ଏକ ମୃତ୍ୟୁଦଣ୍ଡ ପାଇଥିବା ଗଛ ବିଷୟରେ
——————————————–
ପୁରୀକି ପଡିଚି ସଡକଟିଏ।ସଡକ କଡରେ ପୋଖରୀଟିଏ।ପୋଖରୀରେ କୁଆଆଖି ପରି ନିର୍ମଳ ପାଣି।ସଡକ ଆଉ ପୋଖରୀ ମଝିରେ ଠିଆ ହୋଇଛି ଏକ ବିଶାଳ ବରଗଛ।ଶହ ଶହ ବର୍ଷ ଧରି ଠିଆହେଇଚି ଗଛଟି। ଗଛର ଅସଂଖ୍ୟ ପୁଅଝିଅ,ମାନେ ଓହଳ।ଗଛରେ ଅନେକ ଚଢେଇ ବସାକରି ରହିଛନ୍ତି ।ଗଛରୁ ଫଳ ଖାଇ ପୋଖରୀରୁ ପାଣିପିଇ ଗଛରେ ମହା ଆନନ୍ଦରେ ରହନ୍ତି ଚଢେଇମାନେ।

ଶୀତ ଦିନ।ରାତି ଅଧ ସରିକି ବୁନ୍ଦାଏ ପାଣି,ଗଛରେ ବସା ବାନ୍ଧିଥିବା କୁମ୍ଭାଟୁଆ ଛୁଆ ଉପରେ ପଡିଲା।କୁମ୍ଭାଟୁଆ ଛୁଆଟି ମାଆକୁ ପଚାରିଲା”ପାଣି କୁଆଡୁ ଆସିଲା ମାଆ?ମୋ ଉପରେ ପାଣିବୁନ୍ଦା କୁଆଡୁ ପଡିଲା ?କୁମ୍ଭାଟୁଆ ମାଆ କହିଲା “ବାବୁରେ ,ପାଣି ନୁହେ ଏହା ଗଛର ଲୁହ।ବରଗଛ କାନ୍ଦୁଚି,କାରଣ କାଲି ସେ ହଣାହବ।ଆଜି ଦି’ଜଣ ଧୋବଧାଉଳିଆ ଦିନବେଳେ କଣ ମାପଚୁପ କରୁଥିଲେ।ସଡକ ଓସାର ହବ।ତେଣୁ ଏ ବରଗଛଟି କଟାହେବ ଏବଂ ପୋଖରୀଟି ପୋତା ହବ ବୋଲି ସେମାନେ କଥା ହେଉଥିଲେ।
ଏହି ମୃତ୍ୟୁଦଣ୍ଡ କଥା  ଶୁଣିବା ପରଠାରୁ ବରଗଛଟି କାନ୍ଦୁଚି।
କୁମ୍ଭାଟୁଆ ଛୁଆଟି କହିଲା “ତା’ହେଲେ ବରଗଛଟି ଦଉଡି ପଳାଉନାହିଁ,ଏଠି ମରିବାକୁ ଅପେକ୍ଷା କରିଚି କାହିଁକି? “

ମା’କୁମ୍ଭାଟୁଆ କହିଲା ” ତାର କଣ ପାଦ ଅଛି ଯେ ସେ ଦଉଡି ପଳେଇବ? ମଣିଷଭଳି  ଚାଲବୁଲ କରିବାପାଇଁ ଭଗବାନ୍ ତାକୁ ପାଦ ଦେଇନାହାନ୍ତି କି ଚାଲିବା ଶକ୍ତି ଦେଇ ନାହାଁନ୍ତି । ମଣିଷ ଓ ଜୀବଜନ୍ତୁ ମାନଙ୍କୁ ଛାଇ ଦେବା କାମ କରିବାପାଇଁ ଭଗବାନ୍ ତାକୁ ସ୍ଥିର ରଖିଛନ୍ତି ।ବଡ ଉପକାରୀ ଏହି ଗଛ।ପ୍ରଚୁର ଅକ୍ସିଜେନ ଯୋଗାଏ ପ୍ରାଣୀ ଜଗତକୁ ;ଏହାର ଛାଲି,ପତ୍ର ଓ ଫଳରେ  ତିଆରି ଔଷଧରେ ମଣିଷ ନିଜକୁ ରୋଗରୁ ରକ୍ଷାକରେ।ଏହି ଉପକାର ପାଇଁ ମଣିଷ କୃତଜ୍ଞତା ଦେଖେଇବ କ’ଣ, କୃତଘ୍ନହୋଇ ତାକୁ କାଟିବାକୁ ବସିଲାଣି।ବଡ ସ୍ୱାର୍ଥପର ଏ ମଣିଷ ଜାତିଟା।
ଛୁଆ କୁମ୍ଭାଟୁଆଟି ପଚାରିଲା “ଗଛ ଯେବେ ଜୀବଜଗତର   ଏତେ ଉପକାର କରୁଚି ତାହେଲେ ମଣିଷ ତାକୁ କାଟୁଚି କାହିଁକି? “
ମାଆ କହିଲା “ଭଗବାନ୍ ସିନା ବୁଦ୍ଧି ଦେଇଛନ୍ତି, ହେଲେ ତାକୁ ସଦ୍ ବୁଦ୍ଧି ଦେଇନାହାନ୍ତି। ଆତ୍ମହତ୍ୟା ପ୍ରବଣତା ଆଉ ମୂର୍ଖତା ଗୁଣ ଭରପୁର୍  ଦେଇଛନ୍ତି ।ତେଣୁ ଉପକାର କରୁଥିବା ବୃକ୍ଷଲତା ଓ ପ୍ରାଣୀମାନଙ୍କୁ ମଣିଷ ନଷ୍ଟ କରି ନିଜେ ଆତ୍ମହତ୍ୟା କରୁଛି।”
ଛୁଆ ଚଢେଇଟି କିଛି ସମୟ ଚୁପ୍ ରହି କହିଲା”ମାଆଲୋ ,ଗଛ କଟାହେଲେ ଆମର ତ ବସା ଭାଙ୍ଗିଯିବ,ଆମେ ତାହେଲେ କୁଆଡେ ଯିବା ?

କୁମ୍ଭାଟୁଆଟିର ଆଖିରୁ ଦିଟୋପା ଲୁହ ଗଳିପଡିଲା,ଛୁଆକୁ କୋଳେଇ ନେଇ କହିଲା “ଆମେ ବଡ ଦୁଃଖୀ ରେ ଧନ ! ତୁ ଏତେ ଛୋଟ,ତୋର ପର ଗଜୁରି ନାହିଁ ।କୁଆଡେ ତତେ କେମିତି ନେବି?ଏଇ ବସାଟି ଭିତରେ ତତେ କୋଳରେ ଧରି ବସିଥିବି।ଗଛ କଟାହେଲେ ,ତା’ସହିତ ପୋଖରୀ ପାଣିରେ ପଡି ଦି’ଜଣଯାକ ମରିବା।ମଣିଷ ହେଇଚି ଯେ ତତେ କାଖେଇ କୁଣ୍ଡେଇ କୁଆଡେ ନେଇଯିବି?”

କୁମ୍ଭାଟୁଆ ଛୁଆଟିର ମନ ବିଷାଦର କାରୁଣ୍ୟରେ ଭରିଗଲା।କହିଲା,ତୁ ମନଦୁଃଖ କରେନା ମା’ ;ଆର ଜନ୍ମରେ ଆମେ ଭଗବାନଙ୍କୁଗୁହାରିକରିମଣିଷଜନ୍ମନବା।”ମା’ଚଢେଇକହିଲା”ନାଁ’ରେ ଧନ ! ସେ କୁଟିଳ,ସ୍ୱାର୍ଥପର ,ପ୍ରତାରକ ଜାତିରେ ଜନ୍ମ ନବାକୁ ମୋର ମୋଟେ ଇଚ୍ଛା ନାହିଁ ।ଏମିତି ସରଳ ଚଢେଇଟିଏ ହୋଇ ଯୁଗ ଯୁଗ ପଛେ ଭଗବାନ୍ ଆମକୁ ଜନ୍ମ ଦିଅନ୍ତୁ,ଆମର ଶ୍ରେଷ୍ଠ ଜୀବ ହବା ଦର୍କାର ନାହିଁ ।”

ଏକଥା ଶୁଣି ଛୁଆ ଚଢେଇଟି କହିଲା “ତାହେଲେ ଭଗବାନଙ୍କୁ ମୁଁ ଗୁହାରି କରିବି ,ସବୁ ଗଛକଟା ମଣିଷମାନଙ୍କୁ ପରଜନ୍ମରେ ଗଛ ଜନ୍ମ ଦିଅନ୍ତୁ, ତାହେଲେ ସେମାନେ ଜାଣିପାରିବେ କୁରାଢିରେ କଟାହେଲାବେଳେ ଗଛକୁ କେତେ କଷ୍ଟ ହୁଏ।”

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *