Friday, April 19, 2024
Uncategorized

ଅଭିମନ୍ୟୁ
………୫……
ଯୁଦ୍ଧର ଅଶନି ସଂକେତ
…………………………
ଗହ ଗହ ସଭା କମ୍ପୁଛି ,କୃଷ୍ଣ ହୋଇଲେ ଉଭା,
ବୋଇଲେ ସମୟ ଆସିଛି,ଧର୍ମର ପକ୍ଷନେବା।
ଦୁର୍ଯ୍ୟୋଧନ ମହତ ଆଶା,ଶକୁନି ଖଳ ବୁଦ୍ଧି,
ତା ସହିତ ଅନ୍ଧ ରାଜାର ପୁତ୍ରସ୍ନେହ ଦୁର୍ବୁଦ୍ଧି।
ହୋଇ ଏକତ୍ରିତ ଅଧର୍ମୀ,ଧର୍ମେ ମାରନ୍ତି ଆଖି,
ବିବେକ ବସିଛି ଦୂରରେ ହୋଇ ନିରବ ସାକ୍ଷୀ।
ଧର୍ମ ବାନ୍ଧି ଅନ୍ଧ ପୁଟୁଳି ହୁଏ ବାହାରେ ଠିଆ,
ଭୀଷ୍ମ,ଦ୍ରୋଣ ତହିଁ ନିରବ ,ଜଳେ ଚକ୍ରାନ୍ତ ନିଆଁ।
କର୍ଣ୍ଣ,ଦୁଃଶାସନ,ଶକୁନି,ଦୁର୍ଯ୍ୟୋଧନ ଏ ଚାରି,
କରିଛନ୍ତି ଜ୍ଞାନ,ବିବେକ,ନ୍ୟାୟ,ଧର୍ମକୁ ଚୋରି।
ପୂର୍ଣ୍ଣ ହୋଇନାହିଁ ଅଜ୍ଞାତବାସ ,କହି କୌରବେ,
ବିଚାରନ୍ତି ବନେ ପେଶିବେ ପୂନର୍ବାର ପାଣ୍ଡବେ।
ଶୌର୍ଯ୍ୟ,ବିର୍ଯ୍ୟ,ପରାକ୍ରମରେ ପୂର୍ଣ୍ଣ ଏ ପାଞ୍ଚ ଭାଇ,
ଅନ୍ୟାୟ,ଅଧର୍ମ ସହି କି ବନେ ବୁଲିବେ ଯାଇ?
କରି,ହାରି,ହୁରି ଗୁହାରି ରାଜ୍ୟ ମିଳି ନପାରେ,
ତେଣୁ ଯୁଦ୍ଧ ହେବା ନିଶ୍ଚିତ,ଜାଣିରଖ ହେ ବୀରେ।

ଶୁଣି କୃଷ୍ଣ ବାଣୀ କହନ୍ତି ହଳୀ “ଶୁଣ କେଶବ,
ବାରମ୍ବାର ରାଜ୍ୟ ହାରିଲେ ପଶାଖେଳେ ପାଣ୍ଡବ।
କୁହ କେଉଁ ଅଧିକାରରେ ରାଜ୍ୟ ଫେରି ପାଇବେ,?
ଇନ୍ଦ୍ରପ୍ରସ୍ଥ ଭିକ୍ଷା ମାଗିଲେ କୌରବେ କି ଛାଡିବେ?”
ତହୁଁ ଯୁଯୁଧାନ ସାତ୍ୟକି ଉଭା କମ୍ପାଇ ଶୀର,
ବୋଇଲେ ଅନୀତି କହୁଛ ତୁମ୍ଭେ ଶ୍ରୀ ହଳଧର।
ଅଧର୍ମୀ ସହିତେ ଅଧର୍ମ ବ୍ୟବହାର ଉଚିତ,
ଭଲେ ଇନ୍ଦ୍ରପ୍ରସ୍ଥ ନଦେଲେ ଯୁଦ୍ଧ ହେବା ନିଶ୍ଚିତ।”
ସାତ୍ୟକିଙ୍କ ସମର୍ଥନରେ ଉଠିଲା ସାଧୁ ରୋଳ,
ବିରାଟ ବୋଇଲେ ପ୍ରସ୍ତୁତି,ଆବଶ୍ୟକ ଚଞ୍ଚଳ।

ଶୁଣି ଧର୍ମରାଜ କହନ୍ତି ଆମ୍ଭେ ଶାନ୍ତି ପୂଜାରୀ,
ଯୁଦ୍ଧ ହେଲେ ବିଭିଷିକାରେ ଧରା ଉଠିବ ଥରି।
ବୀରଶୂନ୍ୟ ହେବ ଧରଣୀ,ଯୋଦ୍ଧା ପଡିବେ ବଳି,
ପ୍ରଜାଏ ପାଇବେ କଷଣ,ଦୁଃଖ ଯିବଟି ବଳି।
ପଠାଇ ଶାନ୍ତିଦୂତ କୌରବଙ୍କୁ ରାଜ୍ୟ ମାଗିବା,
ପାଞ୍ଚ ଖଣ୍ଡ ଗ୍ରାମ ଦେଲେ ବି ତହିଁ ସୁଖେ ରହିବା”
ଶୁଣି ଧର୍ମ ବାଣୀ କହନ୍ତି ସ୍ମିତ ହସି ଶ୍ରୀଧର
ଘୃତ ଶର୍କରା ତୁମ୍ଭ ମୁଖେ ,ଭାଇ ହେ ଯୁଧିଷ୍ଠିର।
ଦୁର୍ଯ୍ୟୋଧନ ବିନା ଯୁଦ୍ଧରେ ରେଣୁ ମାତ୍ର ଧରଣୀ,
ଦେବନାହିଁ କେବେ ତୁମ୍ଭକୁ କୌରବ ଚୂଡାମଣି।
ଯୁଦ୍ଧ ତ ନିଶ୍ଚୟ ଘଟିବ ,ସେପାଇଁ ପ୍ରାୟୋଜନ,
କର କିନ୍ତୁ,ଶାନ୍ତି ଦୂତ ପଠାଅ ଧର୍ମ ନନ୍ଦନ।
ନକରିଲେ ଶାନ୍ତି ପ୍ରୟାସ ତୁମ୍ଭେ ନିନ୍ଦା ଭୋଗିବ,
ବିଭିଷିକା ପାଇଁ ତୁମ୍ଭକୁ ବିଶ୍ବ ଦାୟୀ କରିବ।

ସଭାରେ ହୋଇଲା ନିର୍ଣ୍ଣୟ ପଠାଇ ଶାନ୍ତି ଦୂତ,
କୌରବଙ୍କ ଠାରୁ ମାଗିବେ ଧର୍ମଙ୍କ ରାଜ୍ୟ ହୃତ।
“ଅସମ୍ମତ ହେଲେ କୌରବେ ପାଞ୍ଚ ପଡା ମାଗିବା,
ତା ନହେଲେ ଅନ୍ତିମ ରଣ ପାଇଁ ପ୍ରସ୍ତୁତ ହେବା।”
ନେଇ ଏ ନୀର୍ଣ୍ଣୟ ସଭାରେ,ଯେତେ ରାଜାଧିରାଜ,
ସୈନ୍ୟ ସଜ୍ଜା ପାଇଁ ଫେରିଲେ ନିଜ ନିଜର ରାଜ୍ୟ।
ଶାନ୍ତି ଦୂତ ହୋଇ ମାଧବ ଗଲେ ହସ୍ତିନାପୁରୀ,
ପାଇ ଅପମାନ ଫେରିଲେ ଶୂନ୍ୟ ହସ୍ତେ ଶ୍ରୀହରି।
××××××××××××××××××××××××××××
ଯୁଦ୍ଧ ଆୟୋଜନ ହୁଅନ୍ତେ ସର୍ବେ ହେଲେ ଏକତ୍ର,
ଆରମ୍ଭ ହୋଇଲା ଭୀଷଣ ଯୁଦ୍ଧ ମହାଭାରତ।
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply