ପଲ୍ଲୀ କବିତା 39

kulamanisarangi.blogspot.com
——————–
ପୁଅ,ବୋହୂ ମାରୁଥିଲେ ଘୁଙ୍ଗୁଡି,
ରାତିଅଧେ କାନ୍ଦେ ମରୁଆ ଖୁଡୀ।
“ବିଷ ଟିକେ ମତେ ଦେଇ ଦିଅରେ,
ବଡ ଦୁଃଖ ଦିଏ ପିଚା ଘାଆ ରେ।
କଇ,ବଇ ମୋର ଦୁଃଖ ପାସୋରା,
ଆସ ଧନ ମାଆ ଡାକୁଚି ପରା।”
କଲବଲ ହେଇ ବୁଢୀ ଡାକୁଚି,
ନିଶା ଗରଜୁଚି,କିଏ ଶୁଣୁଚି?

ସକାଳୁ ପଡୋଶୀ କହିଲେ ହାଙ୍କି,
କଇଳାସ, ବଇକୁଣ୍ଠକୁ ଡାକି,
“ରାତିସାରା ଶୋଇ ପାରୁନୁ ଆମେ,
କି ପୁଅ ବୋହୂ ହେଇଚ ତମେ?
ମାଆଟା କାନ୍ଦୁଚି ରାତିଅଧରେ
କଣ ହେଇଚି ଯାଇ ଦେଖରେ।’

ଡାକତର ଦେଖି ଶୁଣେଇଲେଣି,
‘ନେଡିଗୁଡ କହୁଣୀକି ଗଲାଣି।
ପୋକ ଧରିଲେଣି ପିଚା ଘାଆକୁ
ନେଇଯାଅ ଡାକତରଖାନାକୁ।’

କଇ,ବଇ ଙ୍କର ପଶିଲା ଚେତା,
କଇ ଅଣ୍ଡାଳିଲା ହିସାବ ଖାତା,
ବଇକି କହିଲା “ଶୁଣୁ ଭାଇ,
ପାଆଁଶ ଖରଚ କଲିଣି ମୁହିଁ ।
ତୋ ପାଳି,ନେଇ ଓଷଦ କର,
ଡାକତରଖାନା ନେ ଶୀଘିର।
ବଇ କହିଲା “ତୋ ଖର୍ଚ୍ଚ ଏତିକି?
ଖର୍ଚ୍ଚ କଲିଣି ମୁଁ ସାତ ସେତିକି।
ଗୁହ-ମୁତ କଲି ଦି’ମାସ ନେଇ,
ମତେ ଆଉ କିଛି କହନା ଭାଇ।”

ପଇସାକୁ ନେଇ ଟଣାଓଟରା,
ବୁଢୀ କାନ୍ଦୁଥିଲା ରାତିଟାସାରା।
“କଇ,ବଇ ମୋର ଧନମଣିରେ,
ମରିଯିବି ଧନ ,ବଡ କଷ୍ଟରେ।”

ଗାଁ ଦାଣ୍ଡ ସାରା ପଡିଲା ହୁରି
‘ମାଛିଆ ପାତକ’* ଦେଲାଣି ଧରି।
ପୁଅ ବୋହୂ ଛୁଇଁଲେନି ବୁଢୀକି
ପିଙ୍ଖିଦେଲେ ତାକୁ ତଳବାଡିକି।
ଖପରାରେ ଦେଲେ ଭାତ ତୋରାଣି
ପିଇବାକୁ ଦେଲେ ଘଡିରେ ପାଣି।
ବାଉଁଶ ଦିଖଣ୍ଡ ଦେଲେ ପୋତେଇ
ତା ଉପରେ ଦେଲେ ଅଖା ଘୋଡାଇ।

ଖରା ବରଷାରେ ପଡିଲା ବୁଢୀ
ରାତିଅଧେ କଲା ଯନ୍ତ୍ରଣା ରଡି।
ଛୁଇଁଲେନି କେହି ଘର ମଣିଷ
ଦି’ଦିନଠି ବୁଢୀ ହେଲା ଖଲ୍ଲାସ।

(*ମାଛିଆ ପାତକ—ଦେହରେ ପୋକହେବାକୁ ମାଛିଆ ପାତକ କୁହାଯାଏ ।’ପାତକ’ର ଅର୍ଥ ପାପ।ପାପଟି ରୋଗୀ ମୁଣ୍ଡରେ ଯାଏ,ଗାଉଁଲୀ ନ୍ୟାୟରେ।ମାଛିଆ ପାତକ ହେଲେ ରୋଗୀ ଅସ୍ପୃଶ୍ଯ ହୋଇଯାଏ।ଘରର ବାସନ କୁସନରେ ଖାଇବାକୁ ଦିଆହୁଏନାହିଁ।ଘଡିରେ ପାଣିପିଏ।ଖପରାରେ ଖାଏ—-ଗାଉଁଲୀ ନ୍ୟାୟ ଅନୁଯାୟୀ ।)

(ଶ୍ରେଷ୍ଠ ମାତୃସେବା ପାଇଁ  କୈଳାଶ ଓ ବୈକୁଣ୍ଠ ଙ୍କ ନାମ ‘ଶ୍ରବଣ କୁମାର’ ପୁରସ୍କାର ପାଇଁ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ପାଖକୁ ସୁପାରିଶ କରାଯାଇଛି (ବ୍ୟଂଗ।)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *