କଳାକାର
କଳାକାର
———
kulamanisarangi
କେତେ ଲୁହ ଲୁଚାଇବି ଏ ଆଖି ଭିତରେ ??
ଆନନ୍ଦର ଲୁହ ବୋଲି କେତେଥର
କହିବି ମୁଁ ଛଳନାରେ ? !
ଭାବିନଥିଲି ଜୀବନ ଏମିତି ବି ଜିଆଯାଏ,
ଭାବନା ସାହାରା ନେଇ,ରାତିଅଧେ ପୁଣି
କାନ୍ଦିବାକୁ ପଡିଥାଏ ।
ଦିନେ କାଳେ ଭାବିତ ନଥିଲି,
ମରୁଭୂମି ଓଟ ପରି କଣ୍ଟା ଚୋବାଇ ଚୋବାଇ ,
କ୍ଷରିତ ରକ୍ତରୁ ଆନନ୍ଦ ନେଇ,
ଯନ୍ତ୍ରଣାକୁ ଆନନ୍ଦ କହିବି ବୋଲି !
ଭାବିତ ନଥିଲି,
ଫୁଟିଲା ଫୁଲବଗିଚା କାଗଜର ବୋଲି।
ରଙ୍ଗଦିଆ କାଗଜରେ ପାଣି ସିଂଚି,
କାହାକୁ କେତେ କହିବି ସଜଫୁଲ ବୋଲି ?? !!
ସମୟର ଆଇନା ତ ଧୁଆଁଳିଆ ପଡିଲାଣି,
ରାତି ଅଧେ ଜହ୍ନ ଦୂର ପାହାଡରେ ଡୁବିଲାଣି।
ଏ ରାତିର ଶେଷ ପାଇଁ, ଅପେକ୍ଷା-
ମୋ ନାହିଁ ତିଳେମାତ୍ର,
କି ଭରଷା ! ଆଉ ଏକ ସୂର୍ଯ୍ୟୋଦୟ,
ଆଲୁଅର ଫୁଆରାରେ ନଦେବ ଅନ୍ଧତ୍ୱ !