ପଲ୍ଲୀ ଗୀତ(ସରକାରଙ୍କର ସଡ଼କ ଯୋଜନା)
- ପଲ୍ଲୀଗୀତ 33
————-
ସରକାରଙ୍କର ସଡକ ଯୋଜନା
ଆହା କି ବଢିଆ ହେଲା !
ଗାଁ’ଦାଣ୍ଡ ଥିଲା ପଙ୍କ ପଚପଚ,
ଏବେ ଚକଚକ ହେଲା।
ଗୋଡି ସିମେଣ୍ଟର ସଡକ ପଡିଚି,
ଘରେ କାହିଁକି ବସିବା?
ପ୍ଲାଷ୍ଟିକ୍ ଚଉକି ଦି’ଟା ଆଣରେ
ରାତିଯାଏ ଗପୁଥିବା।
ପଡିଥାଉ ସେଠି ଚଉକି,କା’ର-
ଧାପ ଅଛି କିଏ ନବ ?
ଗାଡି ଘୋଡା ଯେବେ ପେଁ ପେଁ ହେଲା
ତେବେ ଯାଇଁ ଉଠାହବ।
ସଦେଇ କୁମ୍ଭାର ଦେଖ ଚକ ଆଣି
ମଝି ଦାଣ୍ଡରେ ପକେଇ,
ହସର ମୁକୁତା ଝରି ପଡୁଚିଲୋ
ଗଢୁଚି ହାଣ୍ଡି କୁଣ୍ଢେଇ।
ଜଗୁନି ଭାଇନା ପିଢାଟେ ପକେଇ
ପଇତା ମନ୍ତୁରିଲାଣି,
ସଡକ ଉପରେ ଗଣେଶ ମୂରତି
ପିଣ୍ଟୁ ଭାଇ ଗଢିଲାଣି।
ବାସୁଆ ଶୁଣ୍ଢିର ମାଇପ ସଡକ
ତିନିଭାଗ ମାଡିବସି,
ଧାନ,ମୁଗ,କାଠ ଶୁଖେଇ ବଇଚି,
ଦେଖ ନାଗେ କେଡେ ଖୁସି।
ଦଣ୍ଡୁ ଅବଧାନ ପକେଇ ଆସନ
କୋଡିଏ ପିଲାଙ୍କୁ ଧରି,
ଅଧା ସଡକରେ ପାଠ ପଢଉଚି
କରି ‘ଅ’ ‘ଆ’ ହୁରି।
ଗୋଡକୁ ନମ୍ବେଇ ଝୁଅକୁ ବସେଇ
ହଗଉଚି ଚମ୍ପି ନାନୀ,
ସଡକ ଉପେରେ ମହ ମହ ଗନ୍ଧ
ହସୁଚି ଝୁଅ ପେତିନୀ।
ସାଇ ସଡକଟା ନିଜ ଘର ପରି
ଏଇମିତି ଶୋଭାପାଉ,
ଯେତେ ଗାଡି ଘୋଡା ଆସିଲେ ଆସନ୍ତୁ
ପେଁ ପେଁ ବାଜୁଥାଉ।