ପଲ୍ଲୀଗୀତ 12
————-
ଏଣ୍ଡୁଅର ଗତି କଣ୍ଟାବାଡ କତି,
ମାଧିଆ ନବମ ଯାଏ,
ଅଳସୁଆ କଲା ବାରବାଟୀ ଚାଷ,
ଫୁଟାଣି ସାମନ୍ତରାଏ।
————-
ଏଣ୍ଡୁଅର ଗତି କଣ୍ଟାବାଡ କତି,
ମାଧିଆ ନବମ ଯାଏ,
ଅଳସୁଆ କଲା ବାରବାଟୀ ଚାଷ,
ଫୁଟାଣି ସାମନ୍ତରାଏ।
ପିନ୍ଧିଲା ଖଦଡ ହେଲା ଭଡ ଭଡ
ଦେଲା ଖଣ୍ଡିଉଡା ବେଟା,
କୁଜୀ ନେତା ସାଜି ବଡ ପାର୍ଟିଆଙ୍କ
ଧରିଲା ଲାଙ୍ଗୁଡ ଗୋଟା।
ଚିହ୍ନ ତା “ବାଲିଟି” ମୁନିସି ପାଲିଟି
ନିର୍ବାଚନ ନଢିବାକୁ,
ପାର୍ଟିରୁ ପଇସା ଖାଇ ଫୁଲେଇଲା
ଦିଦିନରେ ପେଟଟିକୁ।
କହିଲେ ସମସ୍ତେ “ହଇରେ ମାଧିଆ
ହାରିଯିବୁ ନିର୍ବାଚନ,
ଯାହା ସଙ୍ଗେ ତୁ ନଢୁଚୁ ସେପରା
ମନ୍ତ୍ରୀଙ୍କର ଗ୍ରାଣ୍ଡ ସନ।”
ମାଧିଆ କହିଲା “କୁଜି ନେତା ମୁଁ
ନଢୁଚି ହାରିବା ପାଇଁ,
ଯେଉଁ ପାର୍ଟି ଯେତେ ଦେଲା ତା ଆଡକୁ
ନାଆ ମଙ୍ଗ ମୋଡେ ମୁହିଁ ।
ଗୋଳିଆ ପାଣିରେ ରହି ମୁଁ ଭାଇରେ
ଧରିବି ମାଗୁର ତୋଡି,
ଏପଟୁ ସେପଟୁ ପକେଟସ୍ଥ କରି
ଯିବି ମଇଦାନ ଛାଡି।
ନିଜ ପାର୍ଟିପାଇଁ ସତୀ ନୁହେଁ ମୁହିଁ
ମୁଁ ଦୌପଦୀ, ମୋ ପାଞ୍ଚ ପତି,
ଯାହାର ଖାଇବି ତାର ଗାଇବି
ଏ ମୋ ମଇଦାନ ନୀତି।
ଫେଲ ହେଲେ ମୋ କିଛି ଚିନ୍ତା ନାହିଁ
ପକେଟ ଗରମ ଅଛି,
ଏକ ନିର୍ବାଚନ ନଢି ପାଞ୍ଚ ବର୍ଷ
ଖାଉଥିବି ପିଚା କଚି।
ହଇରେ ମାଧିଆ ପଛଡାଳେ ବସି
ମୂଳକୁ ଦଉ ପାହାର?
ମାଧିଆ କହିଲା “କାଳିଦାସ ପରି
ମୁଣ୍ଡଟା ମୋର ଉର୍ବର।”