…………..
ଅଭିମନ୍ୟୁ ଏକ ବହୁ ଚର୍ଚ୍ଚିତ ପୌରାଣିକ ଚରିତ୍ର।ଅଭିମନ୍ୟୁର ମୃତ୍ୟୁ ମହାଭାରତ ଯୁଦ୍ଧର ଏକ ପରିବର୍ତ୍ତନ ବିନ୍ଦୁ।ଯୁଦ୍ଧର ମୋଡ ଏଇଠି ସମ୍ପୂର୍ଣ୍ଣ ବଦଳି ଯାଇଥିଲା।ସଦା ଧର୍ମପଥରେ ଥିବା ପାଣ୍ଡବମାନେ , ଛଳନାର ଶୀକାର ହୋଇଥିବା ଅଭିମନ୍ୟୁର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଛଳନାର ଆଶ୍ରୟ ନେବାକୁ ମଧ୍ୟ ପଛେଇ ନଥିଲେ, ଏବଂ ସେହି କାର୍ଯ୍ୟରେ କେଶବଙ୍କର ମଧ୍ୟ ସମର୍ଥନ ଥିଲା।”କଣ୍ଟକେନୈବ କଣ୍ଟକମ୍” ନୀତି ଅନୁସରଣ କରିଥିଲେ।ପୁରାଣର ଏହି ଲୋମହର୍ଷଣକାରୀ ଛଳନା ଯୁଦ୍ଧର କାବ୍ୟିକ ପରିବେଷଣ କରିବାର ଅଦମ୍ୟ ଇଚ୍ଛାକୁ ଏଡେଇ ପାରିଲିନି।ଧାରାବାହିକ ଭାବେ ତାହା ପରିବେଷଣ କରିବାକୁ ଯାଉଛି।
…………………………..୧………………………………………
ମାତୁଳ ଯାର ବାସୁଦେବ, ପିତା ବୀର ଅର୍ଜୁନ,
ଜ୍ୟେଷ୍ଠପିତା ଧର୍ମ ଯୁଧିଷ୍ଠି, ଆବର ଭୀମସେନ।
ଶତସୂର୍ଯ୍ୟ ଜ୍ୟୋତି ମୁଖରେ, ବାହୁରେ ସିଂହ ବଳ,
ସୁନ୍ଦର ପଣରେ କନ୍ଦର୍ପ, ଶକ୍ତିରେ କାମପାଳ।
ପଣ୍ଡିତ ପଣେ ବୃହସ୍ପତି, ବୁଦ୍ଧିରେ ଗଣନାଥ,
ରାଜନୀତି,କୁଟନୀତିରେ, ଯେହ୍ନେ ଦ୍ବାରକା ନାଥ।
ଆଜାନୁ ଲମ୍ବିତ ବିଶାଳ ବାହୁ, ଦୀର୍ଘ ଶରୀର,
ପାଣ୍ଡବ କୁଳର ରତନ ସେ ଅଭିମନ୍ୟୁ ବୀର।
ଯେ ସମୟେ ଘୋର ଅରଣ୍ୟ ପ୍ରାନ୍ତେ ପାଣ୍ଡବ ବୀରେ,
ଭ୍ରମୁଥିଲେ ଦୁର୍ଭାଗ୍ୟ ଦିନ କାଟିବା ପ୍ରୟାସରେ।
ସେ ସମୟେ ମାତୁଳ ଗୃହେ ସବ୍ୟସାଚୀ ନନ୍ଦନ,
ମାତା ସଙ୍ଗେ ରହି ହୋଇଲା ସର୍ବ ବିଦ୍ୟା ନୀପୁଣ।
ଦ୍ବାରକାପତି ବାହୁଛାୟା ତଳେ ବଢେ ନନ୍ଦନ,
ଚନ୍ଦ୍ର କିରଣେ ଅଉଷଧି ବନ ପୁଷ୍ଟ ଯେସନ।
ଶଶୀ କଳା ପରି ବିକଶେ ସୁଭଦ୍ରାର ତନୟ,
ଦ୍ରବିଗଲା ପ୍ରୀତି ସାଗରେ କେତେ ବାଳା ହୃଦୟ।
ଅଭିମନ୍ୟୁ ରୂପ ଉପବନରେ ଦ୍ବାରକା ନାରୀ,
ଭ୍ରମୁ ଭ୍ରମେ କାମ ଭ୍ରମରେ ପଡି ହୋଇଲେ ଘାରି।
କେ ଲଳନା ଭାଳେ ଏ ଚାନ୍ଦ ପଡନ୍ତା କି ମୋ ହାତେ,
ତକ୍ଷଣେ ଲୁଚାନ୍ତି ପଣନ୍ତେ କିଏ କିଆଁ ଜାଣନ୍ତେ?
ଅଞ୍ଚଳ ଭିତରେ ଚଞ୍ଚଳ ଘୂରୁଥାନ୍ତା ଚପଳେ,
ମୋ ହୃଦ ଶୀତଳ କରନ୍ତା ବୋଳି ଚନ୍ଦନ ପଳେ।
ଯେତେବେଳେ ଇଚ୍ଛା ତା ସଙ୍ଗେ ମାତିଥାନ୍ତି ପ୍ରଣୟେ,
ଭଦ୍ରା(ସୁଭଦ୍ରା)ପଚାରିଲେ କହନ୍ତି “ମୁଁ ତ ଜାଣିନି ମାୟେ।
ଅନ୍ୟବାଳା ବୋଲେ ” କୋଟିଏ ଚମ୍ପା ଦେବି ହେ ଶିବ,
ଗୋଟିଏ ରାତି ଅଭିମନ୍ୟୁ ଯେବେ ମୋର ହୋଇବ।
ଘୋର ତପବଳେ ତୁମକୁ ଯେଉଁପରି ଗଉରୀ,
ଲଭିଲେ,ଅଭିକୁ ପାଇବି ତପ କରି ସେପରି।
କେ ଭାଳେ ମାମୁଁର କଳାତ ଥିବ ନିଶ୍ଚୟ ଧରି,
ପ୍ରିତିଜାଲେ ତାକୁ ବାନ୍ଧିବି ଗୋପ ଗୁଆଳୀ ପରି।
କେ ବୋଇଲା ଲାଜଛାଡି ମୁଁ ପ୍ରୀତି ଭିକ୍ଷା କରିବି,
ମନାକଲେ ରାମଶିଳାରେ ଯାଇଁ ପ୍ରାଣ ହାରିବି।
ମନ୍ଦାକିନୀ କୂଳେ ଚିତ୍ରକୂଟେ ସେ ପବିତ୍ର ଶିଳା,
ମରିଲେ ସେଠାରେ ପାଇବି ଆର ଜନ୍ମେ ଏ ବଳା।
ଆନ ବୋଲେ ନୋହୁ ତା ସଙ୍ଗେ ପରିଣୟ ମୋହର,
ଥରୁଟିଏ ଚାହିଁ ନିଅନ୍ତା ହେଲେ ଜୀବନ ମୋର।
ସେପରି ମରଣେ ଲକ୍ଷେ ଜନ୍ମର ମିଳନ୍ତା ସୁଖ,
ଶ୍ରେୟ ତାହା,କାମାନଳେ ଯା ପଡି ପାଉଛି ଦୁଃଖ।
ଏପରି ଦ୍ବାରକା ଲଳନା ଭାବୁଥାନ୍ତି ଚପଳେ,
ଚପଳ ନୟନେ ଚାହାନ୍ତି ଉଆସକୁ ବିକଳେ।
କ୍ରମଶଃ