁଣୀ ପୁଅକୁ ମୋର ଲୋ
ରଖିଥା ଘଣ୍ଟ ଘୋଡାଇ,
ମାଆ ବାଶେଳୀ ଲୋ ହାତୀ ଛତି ଦେବି
ସାହା ହୋଇଥିବୁ ତୁହି।

ପାଞ୍ଚ ଝୁଅରେ ମୋ ଏକୋଇର ବଳା
କେତେ ଦୁଃଖର ମୋ ଧନ,
ତା ଉପରେ ଛାଇ ଦେଇନି ପକେଇ
ସେଇ ମୋ ବିଶି କେଶନ।

ରାଜୁ ପାଇଁ ମୋର ସଂସାର ଯାକର
କନିଆଁ ଖୋଜା କରିଲି,
ପାନ ପତରିଆ ମୁହଁ ସୁନାନାକୀ
ଗାଆଁ ବୋହୂ ବେହେ କଲି।

ଚଉଧୁରୀ ଘର ନାତୁଣୀ ସିଏ ଲୋ
ଗାଁ ସରପଞ୍ଚ ଝୁଅ,
ସୁନା ଦଶଭରି ପୁଆଣୀରେ ଆଣି
ଘର ମୋ କଲା ଆଲୁଅ।

କେତେ ଘଷିମାଜି ସେବା କଲା ମୋର
ପୁଆଣୀ ଆସିବା ବେଳେ,
ଡିବି ଡିବି ହେଲା “ରାଜୁ ବୋହୂ ନିକ”*
ବୋଲି ଏ ଖଣ୍ଡ ମଣ୍ଡଳେ।

କାଳ ଠାରୁ କିଏ ବଳୁଆ ଅଛି ମୋ
ସୁନାଘର ଚୁନା ହେଲା,
ମଇଁଷି ପିଠିରେ ଯମ ଆସି ଦିନେ
ମୋ ଗେରସ୍ତ କୁ ବାନ୍ଧିନେଲା।।

ଡିହବାଡ଼ି  ମକଦ୍ଦମାରେ ଫସି ମୋ
ପୁଅ ହେଲା ଦେବାଳିଆ ,
ମୁଁ “ରାଣ୍ତ-ଡାହାଣୀ-ଅଲକ୍ଷଣୀ” ବୋଲି
ବୋହୂ ମୋ ଚେଙ୍ଗିଲା ନିଅାଁ।

ସାନ ନାତୁଣୀ ର ହେଲା ଝାଡା ବାନ୍ତି
ପାହାନ୍ତା ରୁ ଗଲା ଚାଲି,
ଡାହାଣୀ ହେଇ ମୁଁ ଖାଇଦେଲି ବୋଲି
ବୋହୂ କହେ ବୁଲି ବୁଲି।

ବଡ଼ ନାତୁଣୀ ଟି ଗେଲବସର ମୋ
ପାଖ ଛାଡେନାହିଁ କେବେ,
ମାଆ ମନା ମାନି ଡରି ମୋ କତିକି
ନାତୁଣୀ ଆସୁନି ଏବେ।

ଭାରିଜା କଥାରେ ପୁଅ ଭଳିଯାଇ
ଚାହୁଁନି ମୁହଁକୁ ମୋର,
ନ ଚାହୁଁ ପଛକେ ଭଲରେ ରଖନ୍ତୁ
ଘଣ୍ଟ ଘୋଡାଇ ଠାକୁର।

ପିଲା, ଗେରସ୍ତଙ୍କୁ ଧରି ଖାଏ ବୋହୂ
କରି ପାଞ୍ଚ ସାତ ଠାଆ,
ବାସି ପଖାଳକୁ ଆମ୍ବୁଲ ଫେଡାଏ
ମୋ ପାଖରେ ହୁଏ ଥୁଆ।

କୁକୁର ଶାଙ୍କୁଳି ଗୋଡ଼ରେ ମୋ ବନ୍ଧା
ଦୁଆରେ ପଡେ କୋଲପ,+
ମୋ ଦିହରେ କାଳେ ଡାହାଣୀ ରହିଚି
ମୋ ଛାଇ ଲାଗିଲେ ପାପ।

ମୋ ଭାଗ୍ୟରେ ଯାହା ଅଛି ମୁଁ ଭୋଗୁଚି
କାହାକୁ କହିବି ଧନ,
ଯମ ଭୁଲିଗଲା ସତେ ମୋ ଦୁଆର
ଯାଉନି ପୋଡ଼ା ଜୀବନ।

*ନିକ….ଖୁବ୍ ଭଲ
+କୋଲପ…..ତାଲା

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *