ପଲ୍ଲୀ କବିତା (କୁତୁରୁପିଆ….)
- ପଲ୍ଲୀଗୀତ 17
———–
କୁତୁରୁପିଆ ତୋ କେଡେ ବଦମାସୀ,
ଯମ ହେଲୁ ଯନ୍ତୁଙ୍କର,
‘ପେଟ ପୋଷ ନାହିଁ ଦୋଷ’ବୋଲି
ଦେଲୁ ଧରମକୁ ଆଖିଠାର।
ବଣ କୁକୁଡାଙ୍କୁ ଧରି ଖାଇବାକୁ
କାଣ୍ଡିଆ ବସେଇ ଦେଲୁ,
ବଗ ପଡିଲେ ବି ଆଇଁଷ ଡାହାଣା
ଝୋଳ କରି ହାପୁଡିଲୁ।
ଜାଲରେ ପଡିବା ମାଛ ତୁ ବିକିଲୁ
ଖାଇଲୁ ଗେଣ୍ଡା କୋଚିଆ,
ବଣଭୂଆ କହି ଭୂଆବିରାଡିକୁ
ମାରିଦେଲୁ ସବାଖିଆ।
‘କୁଟୁରା ମାଉଁସ’ କହି ତୁ ବିକିଲୁ
ବିଲୁଆଟାଏ ଦରାଣ୍ଡି,
ବଡ ଶରଧାରେ ଝୋଳ ହାପୁଡିଲେ
ଗାଁ’ବାଲା ମାରି ହେଣ୍ଡି।
ଛେଳିପୁଟା ଦେଇ ବମ୍ ଖଞ୍ଜିଲୁ
ଖାଇଲା ଅଣ୍ଡିରା ବାରାହା
ବମ ଫୁଟିଲା ମୁହଁ ଉଡିଗଲା
ତୋ’ଘରେ କଚ୍ଚେବାରା।
ଝିଙ୍କ କି ଠେକୁଆ ଅବା ବଣଭୂଆ
ବଉଁଶ କରିଲୁ ଧ୍ୱଂସ
ଗହମ ନିଦରେ ବନ ବିଭାଗ ରେ
ବଣ ହେଲା ସର୍ବନାଶ।
ତତେ ଡରି ଆଉ ଗାଁ ଆକାଶରେ
ଉଡୁନାହାନ୍ତି ପକ୍ଷୀଏ,
କୁକୁର ମାନଙ୍କ ଭାଳେଣି ପଡିଚି
କେବେ କଟାହେବେ ସିଏ।