ପଲ୍ଲୀ କବିତା (ଚାନ୍ଦ ଚାରିପଟେ…..)
ପଲ୍ଲୀଗୀତ 19
———-
ଚାନ୍ଦ ଚାରିପଟେ ଖଣ୍ଡ ଧଳାମେଘ
ମଣ୍ଡଳେ ମୟୂର କଂଠା,
ତିନି ଦିନରେତ ବରଷା ହବଲୋ
ଚାଷୀ ଭିଡିଲେଣି ଅଣ୍ଟା।
ଚାଷ ତରତର ବଣିଜ ମଠଲୋ,
ବିହନ ସାଇତି ଥିବୁ,
ଖରଡିବୁଣାରେ ଧାନ ଷୋଳଅଣା
ବେଳଥାଉଁ ବୁଣିଦବୁ।*
ବାଲିଜନ୍ଦା ଦଳ ଧାଡିକି ଧାଡିଲୋ
ବରଷା ହୋଇବ ପରା,
ରଜ ଦୁଇଦିନ ଆଗରୁ ବୁଣିବୁ
ଖୁସିହେବ ବସୁନ୍ଧରା ।
ରୁଆଧାନ ଥୁଆ,ଅମଳ ଷୋଳଣା
ବୁଣାରେ ଅମଳ କାହିଁ?
କାଦୁଅ ବିଲରେ ଶିରୀପ୍ରଣାଳିରେ
ଧାନ ଦେଇଥିବୁ ରୋଇ।
ଖତ ମେଲିଦେଲେ ବିଲରେ ଭଲରେ
ଭରା ଫସଲ କାଟିବୁ,
ଦେଲେ ବେଶି ସାର ,ଜମିଟି ଅସାର
ମୁଣ୍ଡ କୋଡି କାନ୍ଦୁଥିବୁ।
ମାଟି ପରୀକ୍ଷା ତୁ କରି ଖତ ସାର
ନଗଉଥିବୁ ଜମିରେ,
ପାଣି ପରିମାଣେ ଛୋଟ,ବଡ ଧାନ
ରୋଇବୁ ତୁ ବସୁଧାରେ।
ପାଣି ଗଲେ ତୁଟି ବିରି ଦବୁ ଛାଟି
ରବିରେ ହସିବ ବିଲ,
ଢିପ କିଆରୀରେ ରବି ହେବନାହିଁ
ଖାଲ ସମ ସମତୁଲ।
କିଆରୀରେ ଧାନ ,ହୁଡାରେ କାଙ୍ଗୁଲ,
ବିରି ଫସଲ କରିବୁ,
ଦୁଇ ଫସଲରେ ଡୋଲି ପୂର୍ଣ୍ଣ ହବ
ପିଚାକଚି ଖାଉଥିବୁ।
(ଯେଉଁମାନେ ନ’ରୋଇ ବୁଣନ୍ତି,ସେମାନଙ୍କ ପାଇଁ)