ପଲ୍ଲୀ କବିତା ୧୪
ପଲ୍ଲୀଗୀତ 14
————-
କୋଉଠେଇଁ ଥେଲା ଉତ୍ତରା ମେଘଲୋ
ହଠଉଁ ମାଡି ଆଇଲା,
ବାଁ’ବଳଦଟା ବିଲ ଚଷୁଥେଲା
ବଜର ଘାତେରେ ମଲା।
କୁଣ୍ଡାପାଣିକିରି ଆଟିକେ ଖାଏଲୋ
ଘରମଣି ମୋର ସେଇ,
ଧଣ୍ଡ ଡେଉଁଚି ତା ଶୁକିଲା ହାଣ୍ଡିରେ
କାନ୍ଦି ମରୁଥେଇଁ ମୁଇଁ।
ଛେଳି ଚାରିପଟ ମିଁମିଆଁ ରୋଗ
ନିପାତ କଲାରେ ଭାଇ,
ଷଣ୍ଢାପରି ମୋର ଭେଣ୍ଡା ବୋଦାଟାକୁ
ଧଇଁବାତ ଗଲା ଖାଇ।
ନଈବଢିରେ ମୋ ସୁନାଥାଳି ପାନ
ବରଜ ଉଜୁଡିଗଲା,
ପିତେଇବୋଉର ବୋପା ମଲା
ଘିଅ ମହୁରେ ପାଆଁଶ ଗଲା
ପିତେଇ ଘଇତା ବିମାର ପଡିଚି
ଏଇନୁ ଆଉ ଟିକୁକୁ,
ହାତ କାଚ ତାର ବଜର ହଉଲୋ
ବୋଦା ଦେବି ଡୁମଣୀକୁ।
ଦଇବ ତୋର ମୁଁ କିଅଣ କଲିରେ
କି ଦଣ୍ଡ ମେତେ ତୁ ଦେଲୁ,
ଶିରା ପୁରା ରସଗୋଲା କଡେଇରେ
କିରାସିନି ଅଜାଡିଲୁ।
(ଏ ବୋପା! ସବୁଥି ପେଇଁ ବିମା କରେ ମ)